Odisha news

କରୋନା ମହାମାରୀରେ ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ

0

ମୁମ୍ବାଇ: କରୋନା ମହାମାରୀରେ ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ସହର ମୁମ୍ବାଇ। ୨୦ ହଜାରରୁ ଅଧିକ ଲୋକ ମୁମ୍ବାଇରେ କ‌ରୋନା ଆକ୍ରାନ୍ତ ହୋଇଛନ୍ତି। ଏକ ତଥ୍ୟରୁ ଜଣାପଡ଼ିଛି ଯେ, ଅଧିକାଂଶ ସଂକ୍ରମଣ ମାମଲା ମୁମ୍ବାଇର ଧାରାବୀ, କୁର୍ଲା‌, ଗୋବାନ୍ଦି ଆଦି ସ୍ଥାନର ବସ୍ତିରୁ ଚିହ୍ନଟ ହୋଇଛି। ବସ୍ତିରେ ସଂକ୍ରମଣ ବଢ଼ିବା ଆଶ୍ଚର୍ଯ୍ୟଜନକ ନୁହେଁ। ୨୦୧୧ ଜନଗଣନା ଅନୁଯାୟୀ ମୁମ୍ବାଇର ମୋଟ୍‌ ୪୨ ପ୍ରତିଶତ ଜନସଂଖ୍ୟା ବସ୍ତିରେ ବାସ କରନ୍ତି। ସେହିପରି କମ୍‌ ରୋଜଗାର ଥିବା ପ୍ରାୟ ୫୭ ପ୍ରତିଶତ ପରିବାର ଗୋଟିଏ ରୁମ୍‌ ଥିବା ଘରେ ବସବାସ କରନ୍ତି। ଏସବୁ ପରିବାରରେ ସାମାଜିକ ଦୂରତା ଅବଲମ୍ବନ କରିବା ଅସମ୍ଭବ। ଗତ କିଛି ଦଶନ୍ଧୀ ଧରି ଗରିବଙ୍କ ପାଇଁ ସାଧାରଣ ଗୃହ, ପରିମଳ ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଟକି ରହିଛି। ବ୍ୟାପକ କାର୍ଯ୍ୟକ୍ରମ ସତ୍ତ୍ବେ ପ୍ରାୟ ୧ ଲକ୍ଷ ଗୋଷ୍ଠୀ ଶୌଚାଳୟର ଅଭାବ ଦେଖାଦେଇଛି ଏବଂ ପ୍ରାୟ ୧୧ ଲକ୍ଷ ସୁଲଭ ଗୃହର ଅଭାବ ଥିବା ଆକଳନ କରାଯାଇଛି।

କରୋନା ମହାମାରୀ ଭଳି ସଙ୍କଟ ସମୟରେ ମୁମ୍ବାଇର ବିଭିନ୍ନ ବସ୍ତିରେ ସଂକ୍ରମଣ ବଢ଼ି ଚାଲିଛି। କେବଳ ସାମାଜିକ ଦୂରତା ଅବଲମ୍ବନ ହୋଇପାରି ନଥିବାରୁ ଏବଂ ସ୍ବଚ୍ଛତା ନଥିବାରୁ ସଂକ୍ରମଣ ଅଧିକ ବଢ଼ିଥିବା କୁହାଯାଉଛି। ମୁମ୍ବାଇର ଧାରାବୀ ମହାମାରୀର ହଟ୍‌ସ୍ପଟ୍‌ ପାଲଟିଛି। କିନ୍ତୁ ଧାରାବୀ ବସ୍ତିରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ବିଭିନ୍ନ ‌ସ୍ବେଚ୍ଛାସେବୀ ସଂସ୍ଥା ଏବଂ ପୌର ନିଗମ। ଅନ୍ୟପକ୍ଷେ ମଲାଡ଼, ଗୋବନ୍ଦି ଆଦି ଉପନଗରୀରେ ଥିବା ବସ୍ତିଗୁଡ଼ିକ ଘୋର ଅବହେଳାରେ ରହିଛି। ମୁମ୍ବାଇ ପୁର୍ବ ୱାର୍ଡରେ ଗୋବନ୍ଦି ଅନ୍ତର୍ଭୁକ୍ତ। ତେବେ ଏଠାରେ ପ୍ରାୟ ୮୦ ପ୍ରତିଶତ ଲୋକ ବସ୍ତିରେ ରହନ୍ତି। ଗୋବନ୍ଦି ଏବଂ କୁର୍ଲାରୁ ହଜାର ହଜାର ଲୋକ ସେମାନଙ୍କ ଗ୍ରାମକୁ ଛାଡ଼ି ପଳାଇଛନ୍ତି। କିନ୍ତୁ ଆହୁରି ଅନେକ ଏବେ ବି ବିପଦ ଘେରରେ ରହିଛନ୍ତି। ବସ୍ତିରେ ସଂକ୍ରମିତ ହେଉଥିବା ଲୋକମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ସହଯୋଗ ଲୋଡ଼ୁଛନ୍ତି। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ।

କିଛି ଦିନ ଭେଣ୍ଟିଲେଟରରେ ରହିବା ପରେ ଅନେକଙ୍କର ମୃତ୍ୟୁ ହେଉଛି। ତେଣୁ ମୁମ୍ବାଇରେ ଏବେ ଅଧିକ ଜନସଂଖ୍ୟା ଥିବା ବସ୍ତିରେ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଇଛି। ବସ୍ତି ପାଇଁ ମୁମ୍ବାଇରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏକ ସମୃଦ୍ଧ ସହରରେ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ କରାଯାଏ। କିନ୍ତୁ ମୁମ୍ବାଇରେ ସ୍ବାସ୍ଥ୍ୟରୁ ବ୍ୟବସାୟ ଏବଂ ରିଅଲ୍‌ ଇଷ୍ଟେଟ୍‌ ଉପରେ ଗୁରୁତ୍ବାରୋପ କରାଯାଇଛି। ମୁମ୍ବାଇ ଏବେ ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି।

Govt
Leave A Reply