Odisha news

ବେସରକାରୀ କଲେଜ ଓ ବିଲ୍ ପ୍ରତିସ୍ୱାକ୍ଷର ବ୍ୟବସ୍ଥା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ୧୯୬୯ ମସିହା ଓ ତାର ପୂର୍ବବର୍ତ୍ତୀ ପରିସ୍ଥିତିରେ ବେସରକାରୀ ଶିକ୍ଷାନୁଷ୍ଠାନରେ ଚାକିରି ତାଳଗଛ ଛାଇ ସଦୃଶ ଥିଲା । ଯାହାଫଳରେ ସକାଳେ ଥିବା ଚାକିରି ସଞ୍ଜ ବେଳକୁ ନଥିଲା । ଶିକ୍ଷକମାନେ ଗୋତି ଶ୍ରମିକ ଠାରୁ ଅହୁରି ହୀନ ଅବସ୍ଥାରେ ଥିଲେ । ଏଭଳି ଦୟନୀୟ ସ୍ଥିତିରୁ ଶିକ୍ଷକମାନଙ୍କୁ ଉଦ୍ଧାର କରିବା ପାଇଁ ପୂଜ୍ୟ ବନମାଳୀ ବ୍ରହ୍ମଚାରୀ, ଅଧ୍ୟାପକ ଅବନୀ ବରାଳ ଓ କୈଳାସ ମହାପାତ୍ରଙ୍କ ଆହ୍ୱାନରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ ଓ କଲେଜ ଶିକ୍ଷକ ସଂଘକୁ ନେଇ ୨୭.୭.୧୯୬୯ ମସିହାରେ ଖ୍ରୀଷ୍ଟ କଲେଜ ପରିସରରେ ମିଳିତ ଶିକ୍ଷକ କାର୍ଯ୍ୟାନୁଷ୍ଠାନ କମିଟି ଗଠିତ ହେଲା ।ପରବର୍ତ୍ତୀ ପର୍ଯ୍ୟାୟରେ ି ୧୯୭୧ ମସିହା ପବିତ୍ର ଗୁରୁଦିବସ ଦିନ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଠାରେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ ଗଠନ ହେଲା ।

ଏହାର ସଭାପତି ଭାବେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଓ ସାଧାରଣ ସମ୍ପାଦକ ଭାବେ ଅଧ୍ୟାପକ ଅବନୀ ବରାଳ ନିର୍ବାଚିତ ହୋଇଥିଲେ । ଏହା ଥିଲା ଶିକ୍ଷକ ସଂଗଠନ ଇତିହାସର ମାଇଲଖୁଣ୍ଟ । ଏମାନଙ୍କ ନେତୃତ୍ୱ ଓ ଅନ୍ୟାନ୍ୟ ଆଗଧାଡିର ଶିକ୍ଷକ ନେତାମାନଙ୍କ ନିରନ୍ତର ପ୍ରଚେଷ୍ଟା ବଳରେ ନିଖିଳ ଉକ୍ରଳ ଶିକ୍ଷକି ମହାସଂଘ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକ ସଂଗ୍ରାମୀ ଗଣ ଅନୁଷ୍ଠାନରେ ପରିଣତ ହୋଇଥିଲା । ଶିକ୍ଷକ ମହାସଂଘ ପକ୍ଷରୁ ଧାରାବାହିକ ଭାବେ ଓ ବିଶେଷ କରି ୧୯୬୯, ୧୯୭୪, ୧୯୮୪, ୧୯୮୯ ମସିହାର ଆନେ୍ଦାଳନ ଫଳସ୍ୱରୂପ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀମାନେ ି ୧୯୬୯ ମସିହା ପ୍ରଥମ ଶିକ୍ଷା ଆଇନ ସହ ଚାକିରି ନିରାପତ୍ତା, ଅବସରକାଳୀନ ସୁବିଧା, ମଧ୍ୟ ଇଂରାଜୀ ଓ ମାଧ୍ୟମିକ ବିଦ୍ୟାଳୟର ସରକାରୀକରଣ ଓ ୟୁଜିସି ବେତନ ସଂଶୋଧନ ସୁବିଧା ପାଇଲେ । ଏସବୁ ଭିତରେ ୧୯୭୪ ମସିହାରେ ଶିକ୍ଷକ ସମାଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ।

ଏସବୁତ୍ତ୍ୱେ ଅଧ୍ୟାପକ କର୍ମଚାରୀ ମାନଙ୍କର ସମସ୍ୟାର ଅନ୍ତ ହୋଇପାରି ନାହିଁ । ଏବେବି ଅଧ୍ୟାପକ ଓ ଶିକ୍ଷକ ମାନେ ସମସ୍ୟାରେ ଜର୍ଜରିତ । ଗୋଟିଏ ବୃତ୍ତିରେ ଥାଇ ସମାନ ଯୋଗ୍ୟତା ଥାଇ ସେମାନଙ୍କ ବେତନରେ ଆକଶ ପାତାଳ ଫରକ ରହିଛି । ଶିକ୍ଷା ବ୍ୟବସ୍ଥାରେ ପୁଣି ଜାତିଭେଦ । ଏଠି କିଏ ପାରାଶିକ୍ଷକ, କନିଷ୍ଠଶିକ୍ଷକ, ଚୁକ୍ତିବଦ୍ଧ ଶିକ୍ଷକ, ଗଣଶିକ୍ଷକ ତ ଆଉ କିଏ ନିୟମିତ ଶିକ୍ଷକ । ସେଥିରେ ପୁଣି ସରକାରୀ ନୂତନ ଭାବେ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲ । କଲେଜ ମାନଙ୍କରେ ସେମିତି ମାନେଜମେଣ୍ଟ ଷ୍ଟାପ , ବ୍ଲକ୍ଗ୍ରାଣ୍ଟ, ପୂର୍ଣ୍ଣଅନୁଦାନ ପ୍ରାପ୍ତ, ବୈଧିକୃତ, ରାଜ୍ୟବେତନ, ୟୁଜିସିବେତନ ପ୍ରାପ୍ତ ଅଧ୍ୟାପକ ରହିଛନ୍ତି ।

ପୁଣି ଅଛନ୍ତି ଏସ୍ଏସ୍ବି ଅଧ୍ୟାପକ । କଲେଜ ପୁଣି ସରକାରୀ ଓ ବେସରକାରୀ । ବେସରକାରୀରେ ୨୫୫ ବର୍ଗ ,୨୩୩ ବର୍ଗ ଓ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ଅଛନ୍ତି । ଏମାନଙ୍କ ମଧ୍ୟରେ ଚାକିରି ସର୍ତାବଳୀ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ।କାହାର ପେନ୍ସନ୍ ସୁବିଧା ଅଛିତ କାହାର ନାହିଁ । ବିଚରା ମାଷ୍ଟ୍ର ବୋଲି ିସିନା! ପ୍ରତିବାଦ କରିବାର ‘ଯୁ’ ବି ନାହିଁ । ସେଥିପାଇଁ ଦାବି ପୁରଣ ନିମନ୍ତେ ବେଳେ ବେଳେ ରାଜ ରାସ୍ତାକୁ ଯାଆନ୍ତି ସେମାନେ । ସେମାନେ ପୁଣି ଜାତି ନିର୍ମାତା । ଶ୍ରେଣୀ ଗୃହରେ ଦେଶର ଭବିଷ୍ୟତ ଗଠନ କରନ୍ତି । ଏହା ଠାରୁ ଭଳି କ୍ଷୋଭର ବିଷୟ ଆଉ କ’ଣ ଥାଇପାରେ?

ଏଠାରେ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରସଙ୍ଗ ଆଲୋଚନା ପରିସରକୁ ନିଆଯାଇଛି । ଏଠାରେ ଦରମା ବ୍ୟବସ୍ଥା ଅଲଗା ।ସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ମାନେ ଠିକ୍ ସମୟରେ ଦରମା ପାଆନ୍ତି । ସେମାନଙ୍କ ଅଧ୍ୟକ୍ଷଙ୍କ ଦସ୍ତଖତରେ ଦରମା ବିଲ୍ ସିଧାସଳଖ ଟେଜେରୀକୁ ଯାଇ ମିଳିଥାଏ ।କିନ୍ତୁ ବେସରକାରୀ କଲେଜ କଥା ସମ୍ପୂର୍ଣ୍ଣ ଅଲଗା । ସେମାନେ ଆଲଟମେଣ୍ଟ ଥିଲେ ଦରମା ପାଆନ୍ତି ନହଲେ ନାହିଁ । ଆଲଟମେଣ୍ଟ ପ୍ରତି ତିନି ମାସରେ ଥରେ ଆସିଥାଏ ।

ଏମିତି ବର୍ଷକୁ ଚାରି ଥର ଆସେ । ବେସରକାରୀ କଲେଜର ଅଧ୍ୟକ୍ଷ ମାନଙ୍କୁ ଦରମା ଉଠାଣର କ୍ଷମତା ଦିଆଯାଇଥିଲେ ମଧ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ସିଧା ସଳଖ ଦରମା ପାଇ ପାରନ୍ତି ନାହିଁ । ପ୍ରତି ମାସର ଦରମା ବିଲ୍ ପ୍ରତିସ୍ୱାକ୍ଷର ପାଇଁ ଉପଜିଲ୍ଲାପାଳଙ୍କ ପାଖକୁ ଆସିଥାଏ । ଏହା ସାରା ଓଡିଶାର ଚିତ୍ର । ଉପଜିଲ୍ଲାପାଳଙ୍କ ପ୍ରତିସ୍ୱାକ୍ଷର ପରେ ବିଲ୍ ଟେଜେରିକୁ ଯାଇଥାଏ ।ଉପଜିଲ୍ଲାପାଳ ମାନେ ତାଙ୍କ ମର୍ଜିରେ ବିଲ୍ରେ ପ୍ରତି ସ୍ୱାକ୍ଷର କରନ୍ତି । ଫଳରେ ଆଲମେଣ୍ଟ ଥାଇବି ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଦରମା ପାଇବା ବେଳକୁ ପରମାସର ପ୍ରଥମରୁ ଦ୍ୱିତୀୟ ସପ୍ତାହ ଏପରିକି ଦ୍ୱିତୀୟରୁ ତୃତୀୟ ସପ୍ତାହ ମଧ୍ୟ ଲାଗିଯାଏ । ଏଥିପାଇଁ ଅଧ୍ୟାପକ ଓ କର୍ମଚାରୀ ଦରମାକୁ ଚାହିଁ ଚାହିଁ ଆଖିପାଣି ଆଖିରେ ରହିଯାଏ । କାହାକୁ ଗୁହାରି କରିବେ ସରକାରୀ ବ୍ୟବସ୍ଥା ହିଁ ପରୋକ୍ଷରେ ଦରାମା ବିଳମ୍ବର କାରଣ ହୋଇଥାଏ ।

ଯଦିଓ ଦରମା ବିଲ୍ ଉପଜିଲ୍ଲାପାଳଙ୍କ ପାଖରେ ଦୁଇରୁ ତିନି ଦିନ ଭିତରେ ପ୍ରତିସ୍ୱାକ୍ଷର ହେବାର ବିଧାନ ରହିଛି ତଥାପି ବିଭିନ୍ନ ଆଳ ନେଇ ଉପଜିଲ୍ଲାପାଳ ମାନେ ବିଲ୍ ପ୍ରତିସ୍ୱାକ୍ଷର କରିବାରେ ବିଳମ୍ବ କରିଥାନ୍ତି । ଏପରିକି ଉପଜିଲ୍ଲାପାଳଙ୍କ ପାଖରେ ବିଲ୍ ଦଶ ପନ୍ଦର ଦିନ ଅଟକି ଯିବାର ନଜିରି ରହିଛି । ଏଥିପାଇଁ ସାରା ରାଜ୍ୟର ଅଧ୍ୟପକ ଓ କର୍ମଚାରୀମାନେ ବିଭିନ୍ନ ସମୟରେ ଶିକ୍ଷକ ସଂଗଠନ ନେତୃମଣ୍ଡଳୀଙ୍କ ପାଖରେ ଏପ୍ରସଙ୍ଗକୁ ଉପସ୍ଥାପିତ କରିଥାନ୍ତି । ଏପ୍ରସଙ୍ଗରେ ଶିକ୍ଷକ ନେତୃତ୍ୱ ବିଭାଗୀୟ ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ନିଦେ୍ର୍ଦଶକ ସହ ବିଗତ ଦିନରେ ଅନେକ ଥର ଆଲୋଚନା କରିଛନ୍ତି ।ଆଶ୍ୱାସନା ମଧ୍ୟ ପାଇଛନ୍ତି ।

କିନ୍ତୁ ଯେଉଁ କଥାକୁ ସେଇ କଥା ।ଏପର୍ଯ୍ୟନ୍ତ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହୋଇନାହିଁ । ଦରମା ପାଇବାରେ ଏଅହେତୁକ ବିଳମ୍ବର ମୁଖ୍ୟ କାରଣ ହେଉଛି ଆଲଟମେଣ୍ଟ ବ୍ୟବସ୍ଥା ।ଯଦି ଏକାଥରେ ଆଲଟମେଣ୍ଟ ବର୍ଷକର ଆସନ୍ତା ତାହାଲେ ଦରମା ବିଳମ୍ବର ଅଧେ ସମସ୍ୟା ସମାଧାନ ହୋଇଯାଆନ୍ତା । ସେହିପରି ବିଲ୍ ପ୍ରତିସ୍ୱାକ୍ଷର କରିବା ପାଇଁ ଉପଜିଲ୍ଲାପାଳମାନେ ଯଦି ଦିନେ ଦୁଇ ଦିନ ଭିତରେ ପ୍ରତିସ୍ୱାକ୍ଷର କରିବାରେ ଆନ୍ତରିକତା ଦେଖାନ୍ତେ ତାହାଲେ ଆଉ ଅଧେ ସମସ୍ୟା ସମାଧାନ ହୋଇପାରନ୍ତା ।

ଅବଶ୍ୟ ଆମ ରାଜ୍ୟର ଅଧିକାଂଶ ଉପଜିଲ୍ଲାପାଳ ବିଲ୍ ପ୍ରତିସ୍ୱାକ୍ଷର କରିବାରେ ସହୃଦୟତା ଦେଖାଇଥାନ୍ତି ।ସେମାନେ ପ୍ରକୃତରେ ପ୍ରଶଂସାର ପାତ। କିନ୍ତୁ କତିପୟ ଉପଜିଲ୍ଲାପାଳ ତାଙ୍କ ମନମାନିରେ ବିଲ୍ ଦସ୍ତଖତ କରିଥାନ୍ତି । ତେଣୁ ବିଲ୍ ପ୍ରତିସ୍ୱାକ୍ଷରରେ ଏହି ଇଛାକୃତ ବିଳମ୍ବ ଅଧ୍ୟାପକ ମାନଙ୍କ ପାଇଁ ଅସନ୍ତୋଷର କାରଣ ହୋଇଥାଏ । ଏପରିକି କଲେଜର ଆନୁସଙ୍ଗିକ କାମରେ ଯତେବେଳେ ଉପଜିଲ୍ଲାପାଳ ମାନେ ପରିଚାଳନା କମିଟିର ସଭାପତି ଥାନ୍ତି ସେତେବେଳେ ମଧ୍ୟ ଅନୁରୂପ ଅବସ୍ଥା ।ଯାହା ଫଳରେ ତାଙ୍କୁ ସାକ୍ଷାତ କରିବା ପାଇଁ ପୂର୍ବରୁ ବାରମ୍ବାର ଯୋଗାଯୋଗ କରାଯାଇଥାଏ ।

ଏପରିକି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ମଧ୍ୟ ଦିନ ଦିନ ଧରି ଥୁଆହୋଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ଏମିତି ଅନେକ ଉଦାହରଣ ଅଛି ଯେଉଁଠି ଉପଜିଲ୍ଲାପାଳ ମାନେ କଲେଜର ଉନ୍ନତି ପାଇଁ ବେଶ୍ ଯତ୍ନଶୀଳ ହୋଇଥାନ୍ତି ।ଏହା ପରୋକ୍ଷରେ କଲେଜର ବିକାଶକୁ ତ୍ୱରାନ୍ନିତ କରିଥାଏ । ସେଭଳି କ୍ଷେତ୍ରରେ ଉପଜିଲ୍ଲାପାଳ ମାନେ ଅଧ୍ୟାପକମାନଙ୍କ ଠାରୁ ବାହାବା ସାଉଁଟିଥାନ୍ତି । ଏପରିକି ଗଲାବେଳେ ଅଧ୍ୟାପକ ମାନଙ୍କ ଠାରୁ ଉଚ୍ଚ ପ୍ରଶଂସା ପାଇଥାନ୍ତି । କାରଣ ଭଲକାମକୁ ପ୍ରଶଂସା କରିବାରେ ଅଧ୍ୟାପକମାନେ ମାହିର । କାରଣ ସେମାନେ ଜାଣନ୍ତି ପ୍ରଶଂସାର ମୂଲ୍ୟ ।
ଜୀବନ ପାଇଁ ଜୀବିକା ।

ପେଟକୁ ଦାନା ପ୍ରଥମେ ଦରକାର । ବେତନ ଠିକ୍ ସମୟରେ ମିଳିଲେ କର୍ତ୍ତବ୍ୟ ସମ୍ପାଦନରେ ଆଗ୍ରହ ବଢିବ । ତେଣୁ ଏଦିଗ ପ୍ରତି ଅବହେଳା କଲେ ଚଳିବ ନାହିଁ ।କାରଣ ଶିକ୍ଷାନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା ଏହାର ମୁଖ୍ୟ କାରିଗର ହେଉଛନ୍ତି ଶିକ୍ଷକ ବା ଅଧ୍ୟାପକ । ସେଥିପାଇଁ ଜର୍ମାନୀ ପରି ଆଉ କେତେକ ଦେଶରେ ଶିକ୍ଷକମାନଙ୍କ ବେତନ ସବୁଠୁ ବେଶି । ସେମାନଙ୍କ ଠାରୁ ଆମକୁ ଅନେକ ଶିଖିବାର ଅଛି । ନିକଟରେ ଆମ ଦେଶରେ ସେପ୍ଟେମ୍ବର ୫ ତାରିଖକୁ ଶିକ୍ଷକ ଦିବସ ରୂପେ ପାଳନ କରାଯାଇଛି । ସେହିପରି ଅକ୍ଟୋବର ୫ ତାରିଖରେ ବିଶ୍ୱ ଶିକ୍ଷକ ଦିବସ ପାଳନ ହୋଇଛି ।

ଏହି ଗୋଟିଏ ଗୋଟିଏ ଦିନ ଗୁରୁଦିବସ ପାଳନକରି ତାଙ୍କର ପୂଜାର୍ଚ୍ଚନା କରିଦେଲେ ଚଳିବ ନାହିଁ । ବର୍ଷକ ୩୬୫ ଦିନ ଶିକ୍ଷକ ମାନଙ୍କର କଥା ଚିନ୍ତା କରିବାର ଅଛି । ତିନି ମାସିଆ ଆଲଟମେଣ୍ଟ ପରିର୍ତ୍ତେ ବର୍ଷିକିଆ ଆଲଟମେଣ୍ଟ କରିବାକୁ ଅଗ୍ରାଧିକାର ଦିଆଯିବା ଉଚିତ । ଏଥିସହିତ ବିଲ୍ ପ୍ରତିସ୍ୱାକ୍ଷର ବ୍ୟବସ୍ଥାକୁ ବାତିଲ କରି ଦରମା ପାଇଁ ଅଧ୍ୟକ୍ଷଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯିବା ଦରକାର । ସର୍ବୋପରି ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ପରି ଦରମା ନିୟମିତ ଓ ନିର୍ଦ୍ଧାରିତ ତାରିଖରେ ମିଳିବା ଉଚିତ୍ । ଏଦିଗରେ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଚିନ୍ତା କରିବାର ସମୟ ଆସିଛି । ସେହିପରି ବିଲ୍ ପ୍ରତି ସ୍ୱାକ୍ଷର କରିବାର ବ୍ୟବସ୍ଥା ଉଚ୍ଛେଦ ହେବା ଦରକାର । ସେ ସୁଦିନକୁ ଅପେକ୍ଷା!

Nalco
Leave A Reply