Editorial : ମାରକ କରୋନା ଭୂତାଣୁ ତାରା କାୟା ବିସ୍ତାର କରି ସାରା ବିିଶ୍ୱରେ ଏବେ ବିପର୍ଯ୍ୟୟ ସୃଷ୍ଟି କରିସାରିଲାଣି । ଏହି ପ୍ରାଣଘାତକ ଭୂତାଣୁର ବିଶ୍ୱତମାମ ସଂକ୍ରମଣ ମହାମରୀ ରୂପ ଧାରଣ କରିଛି । ୟାର ପ୍ରକୋପରେ ବିଶ୍ୱବାସୀ ଏକପ୍ରକାର ଆତଙ୍କିତ ଓ ତ୍ରସ୍ତ । ଭାଇରସର ବ୍ୟାପକ ସଂକ୍ରମଣକୁ ରୋକିବା ଲାଗି ବହୁ ଦେଶ କଠୋର ନିର୍ଣ୍ଣୟ ଗ୍ରହଣ କରିଛନ୍ତି । ଏ ଦିଗରେ ଭାରତ ସରକାର ମଧ୍ୟ ପଛରେ ପଡିନାହିଁ । ଆମ ଦେଶର ସରକାର ଅନେକ ଫଳପ୍ରସୂ , ଦୂରଦର୍ଶୀ ଓ ଠୋସ ପଦକ୍ଷେପ ଗ୍ରହଣ କରି କରୋନା ଗୋଷ୍ଠୀ ସଂକ୍ରମଣକୁ କେତେକାଂଶରେ ରୋକିପାରେ ସଫଳ ହୋଇଛି । କୋଭିଡ -୧୯ ସଂକ୍ରମଣକୁ ରୋଗିବାରେ ପୃଥିବୀର ଅନ୍ୟ ଦେଶ ସରକାରଙ୍କ ପ୍ରୟାସ ଓ ବିଶେଷଜ୍ଞଙ୍କ ଦ୍ୱାରା ଅବଲମ୍ବନ କରାଯାଉଥିବା ଉପାୟକୁ ଦୃଷ୍ଟିରେ ରଖି ଆମ ଦେଶର ପ୍ରଧାନମନ୍ତ୍ରୀ ସାରା ଦେଶରେ ଏକୋଇଶ ଦିନ ଅବଧିର ଲକଡାଉନ ବା ତାଲାବନ୍ଦ ଘୋଷଣା କରିଛନ୍ତି । ମହାମାରୀ ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା ନୀତି ବିଶେଷଜ୍ଞଙ୍କ କହିବାନୁସାରେ ଭାରତ ଭଳି ଦେଶର ସାମାଜିକ ଓ ଭୌଗୋଳିକ ସ୍ଥିତିକୁ ନଜରରେ ରଖି କରୋନା ସଂକ୍ରମଣକୁ ରୋଧିବା ପାଇଁ ଲକଡାଉନ ବା ତାଲାବନ୍ଦୀ ହେଉଛି ଏକ ସମୁଚିତ ଓ ନିର୍ଣ୍ଣାୟକ ଉପାୟ । ଏହି ଏକୋଇଶ ଦିନ ଅବଧିର ଲକ୍ଡାଉନ ବା ତାଲାବନ୍ଦ ଯୋଗୂୁଁ ଦେଶରେ ସର୍ବମୋଟ ୬୦ରୁ ୭୦ ପ୍ରତିଶତ କରୋନା ମାମଲା ହ୍ରାସ ପାଇଛି ।
ସମୃଦ୍ଧିଶାଳୀ ଦେଶ ଇଟାଲି,ଇଂଲଣ୍ଡ ଓ ଆମେରିକା ସରକାର ସଂପୂର୍ଣ୍ଣ ଲକ୍ଡାଉନ ସଂପର୍କରେ ନିର୍ଣ୍ଣୟ ନେବାରେ ଦୀର୍ଘ ସମୟ ନେଇଥିବାରୁ ଏବେ ସେହି ବିକଶିତ ଦେଶଗୁଡକ ତାର କୁପରିଣାମ ଭୋଗ କରୁଛନ୍ତି । ଲକ୍ଡାଉନ ବା ତାଲାବାନ୍ଦୀ ଯେ କରୋନା ସଂକ୍ରମଣକୁ ରୋକିବାରେ ଏକ ଫଳପ୍ରଦ ଓ ପ୍ରଭାବୀ ମହୌଷଧି ଏହା ଦୃଢତାର ସହିତ କୁହାଯାଇପାରେ । ତଥାପି ଆମକୁ ଏ ଦିଗରେ ଯଥେଷ୍ଟ ସତର୍କ, ସଜାଗ ରହି ସରକାରଙ୍କୁ ସକ୍ରିୟ ସହଯୋଗର ହାତ ପଢାଇବାକୁ ପଡିବ । ମହାରାକ୍ଷାସ କରୋନାକୁ ହରାଇବା ପାଇଁ ଏବେ ପୃଥିବୀର ଅନେକ ଦେଶକୁ କେତେକ ଠୋସ ପଦକ୍ଷେପ ନେବାକୁ ପଡିବ । ମହାମାରୀ ବିଜ୍ଞାନ ମଡେଲ ଆଧାରରେ ଦେଖିଲେ ଭାରତରେ ଅପ୍ରେଲ ଶେଷ ଅବା ଆଗାମୀ ମେ ମାସ ଆରମ୍ଭରେ କରୋନା ମାମାଲାରେ ତୀବ୍ର ବେଗ ଓ ତେଜରେ ବୃଦ୍ଧି ଘଟିବାର ସମ୍ଭାବନାକୁୁ ଏଡାଇ ଦିଆଯାଇନପାରେ । ଅପରନ୍ତୁ କରୋନାକୁ ମୁକାବିଲା କରିବା ପାଇଁ ଲକଡାଉନ ସହିତ ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଚେଷ୍ଟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ ଭାବେ ସୂଚେଇ ଦେଇଛି । ଭାରତର କରୋନା ଟେଷ୍ଟି ବା ପରୀକ୍ଷା ହାର ବିଶ୍ୱରେ ପାୟତଃ ସବୁଠୁ ନୀଚା ସ୍ତରରେ ରହିଛି । ଆମ ସରକାର ଏ ଦିଗରେ ଅଧିକରୁ ଅଧିକ ରୋଗୀଙ୍କୁ ପରୀକ୍ଷା କରିବା ବାଂଛନୀୟ ,ଯଦ୍ୱାରା କି ଆମେ ଠିକଣା ସମୟରେ କରୋନା ଆକ୍ରାନ୍ତ ପଜିଟିଭ ରୋଗୀଙ୍କ ସଂଖ୍ୟା ବାବଦରେ ସବିଶେଷ ଜାଣିବାରେ ସମର୍ଥ ହୋଇପାରିବା । ଏଥିସହିତ ସାମାଜିକ ଦୂରତ୍ୱ ବଜାୟ ରଖିି ସଂକ୍ରମଣକୁ କେତେକାଂଶରେ ରୋକିପାରିବା ।
ଭୟାବହ କରୋନା ରାକ୍ଷାସକୁ ନିୟନ୍ତ୍ରଣ କରିବା ଲକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଆଗୁଆ ପାଂଚ-ଛ ମାସ ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତ କରିବା ଉଚିତ ମନେହୁଏ । ଇଂଲଣ୍ଡ ଭଳି ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ,ଚିକିତ୍ସା ସକାଶେ ବଡ ବଡ ସହର ଓ ମହାନଗରୀରେ ଥିବା ଏମସ୍, ମେଡିକାଲ କଲେଜ ଡାକ୍ତକଖାନା ,ଆଂଚଳିକ ଡାକ୍ତରଖାନା ଓ ଅନ୍ୟାନ୍ୟ ବଡ ବଡ ସଂସ୍ଥାକୁ ସଂପୂର୍ଣ୍ଣ ଭାବେ କୋଭିଡ ସ୍ୱାସ୍ଥ୍ୟ ସଂସ୍ଥା ରୂପେ ପରିଣତ କରାଯିବା ବାଂଛନୀୟ । କାରଣ ଅନ୍ୟ ରୋଗୀ ସହିତ କରୋନା ରୋଗୀଙ୍କୁ ଏକା ସାଙ୍ଗରେ ଚିକିତ୍ସା କରିବା ଦ୍ୱାରା ସାଧାରଣ ରୋଗୀ ସଂକ୍ରମିତ ହେବାର ଆଶଙ୍କା ଢେର ଅଧିକ । ତେଣୁ ଏସବୁ ସଂସ୍ଥାରେ ଇଣ୍ଟେନସିଭ କେୟାର ୟୁନିଟ ପାଇଁ ଡାକ୍ତରୀ ସଂରଜାମ ,ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଆଦି ସମସ୍ତ ଆବଶ୍ୟକ ସୁବିଧା ରହିବା ବିଧେୟ । ଯେମିତି ଭେଂଟିଲେଟର ଚଲାଇବା ପାଇଁ ଅମ୍ବଜାନ ସକ୍ସନ ଓ କମ୍ପ୍ରେସଡ୍ ବାୟୁର ଯୋଗାଣ ଏବଂ ସଂକ୍ରମଣ ସଂକ୍ରାନ୍ତ ସମ୍ବଳକୁ ସକ୍ରିୟ ରଖିବା ଲାଗି ଅନ୍ୟ ସବୁ ଅତ୍ୟାବଶ୍ୟକ ଉପକରଣ ଯୋଗଇଦେବା । ଏତଦ୍ ବ୍ୟତୀତ, ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତ୍ିଭୂମୀର ସୁବିଧା ଥିବା ଜିଲ୍ଲା ଡାକ୍ତରଖାନାଗୁଡିକୁ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯାଇପାରେ । ପୁନଶ୍ଚ ବେସରକାରୀ ଡାକ୍ତରଖାନଗୁଡିକରେ ସରକାରୀ ସହଭାଗୀତା ରହିବା ଏକାନ୍ତ ଆବଶ୍ୟକ । ଖାଲି ସେତିକି ନୁହେଁ , ପୃଥକ ଭାବେ ରୋଗୀଙ୍କୁ ରଖିବା ପାଇଁ ପର୍ଯ୍ୟାପ୍ତ ବନେ୍ଦାବସ୍ତ କରାଯିବା ଦରକାର । ୟା ବାଦ, ୍ଘରୋଇ ହୋଟେଲ ଓ ସାମାଜିକ ଧାର୍ମିକ ଅନୁଷ୍ଠାନ ପରିଚାଳିତ ଧର୍ମଶାଳାଗୁଡିକୁ ଏଥିପାଇଁ ଉପଯୋଗ ମଧ୍ୟ କରାଯାଇପାରିବ । ଅପେକ୍ଷାକୃତ ବଡ ଡାକ୍ତରଖାନାରେ ମାସ୍କ, ଗାଉନ, ଓ ଗ୍ଲୋଭ ଆଦି ବ୍ୟକ୍ତିଗତ ସୁରକ୍ଷା ଉପକରଣର ଉପଲବ୍ଧତା ଯଥେଷ୍ଟ କମ । ଉଲ୍ଲେଖଯୋଗ୍ୟ ଇଟାଲି ଓ ଅନ୍ୟାନ୍ୟ ବିକଶିତ ଦେଶରେ କରୋନା ଆକ୍ରାନ୍ତଙ୍କ ସେବାରେ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏସବୁ ଉପକରଣ ପଯ୍ୟାପ୍ତ ନଥିବାରୁ ଏହି ଭୟଙ୍କର ରୋଗର ଶୀକାର ହେଲେ । ଏସବୁ ଚିଜ ଯଥେଷ୍ଟ ଉପଲବ୍ଧ ନହେବା କାରଣରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଲା । ତେଣେ କରୋନା ସଂକ୍ରମିତ ସଂଖ୍ୟା ଓ ତତ୍ଜନିତ ସମସ୍ୟା ବଢିବାରେ ଲାଗିଲା । ତେଣୁ ସରକାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଘରୋଇ କମ୍ପାନୀକୁ ଏସବୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ପାଦନ କରିବାକୁ କୁହାଯାଉ । ବିଶେଷକରି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିରାପତ୍ତା ଉପରେ ଅଗ୍ରପ୍ରାଧାନ୍ୟତା ପ୍ରଦାନ କରାଯିବା ନିତାନ୍ତ ଆବଶ୍ୟକ । ଏକଥା ମନେ ରଖିବାକୁ ହେବ ଯେ,ଯେକୌଣସି ମହାମାରୀଙ୍କୁ ରୋକିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂଣ୍ଣ । କିନ୍ତୁ ବିଡମ୍ବନାର ବିଷୟ ଯେ, ଆମ ଦେଶରେ ସ୍ୱାସ୍ଥ୍ୟକର୍ମଚାରୀ ବିଶେଷକରି ଡାକ୍ତର ଓ ନର୍ସଙ୍କ ସଂଖ୍ୟା ବହୁତ କମ । ତେଣେ ଖାସ ଏଇଥିପାଇଁ ଚୀନ କୁ୍ୟବା ଓ ଅନ୍ୟ ଦେଶର ଡାକ୍ତର ଓ ନର୍ମମାନଙ୍କୁ ଇଟାଲିକୁ ଅଣାଇବାକୁ ପଡିଛି ।
ଆମ ଦେଶରେ ଏବେ ଆଈସିୟୁ ବେଡ ଓ ଭେଂଟିଲେଟ ସୁସଜ୍ଜିତ ବିଛଣା ସଂଖା ପର୍ଯ୍ୟାପ୍ତ ରହିଛି । ବର୍ତ୍ତମାନ ପରିସ୍ଥିତିରେ ତିରିଶରୁ ପଚାଶ ହଜାର ଭେଂଟିଲେଟର ଓ ସତୁରୀ ହଜାରରୁ ଏକ ଲକ୍ଷ ଆଈସିୟୁ ବେଡ ରହିବା ଅନୁମାନ କରାଯାଉଛି । ଏହି ସଂଖ୍ୟାକୁ ତୁରନ୍ତ ବୃଦ୍ଧି କରିବା ଆବଶ୍ୟକ । ଏହି ଘଡିସନ୍ଧି ମୁହୂର୍ତ୍ତରେ ବୈଷୟିକ ଉପକରଣ ଓ କମ୍ ଓ ସୁଲଭ ମୂଲ୍ୟର ଭେଂଟିଲେଟର ଉପଯୋଗ କରାଯାଇପାରେ । ଆମ ଦେଶର ଏମସ୍ ଓ ଆଈ ଆଈଟି ବୈଜ୍ଞାନୀକଙ୍କ ଦ୍ୱାରା ଶସ୍ତା ତଥା ଉକ୍ରୃଷ୍ଣମାନର ଭେଂଟିଲେଟର ବନେଇ ପାରିବାର ସାମର୍ଥ୍ୟ ରହିଛି । ଏହାବ୍ୟତୀତ, ଅମ୍ବଜାନ ଓ ରୋଗ ଆକ୍ରମଣ ନିରୋଧୀ ଔଷଧର ଆବଶ୍ୟକତା ନିତାନ୍ତ ଜରୁରୀ । କହିବା ବାହୁଲ୍ୟ ଯେ, ପାଶ୍ଚତ୍ୟ ୟୁରୋପ ମହାଦେଶରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଅକାଳ ମୃତୁ୍ୟ ପଛର ହେତୁଟି ହେଉଛି ଅପର୍ଯ୍ୟାପ୍ତ ଅମ୍ବଜାନ । ବିଶେଷକରି ଭେଂଟିଲେଟର କରୋନା ଆକ୍ରାନ୍ତ ରୋଗୀଙ୍କ ମୃତୁ୍ୟକୁ ରୋକିବାର ସବୁଠାରୁ ଅତ୍ୟାବଶ୍ୟକ ଡାକ୍ତରୀ ସଂରଜାମ । ଏଯାବତ କରୋନା ଉପଚାର ପାଇଁ ଔଷଧ ଉପଲବ୍ଧ ହୋଇନାହିଁ । କିନ୍ତୁ କରୋନା ସଂକ୍ରମିତ ରୋଗୀଙ୍କ ଲକ୍ଷଣକୁ କେତେକାଂଶରେ ହ୍ରାସ କରାଯାଇପାରିବ । ତେବେ ରୋଗୀଙ୍କୁ ଭଲ କରିବା ଲାଗି ପାରାସିଟାମଲ,ହାଇଡ୍ରୋକ୍ଲୋରୋକୁ୍ୟଇନ ଆଣ୍ଟିବାଓଟିକ ,ଆଂଟିଭାଇରାଲ ଓ ଅନ୍ୟାନ୍ୟ ଔଷଦ ନିହାତି ଆବଶ୍ୟକ ।