Odisha news

ସିଏମସି ଯନ୍ତ୍ରୀଙ୍କ ଅର୍ଥ ହଡ଼ପ ମସୁଧା ବିଫଳ; ତଦନ୍ତ ପରେ ବିଲ ହେବନାହିଁବୋଲି କହିଲେ ଉଚ୍ଚ କର୍ତ୍ତୃପକ୍ଷ

0

ଫୁଲନଖରା : ସିଏମସିରେ କାର୍ଯ୍ୟରତ ଯନ୍ତ୍ରୀ, ୱାର୍କସରକାର, ଠିକାଦାର ଓ ସ୍ଥାନୀୟ ଅଞ୍ଚଳର ଜନୈକ ପୂର୍ବତନ କର୍ପୋରେଟରଙ୍କ ମିଳିତ ଉଦ୍ୟମରେ ମିଥ୍ୟା ବିଲ କରି ଅର୍ଥ ହଡ଼ପ ମସୁଧା ଶେଷରେ ଫସର ଫାଟିଛି । ଏ ନେଇ ଗଣମାଧ୍ୟମରେ ଖବର ବାହାରିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପରେ ଏହା ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିଲା । ଘଟଣାରୁ ପ୍ରକାଶ ଯେ, ସଦର ଥାନା ଅଧିନ ଗୋପାଳପୁର ପୁରୁଣା ଟୋଲଗେଟଠାରୁ ବାଲିକୁଦା କମାରସାହି ପର୍ଯ୍ୟନ୍ତ ଥିବା ଡ୍ରେନକୁ ବର୍ଷା ଦିନ ପୂର୍ବରୁ ସଫା କରିବାକୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ।

ଲୋକମାନଙ୍କ ଦାବିକୁ ସମ୍ମାନ ଦେଇ ସମ୍ପୃକ୍ତ ସଂସ୍ଥା ଏସଜେଇପିଏଲ ଉକ୍ତ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର କିଛି ଦିନ ପରେ କଟକ ମହାନଗର ନିଗମର ଜନୈକ ୱାର୍କସରକାର ଓ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମହିଳା ଗୋଷ୍ଠୀର ସଦସ୍ୟା ଉକ୍ତ କାର୍ଯ୍ୟର ଫଟୋ ଉଠାଇବାରୁ ଏହାକୁ ଲୋକେ ବିରୋଧ କରିଥିଲେ । ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସିଏମସି କମିଶନର ଅନନ୍ୟା ଦାସ ଉକ୍ତ ଘଟଣାର ତଦନ୍ତ ପାଇଁ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଆଜି ସିଏମସିର ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁ, ସହକାରୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଅମିତ ମହାନ୍ତି ପ୍ରମୁଖ ଗୋପାଳପୁରରେ ପହଞ୍ଚô ଡ୍ରେନ ସଫେଇ କାର୍ଯ୍ୟର ଅନୁଧ୍ୟାନ କରି ଏହା ସିଏମସି କାର୍ଯ୍ୟ ନୁହେଁ ଏବଂ ଏ ବାବଦରେ ଆଦୌଁ ବିଲ ହେବନାହିଁବୋଲି ଉପସ୍ଥିତ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ।

ସୂଚନାଯୋଗ୍ୟ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି କାର୍ଯ୍ୟକୁ କରୁଥିଲାବେଳେ ସିଏମସିର କିଛି ଅସାଧୁ କର୍ମଚାରୀ, ଯନ୍ତ୍ରୀ, ଠିକାଦାର ଓ ସ୍ଥାନୀୟ ଅଞ୍ଚଳର ଜନୈକ ପୂର୍ବତନ କର୍ପୋରେଟର ମିଳିତ ହୋଇ ଉକ୍ତ ଉପରେ ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରିବାକୁ ହୀନ ଚକ୍ରାନ୍ତ କରୁଥିଲେ । ଏହା ବିଷୟରେ ଗଣମାଧ୍ୟମରେ ସବିଶେଷ ଖବର ପ୍ରକାଶିତ ହେବାରୁ ସେମାନଙ୍କ ଚକ୍ରାନ୍ତ ବିଫଳ ହେଲା । ତେବେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ହେଉଥିବା କାର୍ଯ୍ୟ ଉପରେ ସିଏମସି ଯନ୍ତ୍ରୀ କିପରି ଏଷ୍ଟିମେଟ କରି କାର୍ଯ୍ୟାଦେଶ ଦେଲେ ଏହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲାବେଳେ ଏହାର ଏକ ବିଧିବଦ୍ଧ ତଦନ୍ତ କରାଯିବାକୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

 

Leave A Reply