Odisha news

କନ୍ଧମାଳରେ ଆଜି ପୁଣି ୧୭ କରୋନା ପଜିଟିଭ ଚିହ୍ନଟ : ମୋଟ ପଜିଟିଭଙ୍କ ସଂଖ୍ୟା ୯୧୬, ସୁସ୍ଥହେଲେ ୮୪ ଜଣ

0

ଫୁଲବାଣୀ,୧୧/୦୮ କନ୍ଧମାଳ ଜିଲ୍ଲାରେ କରୋନା ଗ୍ରାଫ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଆଜି ପୁଣି କନ୍ଧମାଳ ଜିଲ୍ଲାରେ ୧୭ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ହୋଇଥିବା ବେଳେ ୧୦ ଜଣ ମହିଳା ପଜିଟିଭ ଅଛନ୍ତି । ଆଜି ଫୁଲବାଣୀ ସହର ମଧ୍ୟରୁ ୪ ଜଣ ସାଲୁଙ୍କି ସାହୀର ହୋଇଥିବା ବେଳେ ଜଣେ ଜେଲ କର୍ମଚାରୀ ଅଛନ୍ତି । ଆଜିର ୧୭ ଜଣ ପଜିଟିଭ ରୋଗୀଙ୍କୁ ମିଶାଇ ବର୍ତମାନ ସୁଦ୍ଧା ଜିଲ୍ଲାରେ ୯୧୬ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେଥିମଧ୍ୟରୁ ଆଜିର ୮୪ ଜଣଙ୍କୁ ମିଶାଇ ୬୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯୮ ଜଣ ବର୍ତମାନ ଚିକିତ୍ସିତ ହେଉଛନ୍ତି । ଆଉ ବର୍ତମାନ ସୁଦ୍ଧା ଜିଲ୍ଲାରେ ୫ ଜଣ କରୋନା ରୋଗୀଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ କରୋନା ଯୋଦ୍ଧାଙ୍କ ମୃତୁ୍ୟ ଘଟିଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ କହିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ଯେପରି ହ୍ରାସ ପାଇବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେହିପରି ଜିଲ୍ଲାରେ ଫୁଲବାଣୀ ଠାରେ ୧୫୦ ଶଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ ଥିବା ବେଳେ କୋଭିଡ କେୟାର ସେଣ୍ଟର ୧୦ଟି ରହିଛି ଯେଉଁଠି ୧୫୫୭ ବେଡ୍ ରହିଛି । ସେହିପରି କୋଭିଡ କେୟାର ହୋମ୍ ୧୭୧ଟି ରହିଛି । ଯେଉଁଠିକି ୧୯୭୬ଟି ବେଡ୍ ର ବ୍ୟବସ୍ଥା ରହିଛି । ସେହିପରି ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଘରେ ରହିବାଲାଗି ପରାମର୍ଶ ଦିଆଯାଇଛି । ଆବଶ୍ୟକ ନଥିଲେ ଘରୁ ବାହରନ୍ତୁ ନାହିଁ ବୋଲି କୁହାଯାଉଛି । ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସାନିଟାଇଜ କରିବା ଓ ହାତ ସଫା ରଖିବାକୁ ପ୍ରଶାସନ ଅନୁରୋଧ କରିଛି । ସେହିପରି ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଦେଖାଦେଲେ କୋଭିଡ ସେଂଟର ଯାଇ ସ୍ୱାବ୍ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ବାହାରିଲେ ମଧ୍ୟ ଲକ୍ଷଣ ନଥିଲେ କିମ୍ବା କମ୍ ଲକ୍ଷଣ ଥିଲେ ଘରେ ଯଦି ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ଅଛି ତେବେ, ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଚିକିତ୍ସିତ ମଧ୍ୟ ହୋଇପାରିବେ ।

ଯଦି ରୋଗ ଭଲ ନହେବ ତେବେ, ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାଲାଗି ନିବେଦନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ।

IEC 2 years
Leave A Reply