ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ ଅଗଷ୍ଟ -ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବଲାଙ୍ଗୀର ଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆସିପାରିବ ।
ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୀମଭୋଇ ସାରା ଜଗତକୁ ମାନବ ଧର୍ମର ବାର୍ତା ଦେଇଥିଲେ । ତାଙ୍କ ଆଦର୍ଶରେ ସମାଜ ପାଇଁ କିଛି ଅବଦାନ ରଖିବା ଓ ସମାଜର ଅବହେଳିତ ବର୍ଗର ଲୋକଙ୍କ ସଶକ୍ତିକରଣ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରୀ ରହିଛି । ୨୦୦୦ ମସିହାରେ ରାଜ୍ୟର ସମୁଦାୟ ଏମବିବିଏସ୍ ଆସନ ସଂଖ୍ୟା ୩୨୧ ଥିବାବେଳେ କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଭୀମ ଭୋଇ ମେଡିକାଲ କଲେଜର ଲୋକାର୍ପଣ ପରେ ଏହି ଆସନ ସଂଖ୍ୟା ୯୫୦କୁ ବୃଦ୍ଧି ପାଇଛି । ଆସନ୍ତା ମାସରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଲୋକାର୍ପିତ ହେବା ପରେ ରାଜ୍ୟ ଏମବିବିଏସ୍
ଆସନ ସଂଖ୍ୟା ୧୦୫୦କୁ ଟପିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ନିଜ ବୃତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକମାନଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିପାରିବ ।
ସୂଚନାଯୋଗ୍ୟ ଯେ ଭୀମଭୋଇ ମେଡିକାଲ କଲେଜ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୧୨୨ କୋଟି ଟଙ୍କା ଓ କେନ୍ଦ୍ର ସରକାର ୬୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ହସ୍ପିଟାଲ ନିର୍ମାଣ ପାଇଁ ୧୧୩ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ୮୩ କୋଟି ଟଙ୍କା ଓ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଧ୍ୟ ଯୋଗାଇ ଦେଇଛନ୍ତି । ଏହାସହିତ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଅଧ୍ୟାପକ ଓ ଡାକ୍ତରଙ୍କ ଦରମା ଓ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।