ଚୀନ୍ରେ ‘କରୋନା’ର ଭୟାନକ ରୂପ : ଦୈନିକ ୧ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି, ମୃତ୍ୟୁ ସଂଖ୍ୟା ୫୦୦ ଟପିଲା ଆଉ ୮ଟି ହସ୍ପିଟାଲ୍ ନିର୍ମାଣ କରିବ ଉହାନ୍, ଚୀନ୍କୁ ସହାୟତାର ହାତ ବଢ଼ାଇଲେ ବିଶ୍ୱ ନେତା
ବେଜିଂ : କରୋନା ଭାଇରସ୍ ଯୋଗୁଁ ଚୀନ୍ରେ ମୃତ୍ୟୁସଂଖ୍ୟା ୫୦୦ ଅତିକ୍ରମ କରିଯାଇଥିବା ବେଳେ ଆହୁରି ୨୪, ୦୦୦ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ୧୦୦୦ରୁ ଅଧିକ ନୂଆ ଭାଇରସ୍ ସଂକ୍ରମଣ ମାମଲା ଆସୁଥିବା ସରକାର ସ୍ବୀକାର କରିଛନ୍ତି। ଭାଇରସ୍ କେନ୍ଦ୍ର ସ୍ଥଳ ଉହାନ୍ ସମେତ ଚୀନ୍ର ଅନ୍ୟ ୨୨ଟି ପ୍ରମୁଖ ସହରରେ କଡ଼ା କଟକଣା ଜାରି ହୋଇଛି। ଲକ୍ଷାଧିକ ଲୋକଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍ଥିତି ଭୟାନକ ରୂପ ନେଇଥିବାରୁ ଉହାନ୍ରେ ଏବେ ଚିକିତ୍ସା ପାଇଁ ହସ୍ପିଟାଲ୍ ବେଡ୍ର ଅଭାବ ଦେଖାଦେଲାଣି। ଯୁଦ୍ଧକାଳୀନ ଭିତ୍ତିରେ ଚୀନ୍ ମାତ୍ର ୮ ଦିନରେ ଗୋଟିଏ ହସ୍ପିଟାଲ୍ ନିର୍ମାଣ କରିଛି । ଆଉ ଗୋଟିଏ ହସ୍ପିଟାଲ୍ ନିର୍ମାଣାଧୀନ ଥିବାବେଳେ ଉହାନ୍ ପୁଣି ଆଉ ୮ଟି ହସ୍ପିଟାଲ୍ ନିର୍ମାଣ ପ୍ରୟାସ ଆରମ୍ଭ କରିଛି।
ଆଜି ବିଶ୍ବ ନେତାମାନେ ଚୀନ୍ରେ ଏଭଳି ଜଟିଳ ସ୍ବାସ୍ଥ୍ୟ ସଙ୍କଟ ପାଇଁ ଚିନ୍ତା ପ୍ରକଟ କରିବା ସହ ସମସ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଚୀନ୍ ଏହି ଭାଇରସ୍ କବଳରୁ ମୁକୁଳି ପାରିବ ଏବଂ ରୁଷିଆ ମଧ୍ୟ ଚୀନ୍କୁ ଏନେଇ ସବୁ ସହାୟତା କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ କରୋନା ଭାଇରସ ମୁକାବିଲା ପାଇଁ ଚୀନ୍ ସହ ମିଳିତ ପ୍ରୟାସ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିଏନ୍ ଲୁଙ୍ଗ୍ କହିଛନ୍ତି, ସିଙ୍ଗାପୁର ସତର୍କତାର ସହ ସ୍ଥିତି ନିରୀକ୍ଷଣ କରୁଛି ଏବଂ ଚୀନ୍କୁ ଏ ବାବଦ ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ କହିଛନ୍ତି, ଏଭଳି ସ୍ଥିତିର ମୁକାବିଲା ପାଇଁ ଆମେ ଚୀନ୍ ସହ ହାତ ମିଳାଇବୁ ଏବଂ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ନିର୍ଣ୍ଣାୟକ ଭୂମିକାରେ ରହିବୁ।
ବେଜିଂ : ଚୀନ୍ରେ ଜଣେ ଶିଶୁ ଜନ୍ମ ହେବାର ୩୦ ଘଣ୍ଟା ପରେ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ଶିଶୁର ମା’ ଗର୍ଭଧାରଣ ସମୟରେ ଭାଇରସ୍ ଆକ୍ରାନ୍ତ ଥିଲେ। ତେବେ ଭାଇରସ୍ ଆକ୍ରାନ୍ତ ହୋଇ ସୁଦ୍ଧା ସେ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ହେବାର ୩୦ ଘଣ୍ଟା ପରେ ନବଜନ୍ମିତ ଶିଶୁ ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଚୀନ୍ର ଜାତୀୟ ସ୍ବାସ୍ଥ୍ୟ କମିସନ୍ ପକ୍ଷରୁ କୁହାଯାଇଛି ଯେ କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ୮୦ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ବୟସ ୬୦ରୁ ଅଧିକ।
ଉତ୍ତରପ୍ରଦେଶରେ ୩ ସନ୍ଦିଗ୍ଧ କରୋନା ରୋଗୀ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୩ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଇଛି। ଏହି ସନ୍ଦିଗ୍ଧ ରୋଗୀମାନେ ଚୀନ୍ରୁ ଫେରିଥିଲେ ଏବଂ ସେମାନଙ୍କୁ ଏବେ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉତ୍ତରପ୍ରଦେଶର ବଳରାମପୁରର ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଏବେ ଏକ ସରକାରୀ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ମେଡିକାଲ ଅଫିସର ଡ. ଏକେ ସିଂଘଲ କହିଛନ୍ତି, ଉକ୍ତ ଯୁବକ ଜଣକ ଜଣେ ମେଡିକାଲ ଛାତ୍ର। ସେ ୧୫ ଦିନ ପୂର୍ବେ ଚୀନ୍ରୁ ଫେରିଛନ୍ତି। ସେହିଭଳି ବାରଣାସୀ ଏବଂ ବାଗପତ୍ରେ ଜଣେ ଲେଖାଏଁ ଚୀନ୍ ଫେରନ୍ତା ଲୋକଙ୍କଠାରେ କରୋନା ଭାଇରସ୍ର ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଇଛି।