Odisha news

ନୟାଗଡ଼ରେ କରୋନା ସତର୍କତା ପଦକ୍ଷେପ ଲକ୍ ଡାଉନ୍ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ପ୍ରୟାସ

0

ନୟାଗଡ଼, (ସବ୍ୟୁ): ଭୟାନକ କରୋନା ଭାଇରସ୍ ପ୍ରଭାବକୁ ରୋକିବା ଦିଗରେ ନୟାଗଡ଼ ଜିଲ୍ଲାରେ ସରକାରଙ୍କ ୭ଦିନିଆ ଲକ୍ ଡାଉନ୍ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ଚଳିତ ମାର୍ଚ୍ଚ ୨୨ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ସତ୍ତ୍ୱେ ପ୍ରଥମ ଦୁଇ ଦିନ ଶତପ୍ରତିଶତ ଲକ୍ ଡାଉନ୍ ସମ୍ଭବ ହୋଇପାରି ନାହିଁ । ଲୋକେ ଏହାକୁ କିପରି ଶତପ୍ରତିଶତ ପାଳନ କରିବେ ସେନେଇ ମଙ୍ଗଳବାର ସନ୍ଧ୍ୟାରୁ ପ୍ରଶାସନିକ ପଦକ୍ଷେପକୁ ଅଧିକ କ୍ରିୟାଶୀଳ କରାଯାଇଛି ।
କରୋନାକୁ ନେଇ ସମଗ୍ର ବିଶ୍ୱ ଭୟଭିତ ଅବସ୍ଥାରେ । ଅନେକ ସ୍ଥାନରେ କରୋନା ମହାମାରୀ ରୂପ ଧାରଣ କରି ସାରିଛି । ଏହି ମାରାତ୍ମକ ରୋଗ ଭୂତାଣୁ ଭାରତରେ ଦେଖା ଦେଇଥିବା ବେଳେ ରୋଗ ସଂକ୍ରମଣରୁ ନିଜକୁ ଦୂରେଇ ରଖିବାକୁ ନୟାଗଡ଼ ଜିଲ୍ଲାରେ ସମସ୍ତ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ହୋଇଛି । ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ୨୨ମାର୍ଚ୍ଚରୁ ୭ଦିନିଆ ଲକ୍ ଡାଉନ୍ ବ୍ୟବସ୍ଥା ଲାଗୁ କରାଯାଇଛି ।

ଶତପ୍ରତିଶତ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ରାସ୍ତାଘାଟରେ ଯାନବାହନ ଚଳଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରୀ କରାଯାଇଛି । କେବଳ ଡାକ୍ତଖାନା ସେବା, ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ ବ୍ୟତୀତ ରାସ୍ତାକୁ ଆସୁଥିବା ଲୋକଙ୍କୁ ପୋଲିସ୍ ଅଟକାଇବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ଦୋକାନ ବଜାର ବନ୍ଦ କରାଯାଉଛି । ଜରୁରୀ କାମରେ ବାହାରକୁ ଯିବାକୁ ଥିବା ଲୋକଙ୍କୁ ଅନୁମତି ପତ୍ର ପ୍ରଦାନର ବ୍ୟବସ୍ଥା ହୋଇଛି ।
ଜିଲ୍ଲାକୁ ବିଦେଶ ଓ ରାଜ୍ୟ ବାହାରୁ ପ୍ରାୟ ୭୫ ଜଣ ଫେରିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଛି । ବର୍ତ୍ତମାନ ସୁଧା ଜିଲ୍ଲାରେ କୌଣସି ବ୍ୟକ୍ତିଙ୍କ ରକ୍ତରେ କୋଭିଡ-୧୯ ଭାଇରସ୍ ସଂକ୍ରମଣ ଲକ୍ଷଣର ସୂଚନା ନାହିଁ । ତଥାପି ସତର୍କତା ଦୃଷ୍ଟିରୁ ଓ ଜରୁରୀକାଳୀନ ସ୍ଥିତିରେ ନୟାଗଡ଼ରେ ଆଇସୋଲେସନ ୟୁନିଟି ପାଇଁ ସରକାରୀ ଓ ବେସରକାରୀ ବିଲ୍‌ଡିଂ, ହୋଟେଲ, ଲଜ୍ ଆଦି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ ଆଇସୋଲେସନ୍ ୟୁନିଟ୍ ସ୍ଥାନ ଚିହ୍ନଟ କାମ ଚାଲିଛି ।

ଆବଶ୍ୟକସ୍ଥଳେ ପ୍ରଭାବିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ଏହି ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ପୋମା ଟୁଡ଼ୁ, ଏସ୍ ପି ପ୍ରତ୍ୟୁଷ ଦିୱାକର ଓ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ସମେତ ଅନ୍ୟ ଅଧିକାରୀମାନେ କାମରେ ଲାଗି ପଡ଼ିଥିବା ସୂଚନା ମିଳିଛି ।

Leave A Reply