ଵ୍ରହ୍ମପୁର, ୩୦/୮: ଟାଉନ ଥାନା ଅନ୍ତର୍ଗତ ଲୁଚାପଢା ମୁଖ୍ୟ ରାସ୍ତାରେ ଥିବା ମା’ତାରାତାରିଣୀ ନାମକ ଏକ ହୋଟେଲରୁ ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛି। ଶିଶୁଟି ଗୁଡିକର ବୟସ ୧୪ ରୁ ୧୬ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଦିଗପହଣ୍ଡି ଥାନା ଅଞ୍ଚଳର ବୋଲି ଜଣାପଡିଛି। ଉଦ୍ଧାର ଶିଶୁଟିକୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯାଇଥିଲା। ସିଡବ୍ଲ୍ୟୁସି ନିର୍ଦେଶ ଅନୁସାରେ ଶିଶୁ ମାନଙ୍କୁ ଲାଞ୍ଜିପଲି ଉମାନଗର ଠାରେ ଥିବା ଦିବ୍ୟଜ୍ୟୋତି ଓପେନ ସେଲ୍ଟେରରେ ରଖାଯାଇଛି। ଶିଶୁ ଶ୍ରମିକ ଉଦ୍ଧାର କରିବା ସହ ଚାଲାଣକୁ ରୋକିବା ପାଇଁ କାମ କରୁଥିବା ସଂସ୍ଥାର ପ୍ରକଳ୍ପ ସଂଯୋଜ ଙ୍କ ଅଭିଯୋଗ କ୍ରମେ ପୋଲିସ ୨୪୭/୨୪ ରେ ଉକ୍ତ ହୋଟେଲ ମାଲିକଙ୍କ ନାମରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉକ୍ତ ହୋଟେଲରେ କେତେକ ନାବାଳକ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଖବର ପାଇ ଉକ୍ତ ସଂସ୍ଥା କର୍ମଚାରୀ, ଶ୍ରମ ବିଭାଗ କର୍ମଚାରୀ ଓ ପୋଲିସ ମିଳିତ ଭାବେ ଚଢଉ କରି ସେଠାରୁ ଶିଶୁମାନଙ୍କୁ ଉଦ୍ଧାର କରିଛି। ସମ୍ପୃକ୍ତ ହୋଟେଲ ମାଲିକ ନିୟମର ଖିଲାପ କରି ଶିଶୁମାନଙ୍କୁ ବିପଦଜନକ କାମରେ ଶ୍ରମିକ ଭାବେ ନିୟୋଜିତ କରିଥିବାରୁ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।
