ଛତ୍ରପୁର: ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ଛତ୍ରପୁର ଗୋଷ୍ଠି ଶିକ୍ଷା ତରଫରୁ ସ୍ଥାନୀୟ ରିକାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷୟତ୍ରୀ ରୀତା ରଥ ଯୋଗ ଦେଇ ଶୁଭାରମ୍ଭ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।
ସମ୍ବଳ ଶିକ୍ଷକ ଅଶ୍ୱିନୀ କୁମାର ପାଇକରାୟ, ପ୍ରିୟରଞ୍ଜନ ପାତ୍ର, ସନ୍ତୋଷ କୁମାର ବେହେରା ଓ ଉଦୟରଶ୍ମି ପାତ୍ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟୁକ୍ତ ପ୍ରତିଭାକୁ ଅନ୍ୱେଷଣ କରିବା ସହ ସେମାନଙ୍କୁ ଯୋଗ, ଶାରୀରିକ ଶିକ୍ଷା, ସଙ୍ଗୀତ, ଚିତ୍ରାଙ୍କନ ଆଦି ଶିକ୍ଷା ଦେଇଥିଲେ । ଯାହା ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରେରଣା ଯୋଗାଇ ଦେଇଥିଲା । ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ଏହି ତାଲିମ ଶିବିର ଦୀର୍ଘ ୩ ଦିନ ଧରି ଚାଲୁ ରହିବା ସହ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଚାଲୁ ରହିବ । ଏହି ତାଲିମ ଶିବିରକୁ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀଙ୍କ ତତ୍ୱାବଧାନରେ ପରିଚାଳିତ ହେବା ସହ ଅନ୍ତଃନିବେଶି ସ୍ୱେଚ୍ଛାସେବୀମାନେ ଏହାକୁ ସହଯୋଗ କରିଥିଲେ ।