ପୁରୀ :ସୋମବାର ସୁଦ୍ଧା ରଥଖଳାରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ମୋଟ ୪୨ଟି ଯାକ ଚକର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏଥିସହ ଆରମ୍ଭ ହୋଇଛି ମୁଁହାଟ ନିର୍ମାଣ କାର୍ଯ୍ୟ । ଆଜି ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ରବିବାର ଠାରୁ ୩ରଥର ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତାଳଧ୍ୱଜ ରଥର ୯ଟି, ଦର୍ପଦଳନ ରଥର ୭ଟି ଓ ନନ୍ଦିଘୋଷ ରଥର ୯ଟି ଦଣ୍ଡା ମଧ୍ୟରୁ ପ୍ରତ୍ୟେକ ରଥର ୫ଟି ଲେଖାଏଁ ଦଣ୍ଡା ଚଉପଟ ହୋଇଥିବାବେଳେ ସାଲ କାର୍ଯ୍ୟ ବାକି ରହିଛି । ରୂପକାର ସେବକମାନେ ଗୁଜମାନଙ୍କରେ ଖୋଦେଇ କାର୍ଯ୍ୟ କରୁଛନ୍ତି ।
୩ରଥର ଗୁଜମାନଙ୍କରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ୭୫ଭାଗ ଶେଷ ହୋଇଥିବା ବେଳେ ସୋମବାର ତାଳଧ୍ୱଜ ରଥର ସମସ୍ତ ଗୁଜରେ ସିଂହବିରାଳ ରୂପ ଖୋଦେଇ ତଥା ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ପ୍ରତି ରଥରେ ୮ଟି ଲେଖାଏଁ ନାଟଗୋଡ ରହିଥାଏ । ରଥର ଦ୍ୱାରବେଢ଼ାରେ ୨ଟି ଲେଖାଏଁ ନାଟଗୋଡ ଲାଗିଥାଏ । ଆଜି “ନାଟଗୋଡ”ର ସାଲ କାମ ଆରମ୍ଭ ହୋଇଛି । ସାଲ ହୋଇସାରିବା ପରେ ସେଥିରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କରିବେ । ରଥଖଳାରେ ୩ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦୋଳବେଦୀ ପରିସରରେ କରତି ସେବକଙ୍କ ଦ୍ୱାରା ପୋଲା ଗୟଳ ଓ ଛନ୍ଦାଗୟଳ କାର୍ଯ୍ୟ ଚାଲିଛି ।
ପ୍ରତି ରଥରେ ୪ଟି ଲେଖାଏଁ ମୁଁହାଟ ଲାଗିଥାଏ । ପ୍ରତି ରଥରେ ଗୋଟିଏ ଆଗ ମୁଁହାଟ, ଗୋଟିଏ ପଛ ମୁଁହାଟ ଓ ୨ଟି ପାଶ୍ୱର୍ ମୁଁହାଟ ଦଣ୍ଡାରେ ଲାଗିଥାଏ । ରବିବାର ଚଉପଟ ସରି ଆଜି ପୋଲା ଗୟଳର ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳବେଦୀ ପରିସରରେ ସ୍ଥାପିତ ଅସ୍ଥାୟୀ ଶାଳରେ ଓଝା ମହାରଣା ସେବକମାନେ ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା ଓ ଗୋଡିଛାଲର ପ୍ରସ୍ତୁତି ଚାଲଛି । ଗୋଡିଛାଲ କଣ୍ଟା ରଥର ଗର୍ଭଗୃହ ଉପରି ଭାଗରେ ଲାଗିଥାଏ । ଏହା ୧୩ ଥାକିଆ ବା ପଟଳ ବିଶିଷ୍ଟ । ପ୍ରତ୍ୟେକ ପଟଳରେ ୨୫ରୁ ୪୦ଟି କଣ୍ଟା ଲାଗେ । ତେଣୁ ୩ରଥ ପାଇଁ ଆବଶ୍ୟକତା ଅନୁଯାୟୀ କଣ୍ଟା ତିଆରି ଚାଲିଛି ।