ଡାକ୍ତର ପ୍ରଫୁଲ୍ଲ କୁମାର ଦାସ : ହୃଦ୍ଘାତରେ ମରୁଛନ୍ତି ଅନେକ କୋଭିଡ଼ ଆକ୍ରାନ୍ତ । ଏଥିମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇ ହୃତ୍ପିଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ମୃତୁ୍ୟ ହେଉଛି । ଅନ୍ୟ ଦିଗରେ ୩ରୁ ୫ ପ୍ରତିଶତ ଏଭଳି ରୋଗୀ ଅଛନ୍ତି ଯେଉଁମାନଙ୍କ ବୟସ କମ ଏବଂ କୌଣସି ପ୍ରକାର ଲକ୍ଷଣ ନଥାଇବି ଅଚାନକ ହୃଦ୍ଘାତର ଶିକାର ହେଉଛନ୍ତି । ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । କୌଣସି ପରିସ୍ଥିତିରେ ମଧ୍ୟ କୋଭିଡ଼କୁ ନେଇ ଛାନିଆ ହେବା ଅନୁଚିତ । କୋଭିଡ଼ ମୃତକଙ୍କ ଆଜି ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇନାହିଁ । ଏଥିଯୋଗୁଁ ମୃତୁ୍ୟ କାରଣ ଅସ୍ପଷ୍ଟ ରହିଛି । ହୃଦ୍ଘାତ, କୋଭିଡ଼ ମୃତୁ୍ୟ ମଧ୍ୟରେ ସମ୍ପର୍କ ଥିବା ବିଭିନ୍ନ ସମୟରେ ଦେଖାଯାଏ ।
ବିଶେଷଜ୍ଞଙ୍କ ଅନୁସାରେ, କୋଭିଡ଼ ହେଲେ ରକ୍ତ ପ୍ରବାହ ହୋଇପାରେ ନାହିଁ । ଫୁସ୍ଫୁସ୍, ହୃତ୍ପିଣ୍ଡ କିମ୍ବା ମସ୍ତିଷ୍କରେ ରକ୍ତ ଜମାଟ ହୋଇଯାଏ । ଫୁସ୍ଫୁସ୍ରେ ରକ୍ତ ଜମାଟ ବାନ୍ଧିଲେ, ଏହାର ପ୍ରଭାବ ହୃତ୍ପିଣ୍ଡ ଉପରେ ପଡ଼ିଥାଏ । ଶେଷରେ ହୃଦ୍ଘାତରେ ମୃତୁ୍ୟ ହୁଏ । ଅନେକ ସମୟରେ କାରଣ ଗୋଟିଏ ଜଣାପଡ଼ୁଥିଲେ ମଧ୍ୟ ଅନେକ ଜଟିଳତା ଥାଏ । ଅନ୍ୟ ଦିଗରେ କୌଣସି ଗୁରୁତର ସ୍ଥିତିନଥାଇ କୋଭିଡ଼ ଆକ୍ରାନ୍ତଙ୍କ ଇସିଜି ପରେ ହାର୍ଟ ସମସ୍ୟା ଦେଖାଯାଉଛି । ଏଥିମଧ୍ୟରୁ କିଛି ବ୍ୟକ୍ତିଙ୍କ ଛାନିଆ ହୋଇ ହୃଦ୍ଘାତ ଦେଖାଯାଏ ତ ଆହୁରି ଅନେକଙ୍କ ଭିନ୍ନ କିଛି ସମସ୍ୟା ଥିବାର ସନେ୍ଦହ ରହୁଛି । ଜ୍ୱର ଛାଡ଼ିବାର ୭ରୁ ୮ ଦିନ ପରେ ରକ୍ତ ପରୀକ୍ଷା କରନ୍ତୁ ।
ରକ୍ତ ଜମାଟ ବାନ୍ଧୁଛି କି ବାନ୍ଧିବାର ଆଶଙ୍କା ରହିଛି କି ନାହିଁ ତାହା ଦେଖନ୍ତୁ । ଡାକ୍ତରଙ୍କୁ ଦେଖାଇ ରକ୍ତକୁ ପତଳା କରିବା ଔଷଧ ଖାଇବା ଉଚିତ । ମଧୁମେହ, ରକ୍ତଚାପ, ସିଗାରେଟ, ବିଡ଼ି ପିଉଥିବା ବ୍ୟକ୍ତି, ମେଦବହୁଳତା, ଘରେ ହାର୍ଟ ସମସ୍ୟା ଥିବା କୋଭିଡ଼ ରୋଗୀଙ୍କ ଠାରେ ହୃଦ୍ଘାତ ସମସ୍ୟା ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଯେଉଁମାନେ ଡାକ୍ତରଖାନାରେ ଅଛନ୍ତି, ରକ୍ତଜମାଟ ବାନ୍ଧିଲେ ଚିକିତ୍ସା ପାଇଯାଆନ୍ତି । କିନ୍ତୁ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଠାରେ ରକ୍ତଜମାଟ ବାନ୍ଧିବା ସମସ୍ୟା ଜଣାପଡ଼େ ନାହିଁ । ସେମାନେ ଏହି ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ । ଏଥିସହିତ ଅଧିକାଂଶ ହୃଦ୍ରୋଗ ଥିବା ବ୍ୟକ୍ତିଙ୍କ ଠାରେ କୋଭିଡ଼ ହେଲେ ହୃଦ୍ରୋଗ ଔଷଧ ଖାଉ ନାହାନ୍ତି । କିମ୍ବା ଅନେକ ଔଷଧ ପାଉ ନାହାନ୍ତି ବା ଭୁଲ ପରାମର୍ଶର ଶିକାର ହେଉଛନ୍ତି । ଏଥିଯୋଗୁଁ ହୃଦ୍ଘାତରେ ତାଙ୍କର ମୃତୁ୍ୟ ହେଉଥିବା ଦେଖାଯାଉଛି । ଏଥିପ୍ରତି ମଧ୍ୟ ଯତ୍ନଶୀଳ ହେବାକୁ ପରାମର୍ଶ ଦିଆଯାଉଛି ।
କୋଭିଡ଼-୧୯ର ଦ୍ୱିତୀୟ ଲହର ଯୋଗୁଁ ସାରା ଦେଶରେ ଜଟିଳ ପରିସ୍ଥିତି ଦେଖାଦେଇଛି । ଏଥିସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଅନେକ ଚାପ ପକାଇଛି । ଅନେକ ରୋଗୀ ଚିକିତ୍ସା ଯୋଗୁଁ ଆରୋଗ୍ୟ ଲାଭ କରୁଥିବାବେଳେ କିଛି ମୃତୁ୍ୟବରଣ କରୁଛନ୍ତି । ତେବେ ଏହି ସମୟରେ ହୃଦ୍ରୋଗୀମାନେ ଅଧିକ ଯତ୍ନବାନ ରହିବା ଆବଶ୍ୟକ ବୋଲି ଇଣ୍ଟର ଭେନସନାଲ କାର୍ଡ଼ିଓଲୋଜିଷ୍ଟ ଓ କାର୍ଡ଼ିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟମାନେ ମତ ଦେଇଛନ୍ତି । କୋଭିଡ଼ ପିଜିଟିଭ ଚିହ୍ନଟ ହୋଇଥିବା ହୃଦ୍ରୋଗୀମାନଙ୍କୁ ଆରୋଗ୍ୟ ଲାଭ ପରେ ହାର୍ଟ ଚେକଅପ୍ ଦରକାର । ଯାହାଦ୍ୱାରା ଭାଇରସ ଜନିତ କୌଣସି ପାଶ୍ୱର୍ ପ୍ରତିକି୍ରୟାକୁ ଦୂର କରାଯାଇ ପାରିବ । ଗୁରୁତର କ୍ଷେତ୍ରରେ ବିଳମ୍ବିତ ରୋଗ ନିରୂପଣ କୋଭିଡ଼-୧୯ ହେତୁ ଦୁର୍ବଳ ହୃତ୍ପିଣ୍ଡ ସ୍ୱାସ୍ଥ୍ୟ ଦ୍ୱାରା ଭବିଷ୍ୟତରେ ହୃଦ୍ଘାତର ସମସ୍ୟା ଦେଖାଦେଇପାରେ । ଏହି ମହାମାରୀ ସମୟରେ ହୃଦ୍ରୋଗୀମାନଙ୍କ ପାଇଁ ସବୁଠାରୁ ଅଧିକ ବିପଦ ରହିଛି । ଯେଉଁ ରୋଗୀମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସତର୍କ ରହିବା ଉଚିତ । କାରଣ କୋଭିଡ଼-୧୯ ହେତୁ ହୃଦ୍ରୋଗୀ ଓ କାର୍ଡ଼ିଓଭାସ୍କୁଲାର ସମସ୍ୟା ଥିବା ରୋଗୀମାନଙ୍କ ଠାରେ ଗୁରୁତର ଲକ୍ଷଣ ଦେଖାଯାଉଛି । ସେମାନେ ଆରୋଗ୍ୟ ଲାଭ କରିବା ପରେ ଇମେଜିଂ ଟେଷ୍ଟ ଓ ଚେକଅପ୍ କରାଇ ନେବା ଉଚିତ । ଯାହାଦ୍ୱାରା ଭାଇରସ ଜନିତ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟାକୁ ଏଡ଼ାଇ ଯାଇ ପାରିବ ।
ହୃତ୍ପିଣ୍ଡରେ ସମସ୍ୟାର ଅର୍ଥ ହେଉଛି ଶରୀରର ଆବଶ୍ୟକତା ଅନୁଯାୟୀ ହୃତ୍ପିଣ୍ଡ ସଠିକ୍ ଭାବରେ ରକ୍ତକୁ ପମ୍ପ ନକରି କାଢ଼ିବା, ଯାହା ଲୋକଙ୍କ ମଧ୍ୟରେ ଏକ ତ୍ରୁଟିପୂର୍ଣ୍ଣ ଧାରଣା ରହିଛି । ଏହା ଗୁରୁତର ଡାକ୍ତରୀ ଅବସ୍ଥା । ଯାହାର ସଠିକ୍ ସମୟରେ ଚିକିତ୍ସା କରାଯିବା ଆବଶ୍ୟକ । ହୃଦ୍ ସମସ୍ୟା କ୍ଷେତ୍ରରେ ଏହା ହଠାତ୍ କାର୍ଯ୍ୟ କରିବା ବନ୍ଦ କରେ ନାହିଁ । ଏହା ପରିବର୍ତ୍ତେ ହୃତ୍ପିଣ୍ଡର ସମସ୍ୟା ଧିରେ ଧିରେ ବିକଶିତ ହୋଇଥାଏ ଓ ହୃତ୍ପିଣ୍ଡର ମାଂସପେଶୀ ଧିରେ ଧିରେ ସମୟକ୍ରମେ ଦୁର୍ବଳ ହୋଇଥାଏ । ଏହି କରୋନା ସମୟରେ ସଂକ୍ରମଣ ଦ୍ୱାରା ଶରୀରରେ ଗୁରୁତର ପ୍ରବାହ ସୃଷ୍ଟି ହୋଇପାରେ । ଯାହା ହୃତ୍ପିଣ୍ଡର ମାଂସପେଶୀକୁ ଦୁର୍ବଳ କରିଥାଏ । ତେଣୁ ରୋଗୀ ସମସ୍ୟାରେ ପଡ଼େ । ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା, ଚାପ ଓ ଉଦବିଗ୍ନତାକୁ କମ କରିବା । ଓଜନ, ଶର୍କରା, ରକ୍ତଚାପ ପ୍ରଭୃତି ନିୟନ୍ତ୍ରଣରେ ରଖିଲେ ସୁସ୍ଥ ଜୀବନ ଅତିବାହିତ କରିପାରିବା ।
କନସ୍ଲଣ୍ଟାଟ ରେଡ଼ିଓଲୋଜିଷ୍ଟ, ଏମ୍ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,

Comments are closed.