ଛତ୍ରପୁର, ୧୩।୬- ଛତ୍ରପୁର ଏସଡ଼ପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପଜିଟିଭ୍ ଚିହ୍ନଟ ନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଟୁଇଟ୍ କରି ଜଣାଇବା ସହ ସେମାନଙ୍କର ଆରୋଗ୍ୟ କାମନା କରିଛନ୍ତି । ସେମାନେ କୋଭିଡ୍ ଯୋଦ୍ଧା ରୂପେ ବିଭିନ୍ନ ସ୍ଥାନକୁ ଯାଇ ଏପରିକି ଲୋକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ସମୟରେ ଅନେକ ଲୋକଙ୍କ କନଟାକ୍ଟରେ ଆସୁଛନ୍ତ । ଏଣୁ ସେହି କ୍ରମେ ସେମାନେ ପଜିଟିଭ୍ ରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ।
ସେମାନେ ବର୍ତମାନ ଘରୋଇ ସଙ୍ଗରୋଧରେ ଅଛନ୍ତି ଓ ସୁସ୍ଥ ଅଛନ୍ତି ବୋଲି ଗଞ୍ଜାମ ଏସପି କହିବା ସହ ସେମାନଙ୍କର ଆରୋଗ୍ୟ କାମନା କରିଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାହାର ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ଏସପି କହିଛନ୍ତି । ତେବେ ପୂର୍ବରୁ ମଧ୍ୟ ପୋଲସରା ଥାନାର ଦୁଇଜଣ ହୋମଗାର୍ଡ ଏବଂ ଖଲ୍ଲିକୋଟ ଥାନା ଓ ହୁମା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଓଏସ୍ଏସ୍ଏଫ୍ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିଲେ।ଏହା ସହ ଲୋକଙ୍କୁ ସେବା ଯୋଗାଇବାକୁ ଯାଇ ମଧ୍ୟ ପୂର୍ବରୁ ଡାକ୍ତର, ନର୍ସ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ପ୍ରମୁଖ ଆକ୍ରାନ୍ତ ହୋଇଥିବାର ନଜିର ରହିଛି । ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିବା ସହ ଧର୍ଯ୍ୟର ସହ ସରକାରଙ୍କ ନିୟମକୁ ପାଳନ କରି ସ୍ଥିତିକୁ ସାମନା କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।