Odisha news

ଚରଣଜୀତ୍‌ ସିଂହ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ

ଚଣ୍ଡୀଗଡ଼: ଆଜି ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍‌ ସାହିବ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ୫୮ ବର୍ଷୀୟ ଚରଣଜୀତ୍‌ ସିଂହ ଚନ୍ନୀ ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବର ରାଜ୍ୟପାଳ ବନ୍‌ୱାରିଲାଲ୍‌ ପୁରୋହିତ ତାଙ୍କୁ ପଦ ଓ‌ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ତାଙ୍କ ପରେ ରାଜ୍ୟପାଳ ପୁରୋହିତ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ଓ. ପି. ସୋନିଙ୍କୁ ମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି।

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍‌ ସିଂହ ସିଦ୍ଧୁ ଚରଣଜୀତ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ୍‌ ଗାନ୍ଧୀ ଉକ୍ତ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ।

ଚରଣଜୀତ୍‌ ରାଜଭବନରେ ପହଞ୍ଚିବା ପୂର୍ବରୁ ଡିଜିପି ଦିନକର ଗୁପ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ରାଜଭବନରେ ପହଞ୍ଚିଥିଲେ।

ଆଜି ସକାଳେ ଚରଣଜୀତ୍‌ ସିଂହ ଚନ୍ନୀ ରୂପନଗରସ୍ଥିତ ଗୁରୁଦ୍ବାରକୁ ଯାଇ ପ୍ରାର୍ଥନା କରିଥିଲେ। କଂଗ୍ରେସ ବିଧାୟକ କୁଳଦୀପ ସିଂହ ବୈଦ କହିଛନ୍ତି ଯେ, ହରିଶ ରାୱତ୍‌ଙ୍କୁ ଭେଟିବା ପରେ ଚରଣଜୀତ୍‌ ରାଜଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଅପରାହ୍ଣରେ ସେ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହଙ୍କୁ ଭେଟିବେ।

ଦଳିତ ସମ୍ପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ୫୮ ବର୍ଷିୟ ଚରଣଜୀତ୍‌ ସିଂହ ଚନ୍ନୀ ଚମକୌର୍‌ ସାହିବ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ରେକର୍ଡରେ କୌଣସି କଳୁଷ ନ ଥିବା ଚନ୍ନୀ ମଧ୍ୟ ୨୦୧୫-୧୬ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍‌ରେ ସେ ଥିଲେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ।

Comments are closed.