ଭୁବନେଶ୍ବର: ରାଜ୍ୟରେ ଆଉ ୨ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିବା ଜଣାଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ଯେ ରାଜ୍ୟ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ୨ ଜଣଙ୍କ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର ହୋଇଥିବା ବେଳେ ଆଉ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣା ପଡିଛି l
ଏହା ଅନୁଗୁଳ ଜିଲ୍ଲାର ପ୍ରଥମ କରୋନାଜନିତ ମୃତ୍ୟୁ ମାମଲା । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଛି। କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ରୋଗୀଙ୍କ ମୃତ୍ୟୁ ଘଟିଥିଲା।ଗଞ୍ଜାମ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ ଏବଂ ଅନୁଗୁଳ ଜିଲ୍ଲାର ୫୭ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଏଥି ପାଇଁ ଦୁଃଖିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।
ଗତ ୨୪ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ହେତୁ ଓଡ଼ିଶାରେ ଏହି ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ଏବଂ ଚିକିତ୍ସାରେ ଥିବା ଅନ୍ୟ ଜଟିଳତା ହେତୁ ୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲାରୁ ଦୁଇଟି ମୃତ୍ୟୁ ମାମଲା ରୁଜୁ ହୋଇଥିଲା।