ଶୁଭନାରାୟଣ ଶତପଥୀ : ଶିଶୁମାନେ ହେଉଛନ୍ତି ଆଖିର ଜ୍ୟୋତି । ସେହି ଜ୍ୟୋତି ମାଧ୍ୟମରେ ପିତାମାତାମାନେ ଭବିଷ୍ୟତ ଦେଖନ୍ତି । ପରିବାରର ଅନ୍ୟ ସଦସ୍ୟ ସଦସ୍ୟା ଅଗାମୀ ଦିନଗୁଡିକୁ ଉପଲବ୍ଧି କରନ୍ତି । ସଂପୃକ୍ତ ଗୋଷ୍ଠୀ ବାସିନ୍ଦା ଅନେକ ଆଶା ଆକାଂକ୍ଷା ରଖନ୍ତି । ଦେଶ ପ୍ରଗାତି ଓ ପ୍ରତିଷ୍ଠାର ସ୍ୱପ୍ନ ଦେଖେ । ଏହା ସେତେବେଳେ ସମ୍ଭବ ଯେତେବେଳେ ପିତାମାତା, ପରିବାରର ସଦସ୍ୟ ସଦସ୍ୟା, ଗୋଷ୍ଠୀ, ଦେଶର ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ଶିଶୁଟିର ସର୍ବବିଧ ଉନ୍ନତି ପାଇଁ ବେଳହୁଁ ନିରନ୍ତର ଚେଷ୍ଟା କରନ୍ତି । ତା ଭିତରେ ସୃଜନଶୀଳତାକୁ ଚିହ୍ନନ୍ତି । ଆଗକୁ ବଢିବାର ପଥ ସୁଗମ କରାନ୍ତି । ବାଧାବିଘ୍ନକୁ ଦୂରକରି ସବୁ କ୍ଷେତ୍ରରେ ସୁରକ୍ଷା ପ୍ରଦାନ ପାଇଁ ଚେଷ୍ଟା କରନ୍ତି । ଶିଶୁମାନଙ୍କର ସର୍ବୋତମ ସ୍ୱାର୍ଥ ଓ ଶିଶୁ ଅଧିକାରର ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ଓ ଆଇନ ପ୍ରଣୟନ ହୋଇଛି ।
ଜନସଚେତନତା ସହ ଆର୍ଥୀକ ସାମାଜିକ ସୁବିଧା ଯୋଗାଇ ଦିଆଯାଉଛି । ଏହା ସାରା ବିଶ୍ୱର ସମସ୍ତ ରଷ୍ଟ୍ରମାନେ ସେମାନଙ୍କର ଶିଶୁମାନଙ୍କ ସ୍ୱାର୍ଥ ପୂରଣ ଉଦେ୍ଦଶ୍ୟରେ ନିଶ୍ଚିତ କରିବାକୁ ସଦା ଚେଷ୍ଟିତ ଓ ଚିନ୍ତିତ । ମିଳିତ ଜାତସଂଘ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ୨୦୨୫ ସୁଦ୍ଧା ସାରା ବିଶ୍ୱକୁ ଶିଶୁ ଶ୍ରମିକ ମୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୦୦ ମସିହାରୁ ଅଦ୍ୟାବଧି ଶିଶୁଶ୍ରମିକଙ୍କ ସଂଖ୍ୟା ସାରା ବିଶ୍ୱରେ ୯୪ ମିଲିୟନ ହ୍ରାସ ପାଇଥିବା ସତ୍ୱେ ପ୍ରାୟ ପ୍ରତି ୧୦ଜଣରେ ଜଣେ ଶିଶୁ ଶ୍ରମିକ ଭାବେ ନିୟୋଜିତ ହେଉଥିବାର ଜଣାଯାଏ ଆଫ୍ରିକା, ଏସିଆ, ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଏହି ଶିଶୁ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ । ଯେଉଁ ଦେଶଗୁଡିକ ବିକାଶର ଅନେକ ପଛରେ, ସେଠାରେ ୫ରୁ ୧୭ ବର୍ଷ ଶିଶୁମାନଙ୍କ ମଧ୍ୟରେ ପ୍ରତି ୪ ଜଣରେ ଜଣେ ଶିଶୁ ଶ୍ରମିକ ଭାବେ ନିୟୋଜିତ ।
ଆମେ ଜାଣୁଯେ, ପ୍ରଗତିର ଏକ ପ୍ରମୂଖ ଅଙ୍ଗ ହେଉଛି ଶିଶୁ ମାନଙ୍କର ସୁରକ୍ଷା ଓ ବିକାଶ । ବର୍ତମାନ ଆମେ ଏମିତି ଏକ ସ୍ଥିତିରେ ଉପନୀତ ଯେ ଆମର ଶିଶୁମାନେ ଅର୍ଥ ରୋଜଗାର ମାଧ୍ୟମରେ ହେଉ ବା ବିନା ରୋଜଗାରରେ, ସେମାନଙ୍କର ଦୈନନ୍ଦିନ କାର୍ଯ୍ୟନିର୍ଘଂଟ ସାରଣୀ ଅନୁସାରେ ଅନେକ କାମ କରିଥାନ୍ତି । ତେବେ ଏସବୁ କାମ ବିପଦଜନକ ନୁହେଁ । ଯେତେବେଳେ ଶିଶୁମାନେ ସେମାନଙ୍କର କାର୍ଯ୍ୟ ଓ ବୟସ ତୁଳନାରେ ଅପରିପକ୍ୱ ତଥା ସେମାନଙ୍କର ଶାରିରୀକ, ମାନସିକ, ସ୍ୱାସ୍ଥ୍ୟଗତ, ସାମାଜିକ, ଶିକ୍ଷାଗତ ସ୍ୱାର୍ଥକୁ ବଳି ପକାଇ, ଜୀବନକୁ ବାଜିଲଗାଇ ଅର୍ଥ ରୋଜଗାର ବା କାହାରି ସ୍ୱାର୍ଥ ପୂରଣ କରିବାକୁ ଯାଇ ବିପଦଜନକ କାର୍ଯ୍ୟରେ ନିୟୋଜିତ ହୁଅନ୍ତି ସେମାନଙ୍କୁ ଶିଶୁଶ୍ରମିକର ଆଖ୍ୟା ଦିଆଯାଏ । ଏଥିପାଇଁ ବିଭିନ୍ନ ଦେଶର ସରକାର ଶିଶୁ ଶ୍ରମିକଙ୍କ ବୟସ ଓ କାର୍ଯ୍ୟର ସୂଚୀ ପ୍ରସ୍ତୁତ କାରି ସଂଜ୍ଞା, ଆଇନ ଆଦି ପ୍ରଣୟନ କରିଛନ୍ତି । ତେବେ ଭାରତରେ ମଧ୍ୟ ଶିଶୁ ଶ୍ରମିକ ନିଷେଧ ଅଧିନିୟମ ୧୯୮୬ ତଥା ସଂଶୋଧିତ ୨୦୧୬ ଆଇନ କାର୍ଯ୍ୟ କରୁଛି । ଶ୍ରମବିଭାଗକୁ କେନ୍ଦ୍ର କରି ସମସ୍ତ ସରକାରୀ ଓ ବେସରକାରୀ ବିଭାଗ ଓ ସଂସ୍ଥା ଶିଶୁ ଶ୍ରମିକଙ୍କ ଉଦ୍ଧାର, ଥଇଥାନ, ସାମାଜିକ ସମ୍ମିଶ୍ରଣ ପାଇଁ କାର୍ଯ୍ୟରତ ।
୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୫ ରୁ ୧୪ ବର୍ଷର ଶିଶୁ ଶ୍ରମିକଙ୍କ ସଂଖ୍ୟାଥିଲା ୧୦.୧୩ ମିଲିୟନ । ଅଦ୍ୟାବଧି ଏହି ପ୍ରଥା ସଂପୂର୍ଣ୍ଣ ବିଲୋପ ହୋଇପାରିନାହିଁ । ଶିଶୁମାନେ ଶ୍ରମିକ ଭାବରେ ଆଜି ମଧ୍ୟ ଅନେକ ବିପଦଜନକ ସ୍ଥାନରେ କାର୍ଯ୍ୟ କରୁ ନାହାନ୍ତି ବୋଲି କହିହେବ ନାହିଁ । ଗ୍ରାମୀଣ କ୍ଷେତ୍ରରେ ଅଧିକଂଶ ଲୋକମାନେ କୃଷି, ଘରୋଇ ବ୍ୟବସାୟ, ଶିଳ୍ପ ଉପରେ ନିର୍ଭର କରିଚଳନ୍ତି । ଅନୁଧ୍ୟାନରୁ ଜଣାଯାଏ ପରିବାରରେ ଥିବା ଦରିଦ୍ରତା, ଅଶିକ୍ଷା, ଅବହେଳା କିମ୍ବା ହିଂସାଗତ ସାମସ୍ୟା କାରଣରୁ ଶିଶୁମାନେ ଶ୍ରମିକ ଭାବେ ନିୟୋଜିତ ହୋଇଥାନ୍ତି । ଏହାଛଡା ହୋଟେଲ, ଢାବା, ଗ୍ୟାରେଜ ଭଳି ବିପଦଜନକ କ୍ଷେତ୍ରରେ ଅର୍ଥ ରୋଜଗାର ଉଦେ୍ଦଶ୍ୟରେ ଭବିଷ୍ୟତର ସ୍ୱପ୍ନକୁ ବଳିପକାଇ ଦିଅନ୍ତି । ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଦୂରେଇଯାଇ ଶାରିରୀକ, ମାନସିକ, ବୈାଦ୍ଧିକ ଯନ୍ତ୍ରଣାରେ ଛଟପଟ ହୁଅନ୍ତି ଅବୋଧ ଶିଶୁମାନେ । ଫଳରେ ଶିଶୁମାନଙ୍କ ମାନସିକ ସନ୍ତୁଳନ ବିଗିଡିଯାଏ । ଅଜାଣତରେ କେଉଁଠି ନିଶାଗ୍ରସ୍ତଙ୍କ ମାୟାଜାଲରେ ପଡନ୍ତି ତ କେଉଁଠି ହିଂସାତ୍ମକ ପଥକୁ ଚାଲିଯାଆନ୍ତି । ଏ ପୃଥିବୀକୁ ଆସିଥିବା ଶିଶୁଟି କେବେ କଳ୍ପନାରେ ସୁଦ୍ଧା ଭାବି ନଥିବ ଯେ ତା ହାତରେ କଲମ ବଦଳରେ କର୍ମର କମାଣ ଧରାଇ ଦିଆଯିବ ।
ଯେତେବେଳେ ଶିଶୁଟି ବଡ ହୋଇ ସମାଜ, ପିତାମାତା, ପରିବାର, ସାମାଜର ଭୂମିକାକୁ ସମୀକ୍ଷା କରିବ ସେତେବେଳେ ତା ମନରେ ସ୍ୱତଃ ଉଠିବ ନକାରାତ୍ମକ ଚିନ୍ତାଧାରା । ସେ ସମ୍ମାନ ପ୍ରଦଶୀନ କରିବାକୁ କୁଣ୍ଠାବୋଧ କରିବ । ତଥାପି ସମାଜର ଅଗ୍ରଗତି ଯେଉଁ ସ୍ଥାନରେ ଆଜି ପହଁଚିଛି କୁହାଯାଇପାରେ ଯେ ନିଜର ଶିଶୁଙ୍କୁ ସୁବିଧା, ସୁଯୋଗ, ଅଧିକାର ଯୋଗାଇଦେବାରେ ପିତାମାତା, ଅଭିଭାବକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ତାଛଡା ଶିଶୁମାନଙ୍କ ସୁରକ୍ଷା, ବିକାଶ ପାଇଁ ସରକାର ଅଦ୍ଭୁତପୂର୍ବ କାର୍ଯ୍ୟ କରୁଛନ୍ତି । ଯେମିତିକି ସମସ୍ତ ଶିଶୁଙ୍କ ଶିକ୍ଷା ପାଇଁ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ପ୍ରଚଳନ, ମର୍ଯ୍ୟାଦାର ସହ ବଂଚିବା ଓ ଥଇଥାନପାଇଁ ଶିଶୁଯତ୍ନ ଅନୁଷ୍ଠାନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା, ଦକ୍ଷତା ବିକାଶ, ରୋଜଗାର ପାଇଁ ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି । ଏହା ସହ ଶିଶୁଟିର ପରିବାର ସମୃଦ୍ଧିକରଣ ନିମନ୍ତେ ଅନେକ ପ୍ରକାର ଦାରିଦ୍ର୍ୟ ଦୂରୀକରଣ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଆବାସ ଯୋଜନା, କୈାଶଳ ବିକାଶ ଯୋଜନାର କାର୍ଯ୍ୟକାରୀ କରାଯାଉଛି । ଏହା ସମାଜ ପାଇଁ ଶୁଭ ଲକ୍ଷଣ । ସମନ୍ୱିତ ଭାବେ ଏସବୁର ଲାଭ ସଂପୃକ୍ତ ପରିବାର ଉଠାଇବା ଜରୁରୀ ।
ନଚେତ ଶିଶୁ ଶ୍ରମିକ ପ୍ରଥା ଶାଖା ପ୍ରଶାଖା ମେଲାଇ ସାମାଜରେ ଜନ୍ମଦେବ ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା ଭଳି ଜଘନ୍ୟ କାଣ୍ଡ । ଏଥିରୁ ଶିଶୁମାନଙ୍କୁ ଦୂରେଇ ରଖିବାକୁ ହେଲେ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଗୋଷ୍ଠୀର ବ୍ୟାପକ ସଚେତନତା ଲୋଡା । ଏହା ବ୍ୟତିତ ଶିଶୁ ସୁରକ୍ଷା କମିଟିର ସଂପ୍ରସାରଣ ଗ୍ରାମସ୍ତରକୁ କରାଯାଇପାରେ । ଫଳରେ ପ୍ରତ୍ୟେକ ଶିଶୁଙ୍କ ସୁରକ୍ଷା ଗ୍ରାମ ସ୍ତରରେ ନିଶ୍ଚିତ କରିବାକୁ ଗ୍ରାମବାସୀ ସୁଯୋଗ ପାଇବେ ଓ ଗ୍ରାମ ଶିଶୁ ଶ୍ରମିକ ମୁକ୍ତ ହୋଇପାରିବ । ଏହା ସହିତ ପରିବାର ସମୃଦ୍ଧି ପାଇଁ ମଧ୍ୟ ଗୋଷ୍ଠୀର ସହଯୋଗ ଓ ତୃଣମୂଳ ସ୍ତରରେଥିବା ସରକାରୀ ଓ ବେସରକାରୀ ବ୍ୟବସ୍ଥାର ସହାୟତା ଆବଶ୍ୟକ । ସାମସ୍ତଙ୍କ ପ୍ରୟାସ ନରହିଲେ ଏ ଶିଶୁ ଶ୍ରମିକ ଭଳି ଅନୈତିକ କାର୍ଯ୍ୟ ସାମାଜରୁ ଲୋପ ପାଇବ ନାହିଁ । ସାମାଜିକ ସ୍ତରରୁ କେବଳ ଶିଶୁର ଉଦ୍ଧାର ପାଇଁ ସରକାରୀ ବ୍ୟବସ୍ଥାକୁ ଫୋନଟିଏ କରି ଦେଲେ ହେବ ନାହିଁ ବରଂ ସ୍ୱେଚ୍ଛାସେବୀ ଭାବରେ ନିଜର ଭାଗୀଦାରୀକୁ ନିଶ୍ଚିତ କରି ଶିଶୁଶ୍ରମିକ ପ୍ରଥାକୁ ନିଜ ଅଂଚଳରେ ନିଷିଦ୍ଧ କରିବା ଦିଗରେ ସହଯୋଗ କରିବା ସହ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ପାରିବାରିକ ସ୍ଥିରତା ଆଣିବାକୁ ଗୋଷ୍ଠୀ ନିରନ୍ତର ଚେଷ୍ଟା କରିବା ଉଚିତ ।
ଇଏତ ଥିଲା ସାଧାରଣ ଦିନଗୁଡିକରେ ଘଟୁଥିବା ଘଟଣାଚକ୍ର ଓ ସ୍ଥତିର ବିଶ୍ଲେଷଣାତ୍ମକ ରଚନା । କିନ୍ତୁ ସାଂପ୍ରତିକ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଓ ଶିଶୁମାନଙ୍କୁ ଯଥେଷ୍ଟ ଦୂରରେ ରଖି ଉପଯୁକ୍ତ ସୁରକ୍ଷା ଯୋଗାଇଦେବା ଦରକାର । ସମସ୍ତ ଅଭିଭାବକ, ପିତାମାତା ନିଜର ଶିଶୁମାନଙ୍କୁ ଘରେ ରଖି ସେମାନଙ୍କ ସହ ସୂଚନା ମନୋରଞନଧର୍ମୀ ପାଠପଢା, ସୃଜନଶୀଳତା ବିକାଶ ସହ ଆବଶ୍ୟକ ଯତ୍ନ ନେବା ଜରୁରୀ । ଏଦିଗରେ ଶିଶୁମାନଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା କାରଣରୁ ସମସ୍ତେ ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବା ଆବଶ୍ୟକ । ଦିନ ଆସିବ କରୋନା ଏ ପୃଥିବୀରୁ ନିଶ୍ଚିନ୍ନ ହେବ ସତ କିନ୍ତୁ ତା ପୁର୍ବରୁ ହୁଏତ ସେ ଛଡାଇ ନେଇଥିବ ଜୀବନ ଓ ଜୀବିକା । ଠେଲିଦେଇଥିବ ଦାରିଦ୍ର୍ୟର କଷାଘାତକୁ । ଯାହା ନୂତନ ଶିଶୁ ଶ୍ରମିକ ସୃଷ୍ଟି କରିବାରେ ଖୋରାକ ଯୋଗାଇବ । ଏହାକୁ ଦୃଷ୍ଟିରେ ରଖି ବେଳହୁଁ ସାବଧାନ ଓ ସତର୍କତାର ସହ ଜୀବନ ଜିଇଁଲେ ଜୀବନ ଯୁଦ୍ଧରେ ଆମେ ବିଜୟୀ ହେବା ।