କଣିହାଁ : କଣିହାଁ ବ୍ଲକ ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ(ଏଆଇଏମଏମଏସ) ପକ୍ଷରୁ ପ୍ରବାସି ଶ୍ରମିକ, ମହିଳା ଓ ଶିଶୁ ମାନଙ୍କ ଉପଯୁକ୍ତ ସୁରକ୍ଷା ସମେତ ୯ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କମିଟି ପକ୍ଷରୁ ପ୍ରଗତି ନାୟକ, ମାନସୀ ସ୍ୱାଇଁ, ନିର୍ମଳା ପ୍ରଧାନ, ସରପଂଚ ଯେମାମଣୀ ନାଏକ ପ୍ରମୁଖ ବୁଧବାର କଣିହାଁ ବ୍ଲକକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୯ଦଫା ଦାବୀ ସମ୍ବଳିତ ଦାବି ପତ୍ର କଣିହାଁ ବିଡିଓ ରମେଶ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ । କରୋନା ଜନିତ ତାଲାବନ୍ଦ ଯୋଗୁଁ ରାଜୂ ବାହାରେ ବିଭିନ୍ନ ଶିଳ୍ପ କଳାକାରଖାନାରେ କାମକରୁଥିବା ଶ୍ରମିକମାନେ କାମଧନ୍ଦା ନପାଇ ଗାଁକୁ ଫେରୁଛନ୍ତି । ସେମାନଙ୍କର ଫେରିବା ପାଇଁ କୌଣସି ବନେ୍ଦାବସ୍ତ ନଥିବାରୁ ଲକ୍ଷଲକ୍ଷ ଶ୍ରମିକ ଚାଲି ଚାଲି ଅତି ଦୟନୀୟ ଭାବରେ ଫେରୁଛନ୍ତି ।
ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପୁଜୁଥିବା ଯୋଗୁଁ କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବାସହ ଶ୍ରମିକ ସମସ୍ତ ସମସ୍ୟା ସମାଧାନ ପାଇଁ କମିଟି ଦାବୀ କରିଛି । ଦାବୀ ମଧ୍ୟରେ ପ୍ରବାସି ଶ୍ରମିକ, ମହିଳା ଓ ଶିଶୁମାନଙ୍କରନିରାପଦ ପ୍ରତ୍ୟାବର୍ତନ,ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ଚିକିତ୍ସା ଓ ଆଶ୍ରୟସ୍ଥଳ ଯୋଗାଇଦେବା, ସେମାନଙ୍କ ଉପରେ ହେଉଥିବା ଅମାନବୀୟ ବ୍ୟବହାର ବନ୍ଦ କରିବା, ସମସ୍ତ ମହିଳା ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ମଦ ବିକ୍ରି ସଂପୁର୍ଣ୍ଣ ବନ୍ଦ କରିବା, ଘରୋଇ ହିଂସା ବନ୍ଦ କରିବା, ଶ୍ରମ ଦିବସ ଦୈନିକ ୮ଘଂଟାରୁ ୧୨ ଘଂଟା କରିବା ବନ୍ଦ କରିବା, ଅମ୍ପାନ୍ ବାତ୍ୟାରେ ସମସ୍ତ କ୍ଷତିଗ୍ରସ୍ତକ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରିବା ଇତ୍ୟାଦି ଅର୍ନ୍ତର୍ଭୁକ୍ତ ଅଟେ ।