Odisha news

କରୋନା : ପ୍ରତିଷେଧକ ପ୍ରତିଯୋଗିତା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଆତଙ୍କିତ । ବିଶ୍ୱର ପ୍ରାୟ ୨୧୩ଟି ଦେଶରେ ଏହା କାୟା ବିସ୍ତାର କରିସାରିଲାଣି । ପ୍ରାୟ ୬ମାସ ଭିତରେ ସାରା ବିଶ୍ୱରେ ୭ଲକ୍ଷ ୬୭ହଜାର ଲୋକଙ୍କର ମୃତୁ୍ୟ ହୋଇସାରିଲାଣି । ଏବେ ସୁଦ୍ଧା ୨କୋଟିରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତିି । ତେଣୁ କୋଭିଡ-୧୯ କୁ ବିଶ୍ୱର ଅନ୍ୟତମ ଭୟଙ୍କର ମହାମାରୀର ଆଖ୍ୟା ଦିଆଯାଇଛି ।ଏପରିକି ଅଣୁପରମାଣୁର ଭୟ ଲୋକଙ୍କୁ ଯେତିକି ଆତଙ୍କିତ କରିପାରୁନାହିଁ ତାହା ଠାରୁ ଅଧିକ ଆତଙ୍କିତ କରିସାରିଲାଣି ଏହି ମହାମାରୀ କରୋନା । ମୃତୁ୍ୟ ଭୟ ଏମିତି ଗ୍ରାସିଛି ଯେ, ଲୋକମାନେ ଏବେ ଧନ ସମ୍ପତ୍ତି ନୁହେଁ ବଞ୍ଚିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି । ସମଗ୍ର ବିଶ୍ୱ ଏକ ସଙ୍ଗେ ଏହି ମହାମାରୀ ସହ ଲଢେଇ ଜାରିରଖିଛନ୍ତି ।ସମସ୍ତେ ଅପେକ୍ଷା କରି ରହିଛନ୍ତି ଏହାର ଟୀକା କେବେ ଉପଲବ୍ଧ ହେବ । କରୋନା ଲଢେଇ ପାଇଁ ଯେତେ ସହଯୋଗର ସହ କାର୍ଯ୍ୟ ଚାଲିଛି ତାହାର ଟୀକା ବାହାର କରିବା ପାଇଁ ତା ଠାରୁ ଯୋରରେ ଉଦ୍ୟମ ମଧ୍ୟ ଜାରିରହିଛିି । ଏଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି କହିଲେ ଅତୁ୍ୟକ୍ତି ହେବନାହିଁ ।

ଠିକ୍ ଏହି ସମୟରେ ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ଗତ ମଙ୍ଗଳବାର ମଙ୍ଗଳକର ହୋଇଛି ବିଶ୍ୱ ପାଇଁ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ବିଶ୍ୱର ପ୍ରଥମ କରୋନା ଟୀକାର ଘୋଷଣା କରିଛନ୍ତି । ଏହି ଟୀକା ପୁଟିନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅଙ୍କୁ ଦିଆଯାଇଛି । ଏହି ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଅଛି ବୋଲି ପୁଟିନ କହିଛନ୍ତି । ଏହି ଟୀକା ପ୍ରଥମେ ରୁଷ୍ର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ, ତାପରେ ରୁଷ୍ ନାଗରିକଙ୍କୁ ଦିଆଯିବ ଓ ଏହାପରେ ଅନ୍ୟ ଦେଶକୁ ପଠାଯିବ । ଏହାର ନାମ କରଣ କରାଯାଇଛି ସ୍ଫୁଟନିକ୍-ଭି । ୧୯୫୭ ମସିହାରେ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ମହାକାଶକୁ ପ୍ରେରଣ କରିଥିବା କୃତ୍ରିମ ଉପଗ୍ରହ ସ୍ଫୁଟନିକ-୧ର ନାମକରଣ ଅନୁସାରେ ଏଭଳି ନାମ କରଣ କରାଯାଇଛି ।
ଚୀନ୍ର ଉହାନ ସହରରୁ ଆରମ୍ବ ହୋଇଥିବା ମହାମାରୀ କରୋନା ଇତିମଧ୍ୟରେ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି । ପ୍ରତ୍ୟେକ ଦେଶ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି ।

ଭାରତ ମଧ୍ୟ ଏହି ମାହାମାରୀର ଭୟାବହତାର ଶିକାର ହୋଇଛି । ଆମ ରାଜ୍ୟ ମଧ୍ୟ ମହାମାରୀ କରୋନା କବଳରୁ ମୁକ୍ତ ନୁହେଁ । ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେତୋଟି ଦେଶରେ ଟୀକା ପରୀକ୍ଷଣ ମଧ୍ୟ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛି । କିନ୍ତୁ ବାଜି ମାରିନେଇଛି ରୁଷ୍ । ରୁଷ୍ ପ୍ରଥମେ ପ୍ରସ୍ତୁତ କରିଛି କରୋନା ଟୀକା । ଖୁବ୍ ଶୀଘ୍ର ଏହି ଟୀକାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହି ଟୀକାକୁ ଅନୁମୋଦନ କରିଛି ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । ଅପରପକ୍ଷରେ ରୁଷ୍ ତରବରିଆ ଭାବେ ଏହି ଟୀକା ସଂପର୍କରେ ଘୋଷଣା କରିଥିବା କୁହାଯାଉଛି । ଆମେରିକା ଓ ବ୍ରିଟେନର ଏହି ଟୀକା ଉପରେ ଭରସା ପାଉନାହିଁ । ଟୀକା ନିରାପଦ କି ନୁହେଁ ସେମାନେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ ପ୍ରଥମେ ଭଲଭାବେ ଏହାର ନିରାପତ୍ତା ଓ ସୁରକ୍ଷା ନେଇ ବିଶ୍ଳେଷଣ କରାଯିବ ଏବଂ ପରେ ଏହି ଟୀକା ସଂପର୍କରେ ହୁ ପକ୍ଷରୁ ମତ ରଖାଯିବ ।ସୂଚନା ଅନୁଯାୟୀ ଏବେ କେତେକ ଦେଶ ଟୀକା ପ୍ରସ୍ତୁତ କରିବାରେ ମଧ୍ୟ ଆଗରେ ଅଛନ୍ତି । ଜର୍ମାନୀର ବାୟୋନଟେକ ଏବଂ ୟୁଏସ ଫାର୍ମା ପିଫିଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିଛନ୍ତି ।

୩୦ହଜାର ଯୁବ ସ୍ୱେଚ୍ଛାସେବୀଙ୍କୁ ନେଇ ସେମାନେ ପରୀକ୍ଷା କରୁଛନ୍ତି । ସେହିଭଳି ଆମେରିକାର ଫାର୍ମ ମର୍ଡେନା ୩୦ହଜାର ଲୋକଙ୍କ ଠାରେ ପରୀକ୍ଷା ଚଲାଇଛି । ଚାଇନାରେ ସିନୋ ଫାର୍ମ ୟୁନାଇଟେଡ ଆରବରେ ୧୫ ହଜାର ଲୋକଙ୍କ ଠାରେ ପରୀକ୍ଷଣ ଆରମ୍ଭ କରିଛି । ଭାରତରେ ମଧ୍ୟ ଭାରତ ବାୟୋଟେକ ପକ୍ଷରୁ କରୋନା ଟୀକା କୋଭାକ୍ସିନର ପରୀକ୍ଷଣ କରାଯାଉଛି ।ପୁନଶ୍ଚ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୋଭିଡ ଟୀକା ଯେଉଁମାନେ ପରୀକ୍ଷଣ କରୁଛନ୍ତି ସେମାନେ ଶେଷ ପର୍ଯ୍ୟନ୍ତ ଏହାର ଭଲଭାବେ ପରୀକ୍ଷଣ କରିବା ଦରକାର । କେହି ତରବରିଆ ହେବା ଠିକ୍ ନୁହେଁ ।

ଅନ୍ୟପଟେ ରୁଷ୍ ଦ୍ୱାରା ପରୀକ୍ଷିତ ସ୍ଫୁଟନିକ-ଭି କରୋନା ଟୀକା କିଣିବା ପାଇଁ ବିଶ୍ୱର ୨୦ଟି ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଥିବା ରୁଷ୍ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି ।ରୁଷ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତ ସମେତ ସଂଯୁକ୍ତ ଆରବ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ ,ଦକ୍ଷିଣ କୋରିଆ, ତୁର୍କି, କୁ୍ୟବା ପ୍ରଭୃତି ଦେଶ ଏହି ଟୀକା ନେବାକୁ ଚାହୁଁଥିବାରୁ ଏସବୁ ଦେଶରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ କରାଯିବ । ଏଥିସହିତ ଏ ସବୁ ଦେଶର ଆର୍ଥôକ ପାଣ୍ଠି ସହଯୋଗରେ ପର୍ଯ୍ୟାପ୍ତ ପରିମାଣର ଟୀକା ପ୍ରସ୍ତୁତ କରାଯିବ ।

୨୦୨୦ ଶେଷ ସୁଦ୍ଧା ରୁଷ୍ ନିଜ ଦେଶର ନାଗରିକଙ୍କ ପାଇଁ ୩କୋଟି ଟୀକା ପ୍ରସ୍ତୁତ କରିବା ସହ ଅନ୍ୟ ଦେଶ ପାଇଁ ୨୦କୋଟି ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ଜଣାପଡିଛି ।ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଯେ କୈାଣସି ଭାକ୍ସିନ୍କୁ କଡା ପରୀକ୍ଷା କରାଯିବ ଏବଂ ଏଥିରେ ସଫଳ ହେବା ପରେ ହିଁ ସେହି ଭାକ୍ସିନ୍କୁ ମଞ୍ଜୁରୀ ଦିଆଯିବ । ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁ୍ୟଏଚ୍ଓ ମୁଖପାତ୍ର ତାରିକ ଜାସାରେବିକ୍ କହିଛନ୍ତି ଯେ, ଡବ୍ଲୁ୍ୟଏଚ୍ଓ ଅଧିକାରୀମାନେ ରୁଷ୍ର ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଛନ୍ତି ଏବଂ ଭାକ୍ସିନ୍ର ପ୍ରି କ୍ୱାଲିଫିକେସନ୍ ଉପରେ ବିଚାରବିମର୍ଶ ଚାଲିଛି । ଭାକ୍ସିନ୍ର ବିଭିନ୍ନ ଦିଗ ଉପରେ ଯାଞ୍ଚକରାଯାଉଛି ବୋଲି ସେ କହିଛନ୍ତି ।

ଏହିରୋଗର ନିରାକରଣ ପାଇଁ ରୁଷ୍ ପ୍ରସ୍ତୁତ କରିଛି ବିଶ୍ୱର ପ୍ରଥମ କରୋନ ଟୀକା । ଅନ୍ୟ ଦେଶ ମାନେ ମଧ୍ୟ ଟୀକା ପ୍ରସ୍ତୁତ ଦୈାଡରେ ଅଛନ୍ତି । ଏସବୁ ସତ୍ତ୍ୱେ ଟୀକାର ପରୀକ୍ଷା ନିରୀକ୍ଷା ସଠିକ୍ ଭାବେ ହେବା ଦରକାର । ଏଥିସହିତ ଏହାର ପାଶ୍ୱର୍ପ୍ରତିକ୍ରିୟା ସର୍ମ୍ପକରେ ମଧ୍ୟ ଅନୁଧ୍ୟାନ କରିବାର ଅଛି । ସର୍ବୋପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ମଧ୍ୟ ଦରକାର । ଏଦିଗରେ କୈାଣସି ତରବରିଆ ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ହୋଇନପାରେ । ଭାରତ ହେଉଛି ଯେକୈାଣସି ଟୀକାର ସର୍ବବୃହତ ଉପଭୋକ୍ତା ।ଏଥିପାଇଁ ହଜାର ହଜାର କୋଟି ଟଙ୍କା ମଧ୍ୟ ବ୍ୟୟ କରାଯିବ । ତେଣୁ ଭାରତ ଯେତେ ଶୀଘ୍ର ନିଜସ୍ୱ ଟୀକା ପ୍ରସ୍ତୁତ କରିବା ବା ଅନ୍ୟ ରାଷ୍ଟ୍ର କମ୍ପାନୀ ସହାୟତାରେ ପ୍ରସ୍ତୁତ କରିବା ଆମ ପାଇଁ ଲାଭଦାୟକ ହେବ ।ଏଦିଗରେ ଆମର ବିଶେଷଜ୍ଞ ଓ ବୈଜ୍ଞାନିକ ମାନଙ୍କୁ ଗଭୀର ଭାବେ ଅନୁଶୀଳନ କରିବାର ଅଛି ।

ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେବି ସେତେ କମ୍ ହେବ । ବିଗତ ଦିନରେ ଅନେକ ମହାମାରୀ ଆସିଛି ଓ ତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ତେଣୁ କିଏ ଆଗ ଟୀକା ପ୍ରସ୍ତୁତ କଲା ବା ବାଜି ମାରିନେଲା ତାହା ବଡକଥା ନୁହେଁ ।ବଡକଥା ହେଉଛି ମାନବ ସମାଜକୁ ମହାମାରୀ କରୋନା କବଳରୁ ରକ୍ଷା କରିବା ।

Nalco
Leave A Reply