Odisha news

୩୦ସୁଦ୍ଧା ରାଜ୍ୟରେ କରୋନା ଟୀକା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ମହାମାରୀ କରୋନା-କରୋନାରେ ସରିଗଲା ୨୦୨୦ । କେତେ ଦୁଃଖ ଦେଇଗଲା ତାର ହିସାବ ନାହିଁ । ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମଣିଷ ସମାଜର ମେରୁଦଣ୍ଡ ଭାଙ୍ଗିଦେଇ ଗଲା । ନୂଆ ବର୍ଷରେ ଆସିଛି ନୂଆ ଖବର । ମହାମାରୀ କରୋନାର ମୁକାବିଲା ପାଇଁ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଓ ପୁନେସ୍ଥିତ ସେରମ ଇନ୍ଷ୍ଟିଚୁ୍ୟଟ୍ ଦ୍ୱାରା ବିକଶିତ କରୋନା ଟୀକା କୋଭିଶିଲ୍ଡକୁ ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଶୁକ୍ରବାର ସୁପାରିଶ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଆମ ରାଜ୍ୟ ପାଇଁ ମଧ୍ୟ ଆଶ୍ୱସ୍ତି ଆଣିଛି ଏହି ଖବର । ଖୁବ୍ ଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କରୋନା ଟୀକା । ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ରାଜ୍ୟକୁ କରୋନା ଟୀକା ଆସିଯାଇପାରେ ।

କେନ୍ଦ୍ର ସରକାର ଟୀକା ଯୋଗାଇବା ମାତ୍ରେ ତତ୍କ୍ଷଣାତ୍ ଟୀକାକରଣ ଆରମ୍ଭ କରାଯିବ । ଏନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଟୀକା ପହଞ୍ଚିବାର ଦିନେ ଦୁଇଦିନ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ପ୍ରଦାନ କରାଯିବା ବେଳେ ଏସ୍ଆଇଆଇ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡକୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୋଲି ଅନୁମତି ମିଳିଛି । ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସେରମ ଇନ୍ଷ୍ଟିଚୁ୍ୟଟ୍ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟୀକା ବ୍ୟବହାର କରାଯିବ ।

ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ୱର ବଡବଡ କମ୍ପାନୀ ମଧ୍ୟରେ କରୋନା ଟୀକାକୁ ନେଇ ପ୍ରତିଯୋଗିତା ଚାଲୁଥିବା ବେଳେ ଦେଶୀୟ ଜ୍ଞାନ କୈାଶଳରେ ତିଆରି ଟୀକାକୁ ମଞ୍ଜୁରୀ ମିଳିବା ଏକ ଗୈାରବର ବିଷୟ ହୋଇଛି । ଦେଶର ବୈଜ୍ଞାନିକ ସମୁଦାୟ ଏବଂ କରୋନା ଆଗଧାଡି ଯୋଦ୍ଧାଙ୍କୁ ପ୍ରଶଂସାକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦୀ ଟୁଇଟି କରିଛନ୍ତି ଯେ, ଦୁଇଟି ଯାକ ଟୀକା ଯାହାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।

ଏହି ଟୀକା ଦେଶକୁ କରୋନା ମୁକ୍ତ କରିବାରେ ସାହାଯ୍ୟ କରିବ । ସେହିପରି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଟୀକାର ଜରୁରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିବା ଗୈାରବର ବିଷୟ ବୋଲି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ପ୍ରତିବଦ୍ଧତା ପାଇଁ ସମଗ୍ର ଦେଶ କୃତଜ୍ଞ ରହିବ ବୋଲି ସେ କହିଛନ୍ତି । ସେହିପରି ଭାରତରେ କରୋନା ଟୀକାର ଜରୁରୀକାଳିନ ଅନୁମତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣପୂର୍ବଏସିଆ ଆଞ୍ଚଳିକ ନିଦେ୍ର୍ଦଶକ ଡିପି କ୍ଷେତ୍ରପାଳ ସିଂ କହିଛନ୍ତି, ମହାମାରୀ ବିରୋଧରେ ଲଢେଇକୁ ଏହା ତୀବ୍ର ଓ ଦୃଢତର କରିବା ସହ ଟୀକା ବ୍ୟବହାର ଦ୍ୱାରା ମହାମାରୀ ପ୍ରଭାବ ହ୍ରାସ ହେବାରେ ସହାୟକ ହୋଇପାରିବ ।

ଏଠାରେ ପ୍ରକାଶ କରାଯାଇପାରେ କି ଯେ, ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ କୋଭିଶିଲ୍ଡକୁ ଭାରତରେ ଏସ୍ଆଇଆଇ ପ୍ରସ୍ତୁତ କରୁଛି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ଏହା ହେଉଛି ଦେଶର ପ୍ରଥମ ଟୀକା । ସେହିପରି ରବିବାର ଡିସିଜିଆଇ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ କୋଭିଶିଲ୍ଡ ଟୀକାର ୫କୋଟି ଡୋଜ୍ ସେରମ୍ ଇଷ୍ଟିଚୁ୍ୟଟ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଇତିମଧ୍ୟରେ ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ଟୀକାକରଣ ପୂର୍ବରୁ ପୂର୍ବ ପ୍ରସ୍ତୁତି ବା ଡ୍ରାଏରନ୍ କରାଯାଇଛି । ସରକାରୀ ସ୍ତରରେ ମଧ୍ୟ କରୋନା ଟୀକାକୁ ଯେଭଳି ଲୋକଙ୍କ ପାଖରେ ସୁରୁଖୁରୁରେ ପହଞ୍ଚାଯାଇପାରିବ ସେଥିନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଗ୍ରହଣ କରାଯାଇଥିବା କୁହାଯାଉଛି । ପ୍ରତ୍ୟେକ ଲୋକଙ୍କୁ ଟୀକାର ଦୁଇଟି ମାତ୍ରା ଦିଆଯିବ । ପୂର୍ବରୁ କୋଭିଶିଲ୍ଡକୁ ବ୍ରିଟେନ ଓ ଆର୍ଜେଟିନା ଅନୁମତି ଦେଇଥିଲା ବେଳେ ଭାରତ ତୃତୀୟ ଦେଶ ଭାବେ ଅନୁମତି ଦେଇଛି । ଆମ ରାଜ୍ୟରେ ମଧ୍ୟ(ଜାନୁଆରୀ ୨) ଶନିବାର ଠାରୁ ସବୁ ଜିଲ୍ଲାରେ ପୂର୍ବାଭ୍ୟାସ ବା ଡ୍ରାଏରନ୍ ଆରମ୍ଭ ହୋଇଛି ।

ଟୀକାକରଣ ବେଳେ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡିବ ଓ କେମିତି ସୁରକ୍ଷିତ ଭାବେ ଲୋକଙ୍କୁ ଟୀକା ପ୍ରଦାନ କରାଯିବ, ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିକ୍ଷା ଦିଆଯାଉଛି । ସେପଟେ ଟୀକାକରଣ କେମିତି ହେବ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ ଓ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ ।

ଆସନ୍ତା ୮ତାରିଖ ସୁଦ୍ଧା ବ୍ଲକ ସ୍ତରରେ କୋଭିଡ ଟୀକାକରଣ କେନ୍ଦ୍ର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାପାଳ ଏବଂ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲାର ମହାନଗର ନିଗମର କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର ଏନେଇ ନିଦେ୍ର୍ଦଶନାମା ପଠାଇଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ପିଏଚ୍ସି ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏହି ଟୀକାକରଣ କେନ୍ଦ୍ର ଖୋଲାଯିବ । ପ୍ରତ୍ୟେକ ଟୀକାକରଣ କେନ୍ଦ୍ରକୁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଜରିଆରେ ପଞ୍ଜୀକୃତ କରିବାକୁ ହେବ । ଟୀକା ନେବାକୁ ହେଲେ ପ୍ରଥମେ ନିଜକୁ ପଞ୍ଜୀକୃତ କରାଇବାକୁ ହେବ । ଏଥିପାଇଁ ହିତାଧିକାରୀଙ୍କୁ ୮ଟି ପରିଚୟ ପତ୍ର ମଧ୍ୟରୁ ଯେକୈାଣସି ଗୋଟିଏ ପରିଚୟପତ୍ର ଦେଖାଇବାକୁ ହେବ ।

ସେ ଯାହା ହେଉନା କାହିଁକି ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଟୀକା ଦିଆଯିବ । ପରେ ୫୦ ବର୍ଷରୁ ଅଧିକ ଏବଂ ୫୦ରୁ କମ୍ ବୟସ୍କ ରୋଗାକ୍ରାନ୍ତ ମାନଙ୍କୁ ଟୀକା ପ୍ରଦାନ କରାଯିବ । କୋଭିଡ ଟୀକା ନେବା ନିଜସ୍ୱ ଇଚ୍ଛାଧୀନ କରାଯାଇଛି । ତେବେ ସୁରକ୍ଷା ପାଇଁ ଭ୍ୟାକ୍ସିନର ସମ୍ପୂର୍ଣ୍ଣ ମାତ୍ରା ନେବାକୁ ପରାମର୍ଶ ଦିଆଯାଇଛି । ସେରମ୍ ଇଷ୍ଟିଚୁ୍ୟଟ କହିବା ଅନୁଯାୟୀ ୫୦ କୋଟି ଡୋଜ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ମାର୍ଚ୍ଚ ସୁଦ୍ଧା ୧୦୦ କୋଟି ଡୋଜ୍ ପ୍ରସ୍ତୁତ କରିପାରିବ । ବିଶେଷ ସୂଚନାରୁ ଜଣାପଡିଛି ଯେ, ଆଗାମୀ ୭ମାସ ଭିତରେ ଲୋକଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ୧କୋଟି ସ୍ୱାସ୍ଥ୍ୟକର୍ମୀ, ୨କୋଟି ଆଗଧାଡିର କରୋନା ଯୋଦ୍ଧା ଓ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବଦ୍ଧନ କହିଛନ୍ତି । ସେହିପରି ଆମ ରାଜ୍ୟରେ ଆଗଧାଡିର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଏହି ଟୀକା ଦିଆଯିବ । ଏବେ ସୁଦ୍ଧା ୩ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଚୂଡାନ୍ତ ହୋଇଛି ।

କରୋନା ଟୀକାକୁ ନେଇ ଏବେ ସମଗ୍ର ବିଶ୍ୱରେ ଉସାôହ ସୃଷ୍ଟି ହେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଅନୁରୂପସ୍ଥିତି ଦେଖିବାକୁ ମିଳିଛି । ଅବଶ୍ୟ କରୋନା ଟୀକାକୁ ନେଇ ବହୁ ପ୍ରତିଷ୍ଠିତ ବ୍ୟକ୍ତି ନକରାତ୍ମକ ମନ୍ତବ୍ୟ ଦେବା ଲକ୍ଷ୍ୟ କରାଯାଉଛି । ତଥାପି ଏକଥା ସତ ଯେ, କରୋନା ଭଳି ଏକ ଭୟଙ୍କର ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ଟୀକାର ଯଥେଷ୍ଟ ଆବଶ୍ୟକତା ରହିଛି । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିରନ୍ତର ପ୍ରୟାସ କେବେ ବ୍ୟର୍ଥ ଯିବନାହିଁ । କରୋନାର ପରିବର୍ତ୍ତି ରୂପ ଷ୍ଟ୍ରେନକୁ ଏହି ଟୀକା ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Leave A Reply