Odisha news

ପୁଣି କରୋନା ଡର : ସଚେତନ ନହେଲେ ହୋଇପାରେ ଲକଡାଉନ

0

ଭୁବନେଶ୍ବର : ରାଜ୍ୟରେ କରୋନା ଏବେ ନିୟନ୍ତ୍ରଣରେ ରହିଛି। ହେଲେ‌ ଲୋକମାନେ ଯଦି ସଚେତନ ନ ହୁଅନ୍ତି ତା’ହେଲେ ଆଗାମୀ ଦିନ‌ରେ ପୁଣି ଲକ୍‌ଡାଉନ୍‌ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଏ ସଂକ୍ରାନ୍ତରେ ଗତକାଲି ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସବୁ ଜିଲ୍ଲାପାଳ, ଏସ୍‌ପି, ନଗର ନିଗମକୁ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଚିଠି ଲେଖିଛନ୍ତି। ତେଣୁ ଲୋକମାନେ ସଚେତନ ରହିଲେ ଲକ୍‌ଡାଉନ୍‌କୁ ଏଡ଼ାଇ ହେବ ବୋଲି ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି।

ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ମହାରାଷ୍ଟ୍ରର କିଛି ସ୍ଥାନରେ ଲକ୍‌ଡାଉନ୍ ମଧ୍ୟ କରାଯାଇଛି। ଏପରିକି ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍‌ରେ ଦେଖିବାକୁ ମିଳିଥିବା କରୋନାର ନୂତନ ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇ ସାରିଲାଣି। ଏବେ ଧୀରେଧୀରେ ସବୁକିଛି ସ୍ବାଭାବିକ ହେଉଥିବା ବେଳେ ଲୋକମାନଙ୍କ ଯିବା ଆସିବାରେ କଟକଣା ହଟିଛି। ତେଣୁ କରୋନାର ଏହି ନୂତନ ଷ୍ଟ୍ରେନ୍‌ ମଧ୍ୟ ଓଡ଼ିଶାରେ ବ୍ୟାପିବା ଆଶଙ୍କା ରହିଛି

ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଏପରିକି କିଛି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ହେଲେ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ‌ସମୟ‌ରେ ଲୋକମାନେ ଯେଉଁ ସତର୍କତା ଅବଲମ୍ବନ କରୁଥିଲେ ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ। ଲୋକମାନେ ଏବେ ବେଫିକର ହୋଇ ଯାଇଛନ୍ତି। ଲୋକଙ୍କ ମୁହଁରୁ ମାସ୍କ ହଟି ଯାଇଥିବା ବେଳେ ବଜାରଘାଟରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ସାମାଜିକ ଦୂରତାକୁ ଲୋକମାନେ ଭୁଲି ଗଲେଣି। କରୋନା ଭୟରେ ଲୋକମାନେ ପକେଟରେ ସାନିଟାଇଜର ରଖୁଥିବାବେଳେ ଏବେ ସାନିଟାଇଜର ବିକ୍ରି ଯଥେଷ୍ଟ ହ୍ରାସ ପାଇଛି। ଏହାସହ ବିଭିନ୍ନ ଦୋକାନ, ମଲ୍‌, ରେଷ୍ଟୁରାଣ୍ଟ ଓ ଦୋକାନୀମାନେ ଯେଉଁଭଳି ସତର୍କତା ଅବଲମ୍ବନ କରୁଥିଲେ; ତାହା ଏବେ ଏସବୁ ଦେଖିବାକୁ ମିଳୁନାହିଁ। ସେହିପରି କରୋନା ନିୟମକୁ ଉଲ୍ଲଂଘନ କରୁଥିବା ଲୋକମାନଙ୍କ ଉପରେ ପୂର୍ବରୁ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା, ପ୍ରଶାସନ ମଧ୍ୟ ଏଥିରେ ଢିଲା ଦେଇଛି। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ିବା ଓଡ଼ିଶା ପାଇଁ ନିଶ୍ଚିତଭାବେ ଏକ ସତର୍କ ଘଣ୍ଟି। ତେଣୁ ସାମାନ୍ୟତମ ଅବହେଳା ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ରାଜ୍ୟରେ ବ୍ରିଟେନ୍ ଓ ଆମେରିକା ପରି ସଂକ୍ରମଣ ଦେଖିବାକୁ ମିଳିନାହିଁ। ପ୍ରତିଦିନ ସର୍ଭେଲାନ୍‌ସ ଟିମ୍ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାଇବା ସହିତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ସାମାନ୍ୟତମ ଅବହେଳା ଲକ୍‌ଡାଉନ୍‌କୁ ଏଡ଼ାଇ ଦେଇ ହେବନାହିଁ ବୋଲି ଡା. ମହାନ୍ତି କହିଛନ୍ତି।

ରାଜ୍ୟରେ ଏବେ କିଛିଦିନ ଧରି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୭୦ ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୫ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜିଲ୍ଲାରେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରେ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୬୭୮କୁ ବୃଦ୍ଧି ପାଇଛି। କୌଣସି ସଂକ୍ରମିତ କରୋନାରେ ପ୍ରାଣ ହରାଇ ନାହାନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୧୯୧୪ରେ ସ୍ଥିର ରହିଛି। ଅପରପକ୍ଷରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ରହିଛି। ଏବେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୦.୧୬ ପ୍ରତିଶତ ରହିଛି। ନବରଙ୍ଗପୁର, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଏବେ ଜଣେ ‌ହେଲେ ଚିକିତ୍ସାଧୀନ ରୋଗୀ ନାହାନ୍ତି।

ଅପରପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୩,୮୨୩ କୋଭିଡ ନମୁନା ପରୀକ୍ଷା କରାଯାଇଛି। କୋଭିଡ ସଂକ୍ରମଣ ଆଶଙ୍କାକୁ ନଜରରେ ରଖି ରାଜ୍ୟ ସରକାର ନମୁନା ପରୀକ୍ଷା ଯେପରି ହ୍ରାସ ନ ଘଟେ ସେଥିପ୍ରତି ଯତ୍ନଶୀଳ ହେବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏବେ ସୁଦ୍ଧା ୮୧ଲକ୍ଷ ୪୭ହଜାର ୦୫୮ କୋଭିଡ ନମୁନା ପରୀକ୍ଷା ହୋଇ ସାରିଲାଣି। ସଂକ୍ରମଣ ହ୍ରାସ ପାଇବା ଯୋଗୁଁ ରାଜ୍ୟର ସାମଗ୍ରିକ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆଇ ୪.୧୩ ପ୍ରତିଶତକୁ ଖସି ଆସିଛି।

Leave A Reply