ନଗେନ୍ଦ୍ର ନାଥ ପଟ୍ଟନାୟକ : ଫାଲଗୁନ ମାସର ରଙ୍ଗପର୍ବ ହୋଲି ଇତିମଧ୍ୟରେ ଶେଷ ହୋଇଯାଇଛି । ଗଲା ବର୍ଷରେ ମଧ୍ୟ ହୋଲି ପାଳନ ଉତାରେ ସଂକ୍ରମଣ ଉଗ୍ରରୂପ ଧାରଣ କରିଥିଲା । ମାତ୍ର ଏଥର ହୋଲି ଆଗରୁ ଅଦୃଶ୍ୟ ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରି ମାଡିଆସି ତାର କାୟା ବିସ୍ତାରିବାରେ ଲାଗିଗଲାଣି ।
କରୋନା ଭୂତାଣୁର ଏକାଧିକ ରୂପାନ୍ତରଣ ଏବେ ଲୋକଲୋଚନକୁ ଆସିସାରିଛି । ଯେଉଁପରି ଭାବରେ ଦୃଶ୍ୟପଟ୍ଟ ସାମନାକୁ ଆସିଛି ଦେଶର ସାଧାରଣ ଜନତା କରୋନା ନିୟମକୁ କଡାକଡି ଭାବେ ପାଳନ କରୁନାହାଁନ୍ତି ବୋଲି ସେଥିରୁ ସ୍ପଷ୍ଟ ବାରି ହୋଇପଡେ । ଏପରିକି ଧର୍ମସ୍ଥଳ ବା ଧାର୍ମିକ ଅନୁଷ୍ଠାନ ଯଥା–ଦେବାଳୟ, ମଜସିଦ୍ ଗୀର୍ଜା ଗୁଡିକରେ ଆଶାତୀତ ଜନଗହଳି ବା ଭିଡ ଦେଖିବାକୁ ମିଳୁଛି । ଦେଖିଲେ ସାମାଜିକ ଦୂରତ୍ୱ ତଥା ଶାରୀରିକ ଦୂରତା ପାଳନ କରାଯାଉଛି ବୋଲି ଶୁଣିବାକୁ ମିଳୁଥିଲେ ହେଁ ଜନଗହଳିରୁ ଆମେ ନିଜକୁ ଦୂରେଇ ରଖିବାର ନିହାତି ଆବଶ୍ୟକ । କାହିଁକି ନା ଏପରି ସ୍ଥଳେ ଜଣେ ସଂକ୍ରମିତ ବ୍ୟକ୍ତି ଏକାଧିକ ଲୋକଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି ।
ଅଧିକାଂଶ ରାଜ୍ୟ ସରକାର କ୍ଲବ, ହୋଟେଲ ଓ ଭୋଜନାଳୟଗୁଡିକରେ ସର୍ବସାଧାରଣ ଜନସମାରୋହ ଉପରେ ରୋକ୍ ଲଗାଇଛନ୍ତି । ବିଶେଷକରି ଦେଶର ପାଂଚଟି ରାଜ୍ୟରେ ନିର୍ବାଚନ ଚାଲୁରହିଛି ।
ନିର୍ବାଚନ ପ୍ରଚାର ଓ ଶୋଭାଯାତ୍ରା ନାମରେ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସବୁ ନିୟମଗୁଡିକୁ ଫୁ କରି ଲୋକେ ବିଶାଳ ସମାବେଶରେ ସାମିଲ ହେବାର ଲକ୍ଷ କରାଯାଉଛି । ଦେଶରେ ଅନେକ ସହରରେ ରାତ୍ରିକାଳୀନ କର୍ଫୁ୍ୟ ଜାରି କରାଯାଇଛି । ଏପରିକି ସ୍ପର୍ଷକାତର ରାଜ୍ୟ ମହାରଷ୍ଟ୍ରରେ ପୁଣିଥରେ ସଂପୂର୍ଣ୍ଣ ତାଲବନ୍ଦୀ ବା ଲକଡାଉନ ଜାରି କରାଯିବା ଅବସ୍ଥା ଆସିଗଲାଣି । ଧର୍ମ ଓ ବିଶ୍ୱାସ ଏକ ସମ୍ବେଦନଶୀଳ ବଷୟ,ମାତ୍ର ଉତ୍ସବ ପାଳନରେ ବି ନିୟମ ତଥା କାଇଦା କଟକଣା ରହିଛି । ଏବେ ହରିଦ୍ୱାରରେ କୁମ୍ଭମେଳା ଚାଲୁରହିଛି । ଏପରି ଆୟୋଜନରେ ଲୋକେ କେତେଦୂର ସାବଧାନତା ଅବଲମ୍ବନ କରିବେ ତାହା ସହଜରେ ଅନ୍ଦାଜ କରାଯାଇପାରେ । ଯଦିଓ ଉତରାଖଣ୍ଡ ସରକାର କୁମ୍ଭମେଳାରେ ପ୍ରବେଶ ଲାଗି ୭୨ ଘଂଟା ଆଗରୁ ଟିପିସିଆର ଟେଷ୍ଟ ବା ପରୀକ୍ଷା , ନେଗଟିଭ ରିପୋର୍ଟ ଦେଖାଇବା ଆଉ କରୋନା ଟିକା ନେଇଥିବା ସର୍ତ ରଖିଛନ୍ତି । ତେବେ ଲୋକେ ବେପରୁଆ ହୋଇ ସୀମାସରହଦ ପାରି ହେବାର ଲକ୍ଷ କରାଯାଉଛି । ଫଳରେ ସେମାନେ ନିଜର ସ୍ୱାସ୍ଥ୍ୟ ଆଉ ଜୀବନର ସୁରକ୍ଷା ବାବଦରେ ଆଉ ଚିନ୍ତା କରୁନାହାଁନ୍ତି ।
ବରଂ ଅନ୍ୟମାନଙ୍କ ପାଇଁ ସେମାନେ ବିପଦର ପାହାଡ ଉପରେ ଛିଡା କରାଇଛନ୍ତି ।
ସଂପ୍ରତି ଦେଶର ଛଅଟି ରାଜ୍ୟ ଯଥା- ମହାରାଷ୍ଟ୍ର,ପଂଜାବ,କର୍ଣ୍ଣାଟକ,ତାମିଲନାଡୁ ,ଗୁଜୁରାଟ ଓ ମଧ୍ୟ ପ୍ରଦେଶରେ ୭୮ ପ୍ରତିଶତ ସଂକ୍ରମଣ ମାମଲା ଲୋକଲୋଚନକକୁ ଆସିଛି । ଯଦି ଏଥିସହିତ କେରଳ ଓ ଛତିଶଗଡକୁ ଯୋଡିଦିଆଯାଏ ତେବେ ଏହି ପରିସଂଖ୍ୟାନ ୮୪ ପ୍ରତିଶତରୁ ୍ଅଧିକ ହୋଇପାରେ । କରୋନାର ଦ୍ୱିତୀୟ ଲହରିର ଗମ୍ଭୀରତାର ଅନ୍ଦାଜ ଏହି ତଥ୍ୟରୁ ବେଶ୍ ବାରି ହୋଇପଡେ । ତେବେ କରୋନା ମହାମାରୀ ସଂକ୍ରମଣର ପ୍୍ରଥମ ଲହରି ବେଳେ ସଂକ୍ରମିତ ବ୍ୟକ୍ତଙ୍କ ସଂଖ୍ୟା ୧୮ ହଜାରରୁ ୫୦ ହଜାରକୁ ଛୁଇଁବାରେ ଯେଉଁ ୩୨ଦିନ ସମୟ ଲାଗିଥିଲା ଏବେ ସେଇ ସମୟ ଅବଧି ମାର୍ଚ୍ଚମାସ ୧୧ ତାରିଖରୁ ୨୭ ମାର୍ଚ୍ଚ ମଧ୍ୟରେ ଅର୍ଥାତ ୧୭ଦିନ ମଧ୍ୟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୮,୩୭୭ରୁ ବୃଦ୍ଧିପାଇ ୫୦,୫୧୮ରେ ପହଁଚିଛି ।
ସାଧାରଣ ଜନତାଙ୍କ ବେପରବାୟ ମାନସିକତାକୁ ଲକ୍ଷକଲେ ଜଣାଯାଏ ଏବେ ଲଢେଇ ଚାଲିଛି କରୋନା ଟିକା ଏବଂ ଭୂତାଣୁ ମଧ୍ୟରେ । ବର୍ତମାନ ଅଦୃଶ୍ୟ ଭୂତାଣୁ ସହିତ ମୁକାବିଲା କେବଳ ଟିକାକରଣ ଦ୍ୱାରା ହୋଇପାରିବ । କରୋନାର ଦ୍ୱିତୀୟ ଲହରୀ ଉପରେ ଚିନ୍ତା ପ୍ରକଟକରି କରୋନାରେ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡିକରେ କନଟ୍ରାକ୍ଟ ଟ୍ରେସିଂ ବଢାଇ ଦେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କଡା ଚେତାବନୀ ଶୁଣାଇ ଦେଇଛନ୍ତି । ଏହାବାଦ୍ ଗତି ଦି ସପ୍ତାହ ମଦ୍ୟରେ ଟିକାକରଣକୁ ଶହେ ପ୍ରତିଶତକୁ ବୃଦ୍ଧି କରିବାକୁ ଚେତେଇ ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ସବୁ ଲୋକଙ୍କୁ ଟିକା ଦେବା ପ୍ରକ୍ରିୟା ସୁରୁ ହୋଇଗଲାଣି । କରୋନା ଅଦୃଶ୍ୟ ଭୂତାଣକୁ ପ୍ରତିହତ କରିବା ଲାଗି କରୋନା ଟିକା ଆସିଗଲାଣି ଆଉ ବର୍ତମାନ ସବୁ କିଛି ଠିକ୍ଠାକ୍ ହୋଇଯିବ ବୋଲି ଅଧିକାଂଶ ଲୋକେ କହିବାକୁ ଲାଗିଲେଣି । ଅର୍ଥାତ ସାଧାରଣ ଜନତା କରୋନା ଭୂତାଣୁ ସଂକ୍ରମଣ କଥାକୁ ଗମ୍ଭରତାର ସହ ଭାଳିବାକୁ ଏକପ୍ରକାରେ ବିସୋରିଗଲେଣି କହିଲେ ଚଳେ । ଅଦ୍ୟାବଧି ୬ କୋଟିରୁ ଉଦ୍ଧ୍ୱର୍ ଲୋକ ଟିକା ନେଇ ସାରିଲେଣି ।
ପୁଣି ପାଖାପାଖି ଏକ କୋଟି ଲୋକଙ୍କୁ ଆଉ ଗୋଟେ ଡୋଜ୍ ଦିଆସରିଲାଣି । ଆମ ଦେଶର ବିଶାଳ ଜନସଂଖ୍ୟାର ଏକ ବଡ ବର୍ଗଙ୍କୁ ଟିକା ମିଳିବାରେ ବର୍ତମାନ ଯଥେଷ୍ଟ ସମୟ ଲାଗିପାରେ ଟିକା ଆବିଷ୍କାର କରିବା ଆମ ଦେଶର ବୈଜ୍ଞାନୀଙ୍କ ଏକ ବଡ ଉପଲବ୍ଧି ବା ସଫଳତା, ହେଲେ ଟିକା ଆସିଲା ପରେ ସଂକ୍ରମଣ ହାରରେ ବୃଦ୍ଧି ଘଟିବା ସରକାରଙ୍କୁ ଅକଳରେ ପକାଇ ଦେଇଛି । ଏଣୁ ଯେଉଁ ଜିଲ୍ଲାଗୁଡିକ ସର୍ବାଧକ ସଂକ୍ରମଣ ପ୍ରଭାବିତ ସେଠାରେ ପ୍ରତ୍ୟେକଙ୍କୁ ଟିକା ଦେବାର ଅଭିଯାନ ଯୁଦ୍ଧକାଳୀନ ଭିତରେ ଚଲାଇବାକୁ ହେବ । ସୁତରାଂ ସମଗ୍ର ଦେଶବାସୀଙ୍କୁ ନିଜ ଜୀବନକୁ ସୁରକ୍ଷା ତଥା ରୋଗାକ୍ରାନ୍ତ ହେବାରୁ ରକ୍ଷା ପାଇବା ସହିତ ଅର୍ଥନୀତି ନେଇ ଚିନ୍ତା କରିବାର ସମୟ ଏବେ ଉପଗତ ।
ଯାହାହେଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ଅନ୍ୟ ପ୍ରମୁଖ ଡାକ୍ତର ବିଶେଷଜ୍ଞମାନେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ କରୋନା ଟିକାକରଣ ଅଭିଯାନରେ ଲୋକଙ୍କୁ ବ୍ୟାପକ ଭାବେ ସାମିଲ ହେବାକୁ ନିବେଦନ କରିଛନ୍ତି ।
ଥୋକେ ରିପୋର୍ଟରେ କରୋନା ଦ୍ୱିତୀୟ ଲହରୀ ଚଳିତ ବର୍ଷ ମେ ମାସଯାଏ ଚାଲିବ ବୋଲି ଦର୍ଶାଯାଇଛି । ଭାଇରସର ନୂତନ ରୂପାନ୍ତରଣ ମଧ୍ୟ ମହାମାରୀଠାରୁ ଘାତକ ସାବ୍ୟସ୍ତ ହୋଇପାରେ । ଯଦି ଆମେ କରୋନା ଲଢେଇରେ ସକ୍ରୟ ସହଯୋଗର ହାତ ନ ବଢାଇବା ତେବେ ଦେଶ ପୁଣିଥରେ ଲକଡାଉନ କବଜାକୁ ଆସିବାର ଆଶଙ୍କା ଉପୁଜିବ । ଏତଦ୍ବ୍ୟତୀତ ପଂଜାବ ଓ ମଧ୍ୟପ୍ରଦେଶରେ ସ୍କୁଲ ଖୋଲିବାର ଆଶା କରାଯାଉଥିଲା,ମାତ୍ର ପରିସ୍ଥିତି ବିଗିଡି ଯିବାରୁ ସେଇ ଦୁଇରାଜ୍ୟରେ ସ୍କୁଲଛୁଟିକୁ ବଢାଇ ଦିଆଯାଇଛି । ତେବେ ଏକଥା ଅବଶ୍ୟ ନିରାତ ସତ ଯେ ପଂଜାବରେ ଏଯାବତ ପର୍ଯ୍ୟାପ୍ତ ଟେଷ୍ଟ ହୋଇ ପାରିନାହିଁ । ଖୁବ୍ ଭଲ ହୁଅନ୍ତା ଯଦି ଲୋକେ ସ୍ୱେଛାକୃତ ଭାବେ ଟିକା ନେବାକୁ ଆଗେଇ ଆସନ୍ତେ ।
Comments are closed.