ସାଲେପୁର: ଦୁଇଦିନ ଧରି ଲଗାଦର କାଳ ବୈଶାଖୀ ଯୋଗୁ ସାଲେପୁର ଅଞ୍ଚଳରେ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଫସଲ ହାନି ନେଇ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖବରରୁ ପ୍ରକାଶ ଯେ ଗତ ଦୁଇଦିନ ଧରି ଲଗାତର ଭାବରେ କାଳ ବୈଶାଖୀ ଯୋଗୁ ଝଡ଼ବର୍ଷା ହେବା ଫଳରେ ସାଲେପୁର ବ୍ଲକ୍ର ବାଲିସାହି, ଚନ୍ଦ୍ରାଦେଇପୁର, ଶିଶୁଆ, ବାରିଗୋଳ, ପିକୋଳ, ନଈଗୁଆଁ, ଛାଣିପୁର, ସିଢ଼ୋ, ରାମେଶ୍ୱର, କଟରପା, ମାଳ, ଗୋପିନାଥପୁର, ଦ୍ୱୀପାଞ୍ଚଳର ପୁରୁଣାହାଟ, ସୁଦ୍ଧଖଣ୍ଡ, ରଟିଲୋ, ତରିତୋ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ପନିପରିବା ଓ ମୁଗ ଫସଲ ବ୍ୟାପକ କ୍ଷୟକ୍ଷତି ଘଟିଛି । ନରଦା ପଞ୍ଚାୟତର ପ୍ରାୟ ୨ଏକରରୁ ଉଦ୍ଧ୍ୱର୍ କାକୁଡ଼ି, କଖାରୁ, ଭେଣ୍ଡି, ବାଇଗଣ ଓ ମୁଗ, ବିରି ଫସଲ ନଷ୍ଟ ହୋଇଥିବାବେଳେ ଦ୍ୱୀପାଞ୍ଚଳରେ ଥିବା ପଠାମାନଙ୍କରେ ଲଗାଯାଇଥିବା ପନିପରିବା ବ୍ୟାପକ କ୍ଷତି ହୋଇଛି । ସେହିପରି ବର୍ଷାପାଣି ବିଲରେ ଜମି ରହିବାରୁ ବିଲରେ ପଡିରହିଥିବା ମୁଗ ଗଜା ହୋଇଯାଇଛି । ଏହାନେଇ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡିଯାଇଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପନିପରିବା ଠାରୁ ଆରମ୍ଭ କରି ରବି ଫସଲ କରିଥିବା ଚାଷୀମାନେ ଅମଳ ସମୟରେ ଏହି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚିହ୍ନଟ କରି ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି ।