ଭୁବନେଶ୍ୱର :-ମତ୍ସ୍ୟ, ପଶୁ ଓ ଗୋପାଳନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ଗବେଷଣା ପ୍ରତିଷ୍ଠାନ (ସିଫା) ରେ ଜଳକୃଷି ଉପରେ କାର୍ଯ୍ୟକରୀ ହେଉଥିବା ଗବେଷଣାତ୍ମକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା ଗତ ୯ ତାରିଖ ଦିନ କରିଥିଲେ । ପରିବେଶ ର ସୁରକ୍ଷା କୁ ଆଖି ଆଗରେ ରଖି ଉତମ ଉତ୍ପାଦନ ଗବେଷଣାରେ ସଫଳତା ପ୍ରାପ୍ତି ହାସଲ କରିବା ପାଇଁ ପୋଷଣୀୟ ପ୍ରଯୁକ୍ତି ବିଦ୍ୟା କୌଶଳର ବିକାଶ ପାଇଁ ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ୱ ଦେଇଥିଲେ । ପରୀକ୍ଷିତ ଜଳକୃଷିର ପ୍ରଯୁକ୍ତି କୌଶଳ କୃଷକ ମାନଙ୍କ ନିକଟରେ ଖୁବ୍ଶୀଘ୍ର ପହଂଚାଇବାକୁ ସିଫା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀ ଷଡ଼ଙ୍ଗୀ ବୈଜ୍ଞାନିକମାନଙ୍କ ସହ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ଗ୍ରାମାଂଚଳର ବେକାର ଯୁବକ ଯୁବତୀ ମାନଙ୍କୁ ଜଳକୃଷି ପ୍ରତି ଅଗ୍ରାହୀନ୍ୱିତ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇବାପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜି ପ୍ୟାକେଜ୍ ର ବିକାଶ କରିବା ପାଇଁ ସେ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗବେଷଣାର କାର୍ଯ୍ୟସ୍ଥଳ ଯଥା; ବାୟୋଫ୍ଲକ୍, ଟିଲାପିଆ ଚାଷ, ଜୟନ୍ତୀ ରୋହି, ଚିଙ୍ଗୁଡ଼ି, କାର୍ପ, ମାଇନର କାର୍ପ, ଆକ୍ୱାପୋନିକ୍ସ୍, ଶେଉଳ, ରଙ୍ଗୀନମାଛ ୟୁନିଟ୍, ମାଛଖାଦ୍ୟ ପ୍ରସ୍ତୁତି କାରଖାନା, କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ସହ ଆର.ଏ. ସିଷ୍ଟମ୍ରେ ଶେଉଳ ମାଛଚାଷ ୟୁନିଟ୍ ର ଉଦ୍ଘାଟନ୍ କରିଥିଲେ । ଏଥି ନିମନ୍ତେ ଆୟୋଜିତ ସଭାରେ ସେ ଯୋଗଦାନ କରି ସିଫାର କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିଲେ ଓ କୃଷକମାନଙ୍କ ଜ୍ଞାନବୃଦ୍ଧି ନିମନ୍ତେ ଓଡ଼ିଆରେ ପ୍ରକାଶିତ ୧୬ଗୋଟି ଲୋକପ୍ରିୟ ଜଳକୃଷି ପତି୍ରକା, ଗୋଟିଏ ଇ-ବୁକ୍ ଲେଟ୍ ଓ ‘ଆକ୍ସେନେବୁଲ୍ ଷ୍ଟ୍ରାଟେଜି
ଫର୍ ଇନ୍କି୍ରଜିଂ ଦି ଫ୍ରେସ୍ ୱାଟର ଆକ୍ୱାକଲଚର୍ ପ୍ରଡ଼କସନ୍ ଇନ୍ ଇଣ୍ଡିଆ’ ପୁସ୍ତକ ଉନ୍ମୋଚନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କର ପ୍ରଶ୍ନୋତର କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଓଡ଼ିଶାର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରେ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ବିଭାଗର ଯୁଗ୍ମ ସଚୀବ ଶ୍ରୀ ସାଗର ମେହେରା, ଡ଼ଃ ଜେ. ବାଲାଜି (ସାମୁଦି୍ରକ ମତ୍ସ୍ୟଚାଷ) ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ମୁଖ୍ୟକାର୍ଯ୍ୟ ନିର୍ବାହୀ ଡ଼ଃ ସି.ସୁବର୍ଣ୍ଣା ଓୟୁଏଟି ର କୁଳପତି, ଡ଼ଃ ପି.କେ ଅଗ୍ରୱାଲା ମତ୍ସ୍ୟ ପଶୁ ସଂପଦ କମିଶନର ଶ୍ରୀ ଆର୍ ରଘୁପ୍ରସାଦ ଯୋଗଦାନ କରି ସିଫାର ଗବେଷଣାତ୍ମକ କାର୍ଯ୍ୟାବଳୀର ଭୁୟସୀ ପ୍ରଶଂସା କରିଥିଲେ ।
ସିଫାର ନିଦେ୍ର୍ଦଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିଶଦ୍ ବିବରଣୀ ପ୍ରଦାନକରି କହିଥିଲେ ଯେ, କରୋନା ଭଳି ବିଶ୍ୱମହାମାରୀ ସମୟରେ ବି ସିଫା ହ୍ୱାଟସ୍ ଅପ୍ ଓ ଅନ୍ଲାଇନ୍ ଟ୍ରେନିଂ ମାଧ୍ୟମରେ କୃଷକମାନଙ୍କ ନିକଟତର ହୋଇଛି । ବର୍ତମାନ ସୁଦ୍ଧା ୨୩ଟି ଭର୍ଚୁଆଲ୍ ଟ୍ରେନିଂ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସଂପଦ ଯୋଜନା ର ସଫଳ ରୁପାୟନ ପାଇଁ ସିଫା ସର୍ବଦା ଚେଷ୍ଟିତ ବୋଲି ଡ଼ଃ ସ୍ୱାଇଁ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଡ଼ଃ ବି.ସି. ମହାପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

