Odisha news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ର ଆଜି ପ୍ରଥମ ବର୍ଷ ଶେଷ : ବିକାଶ କାର୍ଯ୍ୟ ଆଗକୁ ବଢାଇବା ପାଇଁ ‘୫ଟି’ ମନ୍ତ୍ର ସହ ସାମ୍ନାକୁ ଆସିଲେ ପାଣ୍ଡିଆନ୍

0

ଭୁବନେଶ୍ବର : ୨୦୧୯ ମେ’ ୨୯ ତାରିଖ ଦିନ କ୍ରମାଗତ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀତ୍ବର ଆଜି ପ୍ରଥମ ବର୍ଷ ଶେଷ େହାଇଛି। ରାଜନୈତିକ ଦୃଷ୍ଟିକୋଣରୁ ନବୀନ ନିଜର ପ୍ରତିଷ୍ଠାକୁ ଅକ୍ଷୁଣ୍ଣ ରଖିବାରେ ସମର୍ଥ େହାଇଛନ୍ତି। ଏହି ବର୍ଷକ ମଧ୍ୟରେ ରାଜ୍ୟ ଲଢ଼ିଥିବା ଦୁଇଟି ନିର୍ବାଚନ (ବିଜେପୁର ଓ ପାଟକୁରା)ରେ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିଛି। ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ସର୍ବକାଳୀନ ରେକର୍ଡ ଭୋଟରେ ବିଜୟ ଲାଭ କରିଥିଲେ। ପାଟକୁରାରେ ଏକ ବଡ଼ ଲଢେଇରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଥିଲା ବିଜେଡି।

ବିରୋଧୀ ଆଜି ବି ନିଷ୍ପ୍ରଭ। ବିଜେଡି ବିରୋଧରେ ବିଜେପି କିମ୍ବା କଂଗ୍ରେସ କେହି ବି ବିଧାନସଭା ଭିତରେ ଅବା ବାହାରେ ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଏଣୁ ସରକାର ପ୍ରତି କୌଣସି ବିପଦ ସମ୍ଭାବନା ନାହିଁ। ଚାରିଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ଦେଇ ନିଜ ଦଳର ନେତାଙ୍କୁ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ପଠାଇବାରେ ସମର୍ଥ ହୋଇଛି। ଯଦିଓ ବିଜେପିକୁ ଏକ ରାଜନୈତିକ ଘଟଣା କ୍ରମରେ ବିଜେଡି ଆଖିବୁଜା ସମର୍ଥନ ଦେଇଛି, ତଥାପି ବିଧାନ ପରିଷଦ ବିଲ୍‌ ସଂସଦକୁ ଆସିପାରିନାହିଁ କିମ୍ବା କେନ୍ଦ୍ର ଏ ନେଇ ସର୍ବନିମ୍ନ ଆଗ୍ରହ ପ୍ରକାଶ କରିନାହିଁ।

ରାଜନୈତିକ ସ୍ତରରେ ସରକାର ଯେତିକି ସଫଳତା ହାସଲ କରିଛନ୍ତି, ପ୍ରଶାସନିକସ୍ତରରେ କ୍ଷେତ୍ରରେ ତାହା ଏତେଟା ପରିଦୃଷ୍ଟ ହୋଇନାହିଁ। ଏକଥା ନୁହେଁ ଯେ ସରକାର ଉଦ୍ୟମ କରିନାହାନ୍ତି। ବରଂ ପାଞ୍ଚ ପାଞ୍ଚଟି ବିପର୍ଯ୍ୟୟ ସରକାରଙ୍କୁ ଅଣନିଶ୍ବାସୀ କରିଦେଇଛି। ସରକାର କ୍ଷମତାକୁ ଆସିବା ପୂର୍ବରୁ ଭୀଷଣ ବାତ୍ୟା ରୂପ ଧାରଣ କରି ଆସିଥିବା ‘ଫନି’ ଏତେ କ୍ଷତି ଘଟାଇଥିଲା ଯେ ରାଜ୍ୟର ପ୍ରମୁଖ ଦୁଇ ସହର ରାଜଧାନୀ ଭୁବନେଶ୍ବର ଓ ପୁରୀର ଭିତ୍ତିଭୂମି ଦୋହଲିଗଲା। ଆଉ କିଛି ଜିଲ୍ଲା ପ୍ରଭାବିତ ହେଲେ।

ପରେ ବୁଲ୍‌ବୁଲ୍, ମହାମାରୀ କରୋନା ଓ ମହାବାତ୍ୟା ରୂପ ଧାରଣ କରି ଓଡ଼ିଶା ସୀମାରେ ଘଷି ହୋଇଯାଇଥିବା ‘ଅମ୍ଫାନ୍’ ରାଜ୍ୟକୁ ଦୁଃସ୍ଥିତି ଭିତରକୁ ଠେଲି ଦେଇଛି। ଏହି ଚାରିଟି ବିପର୍ଯ୍ୟୟ କାରଣରୁ ଆର୍ଥିକ ଦୃଷ୍ଟିରୁ ଗତ ୧୬ବର୍ଷ ଧରି ଅତ୍ୟନ୍ତ ସଶକ୍ତ ବୋଲି ଦାବି କରୁଥିବା ଓଡ଼ିଶା ଏକ ବଡ଼ ବିପର୍ଯ୍ୟୟ ଭିତରେ ସନ୍ତୁଳି ହେଉଛି। ସରକାର ଆଜି ମଧ୍ୟ ଏହି ବିପର୍ଯ୍ୟୟ ସହିତ ଲଢେଇ ଜାରି ରଖିଛନ୍ତି। ହଁ, ଏକଥା ସତ ଯେ ଫନିରୁ କରୋନା ପର୍ଯ୍ୟନ୍ତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ପ୍ରଶଂସା ଗୋଟାଇଛି।

୨୦୨୦ ମେ’ ୨୯ ତାରିଖରେ କ୍ଷମତା ଚୌକି ଧରିବା ପରେ ଶାସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତନର ଚିତ୍ର ଆଙ୍କିଥିଲେ ନବୀନ। ନିଜ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ସାମ୍ନାକୁ ଆଣିଥିଲେ। ତାଙ୍କୁ ୫ଟି ସଚିବ ଭାବେ ଅବସ୍ଥାପିତ କରି ତୃତୀୟ ମହଲାର କ୍ଷମତା ବଢ଼ାଇଥିଲେ।

ସରକାରକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିବା ଲାଗି ‘ମୋ ସରକାର’ ଆରମ୍ଭ େହାଇଥିଲା। ଥାନା, ତହସିଲ, ଡାକ୍ତରଖାନା ଭଳି ସାଧାରଣ ଲୋକଙ୍କ ଆତଯାତ ରହିଥିବା କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଫୋନ କରି ଲୋକଙ୍କୁ କିଭଳି ପ୍ରଶାସନ ସେବା ଯୋଗାଉଛି, ତାହା ପରଖିଥିଲେ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା, କେତେକଙ୍କର ପେନସନ୍ ସରକାର ବନ୍ଦ କରିଥିଲେ। ପୁଲିସ ମହାନିର୍ଦେଶକ ଦାୟିତ୍ବରେ ଥିବା ବେଳେ ବିଜୟ ଶର୍ମାଙ୍କ ଭଳି ଅତି ପ୍ରଭାବୀ ତଥା କ୍ଷମତାଶାଳୀ ବ୍ୟକ୍ତିଙ୍କୁ ବିଦା କରିଥିଲେ ସରକାର। ଦୁର୍ନୀତି ଅଭିଯୋଗରେ ଉଦ୍ୟାନ ନିର୍ଦେଶକ ତଥା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରାଯାଇଥିଲା। ସରକାର ମୋ ପରିବାର, ପଦୋନ୍ନତି ଅଦାଲତ ଭଳି ଅନେକ ନୂଆ ପଦକ୍ଷେପ ନେଇ ପ୍ରଶାସନିକସ୍ତରକୁ ଚଳଚଞ୍ଚଳ କରିଥିଲେ। ଦ୍ବିତୀୟ ଶନିବାର ଛୁଟି ହେଉଥିଲା, ଚତୁର୍ଥ ଶନିବାର ସରକାର ଛୁଟି କଲେ। ଠିକ୍ ସମୟରେ ଅଫିସ ଆସିବା ଉପରେ ବି କଡ଼ା ତାଗିଦ୍ ଯାଇଥିଲା ସଚିବାଳୟ ନା ବଦଳି ହୋଇଥିବା େଲାକସେବା ଭବନରୁ। ସରକାର ନିଜ କାର୍ଯ୍ୟସ୍ଥଳୀର ଆକାର ଖାରବେଳ ଭବନ ପର୍ଯ୍ୟନ୍ତ ବଢାଇଥିଲେ।

ସବୁଠୁ ବଡ଼ ଚର୍ଚ୍ଚା ହୋଇଥିଲା, ଯେତେବେଳେ ନିଜେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ବ ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। ଜମି ଅଧିଗ୍ରହଣ କ୍ଷେତ୍ରରେ ରେକର୍ଡ କରିଥିଲା ଓଡ଼ିଶା। ଏ ପ୍ରକ୍ରିୟା ଆରମ୍ଭ େହାଇଛି। ଏହା ସହିତ ପୁରୀକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଲାଗି ସ୍ବର୍ଗଦ୍ବାରଠାରୁ ଶ୍ରୀସେତୁ ପର୍ଯ୍ୟନ୍ତ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି ନବୀନ। ଅନୁରୂପ ଭାବେ ଶ୍ରୀଲିଙ୍ଗରାଜଙ୍କ ଠାରୁ ଆରମ୍ଭ କରି ତାରାତାରିଣୀ, ଭିତରକନିକା ପର୍ଯ୍ୟନ୍ତ ଅନେକ ପ୍ରକ​ଳ୍ପ ସରକାର ହାତକୁ ନେଇଛନ୍ତି। ମସଜିଦ୍, ଚର୍ଚ୍ଚକୁ ବି ଅନୁଦାନ ଦେଇ ସେ େଯ ସାଂପ୍ରଦାୟିକତାର ଊର୍ଧ୍ବରେ ଏକଥା ସୂଚାଇଛନ୍ତି ନବୀନ। ସମାନ୍ତରାଳ ଭାବେ କଟକରେ ବିଶ୍ବସ୍ତରୀୟ ହସ୍ପିଟାଲର ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏମ୍‌ସ ପ୍ଲସ୍ ଢାଞ୍ଚାରେ ଏହାର ବିକାଶ କରାଯିବ। ନିଜେ ପାଣ୍ଡିଆନ୍ ସବୁ ଜିଲ୍ଲା ବୁଲି ସରକାରର କାର୍ଯ୍ୟ ତଦାରଖ କରିଛନ୍ତି। ସରକାର ଗଠନ ପୂର୍ବରୁ ପ୍ରଚ୍ଛଦ ପଟରେ ଥିଲେ, ଏବେ ସାମ୍ନାରେ।

ତେବେ ମନ୍ତ୍ରିପରିଷଦ କିନ୍ତୁ ସେଭଳି ପ୍ରଭାବୀ ହୋଇପାରିନାହିଁ। ଦୁଇ ଚାରିଜଣଙ୍କୁ ଛାଡ଼ିଦେଲେ ଅନ୍ୟ ମନ୍ତ୍ରୀମାନେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ସରକାରରେ ଲୋକପ୍ରିୟତା ବଢ଼ାଇବାରେ ମନ୍ତ୍ରୀମାନଙ୍କର ନିଜସ୍ବ ସ୍ବତନ୍ତ୍ର ଅବଦାନ ବହୁତ କମ୍। ବରଂ ମନ୍ତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ସେଥିରୁ ଅଧିକାଂଶ ପାଳନ ହୋଇନାହିଁ। ଏଇ ଯେମିତି ପ୍ରତିମାସ ପ୍ରଥମ ସପ୍ତାହରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କଥା କୁହାଯାଇଥିଲା, ଯାହା ହୋଇପାରିନାହିଁ। ‘ମୋ ସରକାର’ର ବି ତନାଘନା ଅଟକିଯାଇଛି।

ଗତକିଛି ବର୍ଷ ଧରି ତୃତୀୟ ମହଲା ଓ ମୁଖ୍ୟସଚିବଙ୍କ ମଧ୍ୟରେ ସମନ୍ବୟର ଅଭାବ ଏକ ପ୍ରସଙ୍ଗ ପାଲଟୁଥିଲା। କିନ୍ତୁ ଅଧିକାଂଶସ୍ଥାନରେ ମୁଖ୍ୟସଚିବ, ଉନ୍ନୟନ କମିସନର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ମିଳିତ ଉପସ୍ଥିତି ଭିନ୍ନ ସଙ୍କେତ ଦେଇଛି।

କେନ୍ଦ୍ର-ରାଜ୍ୟ ସଂପର୍କ ଅତ୍ୟନ୍ତ ତିକ୍ତ ପରେ ମାତ୍ରାଧିକ ମଧୁର ହୋଇଛି। ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଖୋଲା ପ୍ରଶଂସା କରିଛନ୍ତି, ଓଡ଼ିଶାକୁ ଅଧିକ ଅନୁଦାନ ମିଳିଛି, ରାଜ୍ୟରେ ପୂର୍ବାଞ୍ଚଳ ବିକାଶ ବୈଠକ ହୋଇଛି। ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ନବୀନ ଦୁଇ ପରସ୍ପର ବିପରୀତ ମୁଖୀ ନେତା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକାଠି ବସାଇ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ଘଟଣା ଜାତୀୟସ୍ତରରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ସେହିଭଳି ନିର୍ବାଚନ ପୂର୍ବର ତିକ୍ତତା ଭୁଲି ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ନିଷ୍ପତ୍ତି ମିଳିତ ଭାବେ ନେଇଛନ୍ତି। ଏଭଳି ଏକ ପୃଷ୍ଠଭୂମିରେ ନବୀନଙ୍କ ପଞ୍ଚମ ପାଳିର ଦ୍ବିତୀୟ ଇଂନିସ କିଭଳି ରୂପ ନେବ, ତାହା ଉପରେ ରାଜନୈତିକ ମହଲ ଠାରୁ ଆରମ୍ଭକରି ବୁଦ୍ଧିଜୀବୀ ସମସ୍ତେ ନଜର ରଖିଛନ୍ତି।

Leave A Reply

Your email address will not be published.