ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା | ଆଜି ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡିଛି | ରବିବାରଠାରୁ ଜ୍ୱର ସହିତ ତାଙ୍କର ଗଳା ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଖବର ମିଳିଥିଲା | ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ସେ ଆଶ୍ବସ୍ତ ହୋଇଛନ୍ତି |

ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ରବିବାରଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଥିଲେ ଏବଂ ନିଜକୁ ସଙ୍ଗରୋଧରେ ରଖିଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ସନ୍ଧ୍ୟାରେ ଏକ ଅନଲାଇନ୍ ମିଡିଆ ସଂକ୍ଷିପ୍ତ ବୈଠକରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। କରୋନାଭାଇରସ ସଙ୍କଟ ସମୟରେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ଦିଲ୍ଲୀବାସୀଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ କେଜ୍ରିୱାଲ ରବିବାର ଦିନ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ। ଏହା ପରେ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ସେ ନିଜକୁ ସଙ୍ଗରୋଧ କରିବାକୁ ନିଷ୍ପତି ନେଇଥିଲେ | ତେବେ ଆଜି ରାତି କିମ୍ବା ବୁଧବାର ସକାଳେ ତାଙ୍କ କୋଭିଡ-୧୯ ରିପୋର୍ଟ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ହିଁ ରିପୋର୍ଟ ସାମ୍ନାକୁ ଆସିଛି |