ଭୁବନେଶ୍ବର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟା ର ଗତି ଜଟିଳ। ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ ହୋଇଥାଏ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ।
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ଏନ୍ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ। ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସ୍ବତନ୍ତ୍ର ରିଲିଫ କମିସନର ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି। ୧୭ଟି ଏନଡିଆରଏଫ ଓ ୨୦ଟି ଓଡ୍ରାଫ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂସଲ, ଉନ୍ନୟନ କମିସନର (ଜଳସଂପଦ) ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ସଂଜୟ ସିଂ, କୃଷି ବିଭାଗ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ।