ବୋଲଗଡ ବ୍ଲକରେ କରୋନାର ଅନିୟନ୍ତ୍ରୀତ ଭାବେ ପ୍ରଭାବ ବିସ୍ତାର: ପ୍ରଶାସନ ସ୍ଥାଣୁ , ୯୨ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ବୋଲଗଡ : ସାରା ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଏହା ମଧ୍ୟ ଅନିୟନ୍ତ୍ରୀତ ଭାବେ ପ୍ରଭାବ ବିସ୍ତାର କରିଚାଲିଛି । କେତେକ ଅମାନିଆ ବ୍ୟକ୍ତି ନିଜର ବାହୁଦୁରି ପଣିଆ ଦେଖାଇ ବିନା ମାସ୍କରେ ବୁଲୁଥିବା ବେଳେ ପୋଲିସ ପ୍ରଶାସନ କାଁଭାଁ ମାସ୍କ ଚେକିଂ କରୁଥିବାର ନଜିର ରହିଛି । ବୋଲଗଡ ବ୍ଲକ ଅଞ୍ଚଳର ପ୍ରଶାସନିକ ମୁଖ୍ୟ ପଦବୀ ଥିବା ବ୍ଲକ ବିଡିଓଙ୍କ ପଦବୀଟି ଖାଲି ଥିବାବେଳେ ଆଇନଶୃଙ୍ଖଳା ପାଇଁ ଥିବା ତହସିଲଦାରଙ୍କ ବଦଳି ହେବା ଆଉ ଏକ ପରିତାପର ବିଷୟ । କରେନା ମହାମାରୀ ନିୟନ୍ତ୍ରଣ ପାଇଁ ପ୍ରଶାସନ ପ୍ରାୟ ଏଠାରେ ସ୍ଥାଣୁ ପାଲଟିଯାଇଥିବାର ଦେଖାଯାଇଛି ।
ସବୁ ପ୍ରମୁଖ ଅଫିସ ବନ୍ଦ ରହିବାଫଳରେ ପ୍ରଶାସନିକ କାର୍ଯ୍ୟ ପ୍ରାୟ ଠପ୍ ହୋଇଯାଇଛି । ବୋଲଗଡ ବ୍ଲକର ୧୯ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଥିବାବେଳେ ହଠାତ୍ ତାହା ବଢି ଶୁକ୍ରବାର ସୁଦ୍ଧା ୯୨ରେ ପହଞ୍ଚିଛି । କ୍ୱାରେଣ୍ଟଇନ କେନ୍ଦ୍ରରୁ ସଂକ୍ରମିତଙ୍କ ସଂଖ୍ୟା ୪୦ ରହିଥିବା ବେଳେ ୫୨ଜଣ ଲୋକାଲ କେସ ଭାବେ ବାହାରିବା ବୋଲଗଡ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି । ବଡକୁମାରୀ ପଞ୍ଚାୟତୁ ୧୦ଜଣ,ଡାବରଧୁଆ ପଞ୍ଚାୟତରୁ ୧୨ଜଣ ଓ ଗୋପାଳପୁର ପଞ୍ଚାୟତରୁ ଏକଜଣ ବାହରିବାରେ ପଞ୍ଚାୟତ ଗୁଡିକୁ ସଟ୍ଡାଉନ ଘୋଷଣା କରାଯାଇଛି । ବ୍ଲକ ଅଞ୍ଚଳରେ ୧୪ଶହରୁ ଉର୍ଦ୍ଧ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରୁ ଅବ୍ୟାହତି ନେଇଥିବା ବେଳେ ମାତ୍ର ୭ଶହ ଜଣଙ୍କୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବା ମଧ୍ୟ ପ୍ରଶାସନିକ କଳର ଆଉଏକ ଅସହାୟତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।