Odisha news

ବାଇଗଣ ଚାଷରେ କରୋନା ମାଡ ୩ ଶହ ପରିବାର ଦୁର୍ଦ୍ଦଶାରେ

0

ଅନୁଗୁଳ: ମହାମାରୀ କରୋନା ଯୋଗୁଁ ବାଇଗଣ ଚାଷ ଉପରେ କରୋନା ମାଡ ହେବା ଯୋଗୁଁ ଏହି ବାଇଗଣ ଚାଷ ଉପରେ ନିର୍ଭର କରି ରହୁଥିବା ୩ ଶହରୁ ଉଦ୍ଧ୍ୱର୍ ପରିବାର ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି । ଲକ୍ ଡାଉନ୍ ସମୟରେ ଗାଡି ମୋଟର ବନ୍ଦ ଯୋଗୁଁ ଚାଲାଣ ହୋଇ ନପାରି ଗଛରେ ପଚିଲା କ୍ୱିଟାଂଲ କ୍ୱିଟାଂଲ ବାଇଗଣ । ଏବେ ଲକ୍ ଡାଉନ୍ କୋହଳ ହୋଇଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ଉଚିତ୍ ଦର । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦି ପଇସା ପାଇବା ଆଶାରେ ଚାଷ କରିଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି ।

ଖର୍ଚ କରିଥିବା ସାର ଔଷଧର ମୂଲ୍ୟ ମିଳୁନି । ଖାଇବେ କଣ । ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ସାନ୍ତରାପୁର ଗାଁରେ ଦେଖିବାକୁ ମିଳିଛି । ବାଇଗଣ ଚାଷୀଙ୍କ ଏଭଳି ପରିସ୍ଥିତି । ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ର୍ଗା । ଗାଁରେ ବସବାସ କରନ୍ତି ୩ଶହରୁ ଅଧିକ ପରିବାର । ସମସ୍ତେ ଚାଷୀ । ଧାନ ଚାଷ ବ୍ୟତୀତ ବାଇଗଣ ଚାଷ ହେଉଛି ଚାଷୀ ମାନଙ୍କର ମୁଖ୍ୟ ଅର୍ଥକାରୀ ଫସଲ । ପ୍ରାୟ ୨ଶହ ଏକରରୁ ଅଧିକ ଜମିରେ କେବଳ ବାଇଗଣ ଚାଷ କରନ୍ତି ।

ବର୍ଷରେ ଦୁଇ ଥର ଏହି ଫସଲ ହୁଏ । ଦୈନିକ ଶହେ କ୍ୱିଟାଂଲରୁ ଅଧିକ ବାଇଗଣ ଉତ୍ପନ୍ନ ହୁଏ । ପରିବାର ପିଲା ଛୁଆ ଓ ମହିଳାଙ୍କ ସମେତ ସମସ୍ତେ ବାଇଗଣ ବାଡିରେ କାମରେ ଲାଗି ପଡନ୍ତି । ଜଣେ ଜେଣ ଚାଷୀ ବାର୍ଷିକ ୫ରୁ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ଚାଷରୁ ରୋଜଗାର କରୁଛନ୍ତି । କିନ୍ତୁ ଚଳିତ ବର୍ଷ ଚାଷୀଙ୍କ ଉପରେ କରୋନା ମାଡ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଠିକ୍ ଅମଳ ସମୟରେ କରୋନା ପାଇଁ ଲକ୍ ଡାଉନ୍ କଟକଣା ଲାଗିଲା । ଫଳରେ କୋ÷ଣସି ଗାଡି ଚଳାଚଳ ହେଲା ନାହିଁ । ବାହାର ଜିଲ୍ଲାରୁ ବେପାରୀ ଆସିଲେ ନାହିଁ । ହାଯ ବଜାରକୁ ନେଇ ଚାଷୀ ମାନେ ବିକ୍ରି କରି ପାରିଲେ ନାହିଁ । ଫଳରେ ଶହ ଶହ କ୍ୱିଟାଂଲ ବାଇଗଣ ବାଡିରେ ପଡି ସଢ଼ିଲା । ପୋକ ଲାଗି ନଷ୍ଟ ହୋଇ ଗଲା ।

ଧାର କରଜ କରି ଚାଷୀ ମାନେ ସାର ଔଷଧ ପକାଇଥିଳେ । ଅକ୍ଳାନ୍ତ ପରିଶ୍ରମ କରକିଥିଲେ । ସେ ସବୁ ପାଣିରେ ପଡିଲା । କ୍ଷତି ସହିଲେ ଚାଷୀ । ଟିକାନ ମହାଳିକ, ବିଜୟ ସାହୁ ଓ ଦିପକ ସାହୁଙ୍କ ସମେତ ବହୁ ବାଇଗଣ ଚାଷୀ କୁହନ୍ତି ଏଠାରୁ ଅଧିକାଂଶ ବାଇଗଣ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାକୁ ଯାଏ । ସେଠାରୁ ବେପାରୀ ମାନେ ଆସି ଗାଡିରେ ବାଇଗଣ ନେଇ ଯାଆନ୍ତି । ଏହାଛଡା ଅନୁଗୁଳ ଜିଲ୍ଲାର ବିଭିନ୍ନ ହାଟ ବଜାରକୁ ମଧ୍ୟ ବିକ୍ରି ପାଇଁ ଯାଏ । ଏବେ ଲକ୍ ଡାଉନ୍ କୋହଳ ହେବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।

ହାଟ ବଜାର ମଧ୍ୟ ଖୋଲି ଯାଇଛି । କିନ୍ତୁ ବେପାରୀ ମାନେ ଶାଗ ମାଛ ଦରରେ ବାଇଗଣ କିଣି ନେଉଛନ୍ତି । କେଜି ପ୍ରତି ୫ରୁ ୮ଟଙ୍କାରେ ଚାଷୀଙ୍କ ଠାରୁ ବାଇଗଣ କିଣି ନେଉଛନ୍ତି । ଫଳରେ କ୍ଷତି ସହୁଛି ଚାଷୀ । ବାଡିରେ ପଚିସଢ଼ି ନଷ୍ଟ ହେବା ଭୟରେ ଚାଷୀ ବାଧ୍ୟ ହୋଇ ବିକ୍ରି କରି ଦେଉଛନ୍ତି । ହେଲେ ସେତିକିରେ ସାର ଔଷଧ ଖର୍ଚ ମଧ୍ୟ ବାହାରୁନି । ଏମାନଙ୍କୁ ସରକାରୀ ସ୍ତରରେ କୋ÷ଣସି ସହାୟତା ମିଳୁନି । କେବଳ ନିଜ ଉଦ୍ୟମ ଓ ନିଜସ୍ୱ ଜ୍ଞାନ କୋ÷ଶଳରେ ବର୍ଷ ବର୍ଷ ଧରି ଚାଷ କରୁଛନ୍ତି । ଏଭଳି ପରିସ୍ତିତିରେ କ୍ଷତି ସହିବାକୁ ସେମାନଙ୍କ ଆର୍ଥିକ ପରିସ୍ଥିତି ବିଗିଡି ଯାଇଛି । ଏହି ବାଇଗଣ ଚାଷୀ ଏବେ ଚାତକ ପରି ଚାହିଁ ବସିଛନ୍ତି ସରକାରୀ ସହାୟତକୁ । ନଚେତ୍ ସେମାନଙ୍କ ପରିବାର ଭୋକ ଉପାସରେ ରହିବେ । କରଜ ପରିଶୋଧ ପାଇଁ ଜମି ବିକ୍ରି କରିବାକୁ ପଡିବ ବୋଲି ବାଇଗଣ ଚାଷୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.