ନିରାକାରପୁର : କରୋନା ସଂକ୍ରମଣ ଭୟରେ ସାରା ବିଶ୍ୱ ବର୍ତ୍ତମାନ ଆତଙ୍କିତ ଥିବାବେଳେ କେବେ ଏଥିରୁ ବିଶ୍ୱବାସୀ ମୁକ୍ତ ହେବେ ତାହା ଅକଳନା କରିବା ସହଜ ନୁହେଁ । କିନ୍ତୁ ସାମାଜିକ ଦୂରତା ରକ୍ଷା କରି ଏହି ରୋଗକୁ ଅଟକାଇ ହେବା ପାଇଁ ସମଗ୍ର ଦେଶରେ ଲକ ଡ଼ାଉନ ଅବସ୍ଥା ସୃଷ୍ଟି କରାଯାଇଛି । ଏହି ସମୟରେ ଧର୍ମପୀଠ ଓ ସାଂସ୍କୃତିକ ଅନୁଷ୍ଟାନରେ ବହୁ ସଂଖ୍ୟାରେ ଜନସମାଗମ କରିବାକୁ ସରକାରଙ୍କ ତରଫରୁ ବାରଣ କରାଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ହଜାର ହଜାର ବର୍ଷର ପରମ୍ପରା ବନ୍ଦ ହୋଇଯାଇଛି । ଯାହା ଫଳରେ ଜନସାଧାରଣଙ୍କ ମନରେ ଅବସାଦ ଦେଖାଯାଇଥିଲେ ବି କରୋନାରୁ ରକ୍ଷା ପାଇବା ଓ ଏହାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଏହା ଅନିର୍ବାର୍ଯ୍ୟ ବୋଲି ମନେ କରି ସମସ୍ତେ ଘରେ ରହିବାକୁ ଶ୍ରେୟ ମଣୁଛନ୍ତି ।
ରଜ ପର୍ବରେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ମା ଉଗ୍ରତାରଙ୍କ ପୀଠରେ କାହିଁ କେତେକାଳରୁ ରଜ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ରଜ ୪ଦିନ ଏହି ପବିତ୍ର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହୁଥିଲା । ଶହ ଶହ ଦୋକାନବଜାରରେ ଏହି ପରିବେଶ ଜନସମୁଦ୍ର ହୋଇ ଉଠୁଥିଲା । ମାଆଙ୍କ ଆର୍ଶିବାଦ ଭିକ୍ଷା କରିବାକୁ କାହିଁ କେତେଦୂରୁ ଭକ୍ତମାନେ ଏହି ସମୟରେ ମା ଉଗ୍ରତାରାଙ୍କ ପୀଠକୁ ଆସୁଥିବାବେଳେ ବର୍ତ୍ତମାନ ସବୁ ଫିକା ପଡ଼ିଯାଇଛି । ଏହି ଅଞ୍ଚଳଟି ଖାଁ ଖାଁ ଲାଗୁଛି । କେବଳ ଠାକୁରାଣୀଙ୍କ ନୀତିକାନ୍ତି ପୂଜକମାନଙ୍କ ଦ୍ୱାରା ସମ୍ପାଦିତ ହେଉଥିଲେ ବି ଭକ୍ତମାନଙ୍କ ଆଗମନକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହି ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ଏହାରରେ ଏକ ସେକ୍ସନ ପୋଲିସ ମୁତୟନ କରାଯାଇଛି ।
ଫଳରେ ଏଠାରେ ନା ଅଛି ଗହଳି ନା ରହିଛି ଉଠା ବେପାରୀମାନଙ୍କର ତମ୍ବୁଘର । କାଁ ଭାଁ ଆସୁଥିବା ଭକ୍ତ ଗେଟ ତାଲା ଓ ପୋଲିସଙ୍କ ବାରଣ ଯୋଗୁ ନିରାଶ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି । ଉକ୍ତ ମନ୍ଦିର ଠାକୁରାଣୀଙ୍କ ସେବା ଓ ପୂଜା ଦାୟିତ୍ୱରେ ଥିବା ପୂଜକ ସୁରେଶ ସାମନ୍ତରାୟଙ୍କ କହିବା ମତରେ ଏହି ପରି ଘଟଣା ପ୍ରଥମ କରି ଘଟିଛି । କେବଳ ପରମ୍ପରାକୁ ବଞ୍ଚାଇବା ପାଇଁ ଆମେ ୪ଦିନର ପୂଜା ବିଧି ଓ ନୀତିକାନ୍ତି କରାଯାଉଛି । ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଭକ୍ତମାନଙ୍କୁ ପୂଜାପାଠ ପାଇଁ ଅନୁମତି ଦିଆଯାଉନି । ପୂଜା ପରେ ଠାକୁରାଣୀଙ୍କ ମନ୍ଦିର ଦୁଆର ଚାବି ପଡ଼ିଯାଉଛି । ଏହି ରଜ ଯାତ୍ରାକୁ କାହିଁ କେତେ ଦିନରୁ ଶହଶହ ବ୍ୟବସାୟୀମାନେ ସେମାନଙ୍କ ଭଲ ବେପାର ପାଇଁ ଓ ଏଠାରୁ ବିଭିନ୍ନ ଜିନିଷ କିଣିବା ଓ ବୁଲି ମଜ୍ଜା ଉଠାଇବା ପାଇଁ ଲୋକମାନେ ଚାହିଁ ବସିଥିବାବେଳେ ସମସ୍ତଙ୍କ ଆଶା ପାଣିଫଟକା ଭଳି ଫୁଟିଯାଇଛି ।