ଛତ୍ରପୁର ୨୦/୮: ଛତ୍ରପୁର ବ୍ଲକ ର ବିପୁଳିଙ୍ଗି, ପୋଟଲାମପୁର, ବଉଳଗାଁ, ଚିକଲଖଣ୍ଡି ଓ କଣମଣା ଗ୍ରାମପଂଚାୟତ ଏବଂ ଛତ୍ରପୁର ଏନଏସିର ବିଭିନ୍ନ ୱାର୍ଡ଼ରେ ରହିଥିବା ଦଳିତ, ବାସହୀନ, ଗରିବ ଅସହାୟମାନଙ୍କୁ ତୁରନ୍ତ ଥଇଥାନ କରିବା ଦାବି ନେଇ ଆଜି ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଦଳିତ ନେତା ଲିଙ୍ଗରାଜ ନାୟକ ଓ ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁଚରଣ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କ ଅଭିଯୋଗ ଯେ ରାଜ୍ୟ ସରକାର ଦଳିତ, ଅସହାୟ ଓ ଗରିବ ମାନଙ୍କ ନିମନ୍ତେ ବସୁନ୍ଧରା ଯୋଜନାରେ ବାସଗୃହ ଓ ଜମି ପ୍ରଦାନ ନିମନ୍ତେ କହିଆସୁଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଓ ଏନଏସି ଅଂଚଳରେ ଏହାର ବ୍ୟତିକ୍ରମ ଘଟିଛି ।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରି ଜମିହୀନ ଦଳିତ ଅସହାୟମାନଙ୍କୁ ତୁରନ୍ତ ଥଇଥାନ କରିବା ସହ ବାସଗୃହ ପ୍ରଦାନ କରିବା ନିମନ୍ତେ ଦାବି କରାଯାଇଛି ।
ଏହାସହ ସେମାନେ ଛତ୍ରପୁର ତହସିଲଦାର ଏବଂ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୃଥକ ପୃଥକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନବେଳେ ଜଗନ୍ନାଥ ଦାଶ, କରୁଣାକରଣ ଦାସ, ପ୍ରଫୁଲ ଦାସ, ଲୋକନାଥ ବେହେରା, କରୁଣାକର ନାୟକଙ୍କ ସମେତ ବହୁ ଦଳିତ ଶ୍ରେଣୀର ମହିଳା ଓ ପୁରୁଷମାନେ ଉପସ୍ଥିତ ରହି ତାଙ୍କର ହକ୍ ନିମନ୍ତେ ଦାବି କରିଥିଲେ ।