Odisha news

ସ୍ୱର୍ଗତ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଗଂଜାମ ପୁଲିସ

0

ଛତ୍ରପୁର୧୪/୭: ଗଂଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଏହାସହିତ ବହୁ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସେଥି ମଧ୍ୟରୁ ଗଂଜାମ ପୁଲିସ ଜିଲ୍ଲାର ଆସିକା ଥାନା ଅଧିନସ୍ଥ କୋଟିନଡ଼ା ଆଉଟ୍ ପୋଷ୍ଟ୍ ଠାରେ କାର୍ଯ୍ୟରତ ଥିବା କୋଭିଡ୍ ଯୋଦ୍ଧା ତଥା କନଷ୍ଟେବଳ ସି/୭୦୫ ଗୋଲକ ନାୟକଙ୍କ ଗତ ୧୨.୭.୨୦୨୦ଦିନ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁର ଖବର ପାଇବା ପରେ ଗଂଜାମ ଜିଲ୍ଲାରେ ଏକ ଶୋକର ଛାୟା ଖେଳିଯାଇଥିଲା । ଏହି ଅବସରରେ ଗଂଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ମାନ ଜଣାଇବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
ଏନେଇ ମଙ୍ଗଳବାର ଛତ୍ରପୁର ଠାରେ ଗଂଜାମ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ୱର୍ଗତ ଗୋଲକ ନାୟକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା କରାଯାଇଥିଲା । ପ୍ରାରମ୍ଭରେ ତାଙ୍କ ଫଟୋ ଚିତ୍ରରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପୁଷ୍ପାଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହାସହିତ ତାଙ୍କୁ ସାଲୁଟ୍ ମାରି ସମ୍ମାନ ଜଣାଇଥିଲେ । ପରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସାଲୁଟ ମାରି ସମ୍ମାନ ଜଣାଇଥିଲେ ।

ଏହି ଅବସରରେ ଡିଏସପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ର ଓ ଏସ୍‌. ପ୍ରଧାନ, ଗଞ୍ଜାମ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର୍‌, ସର୍ଜେଣ୍ଟ ୍ ସଞ୍ଜୟ କୁମାର ବାରିକ, ଗଞ୍ଜାମ ପୁଲିସ ଜିଲ୍ଲାର ହାବିଲଦାର ଓ କନଷ୍ଟେବଳ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ, ଅଶୋକ କୁମାର ସାହୁ, ଗୌରୀ ଶଙ୍କର ବିଷୋୟୀ, ଏ. ରାବଣା ରାଓ, ବି.ବି. ପାଢୀ, ପ୍ରମୋଦ କୁମାର ବିଷୋୟୀଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ନାୟକଙ୍କ ଗୁଣଗାନ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ନାୟକ ୧୮.୬.୧୯୬୬ ମସିହାରେ ଜନ୍ମ ଗ୍ରହଣ କରି ୨୮.୪.୧୯୮୫ ମସିହାରେ ଓଏସଏବି ଥାର୍ଡ ବାଟାଲିୟନ୍ (କୋରାପୁଟ୍ )ରେ ଯୋଗ ଦେଇ ପରେ ୧.୧୦.୨୦୦୯ରେ କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟ କରୁଥିଲେ । ଏହା ପରେ ୨୬.୧.୨୦୧୦ରେ ଗଞ୍ଜାଗ ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଥିଲେ । ପୁଲିସରେ କାର୍ଯ୍ୟ କରିବା ପୂର୍ବରୁ ସ୍ୱର୍ଗତ ନାୟକ ସେନା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଇଙ୍ଗିନାଠି ବୋଲି ଜଣାପଡ଼ିଛି ।

Leave A Reply