Odisha news

ଗଂଜାମ ଜିଲ୍ଲାରେ କରୋନା ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ସରପଞ୍ଚଙ୍କ ସହ ଆଲୋଚନା

0
ଛତ୍ରପୁର,୧୦/୮ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍ ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲା କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ସହ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣରେ ସରପଞ୍ଚମାନଙ୍କ ଦକ୍ଷତା ବୃଦ୍ଧି ପାଇଛି ।
ତୃଣମୂଳସ୍ତରରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସମସ୍ତ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିବା ସହ କୋଭିଡ୍ ପରିଚାଳନା ନିମନ୍ତେ ତାଙ୍କର ବିଭିନ୍ନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲେ । ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ପ୍ରଚେଷ୍ଟାକୁ ଉତ୍ସାହିତ କରିବା ସହ ଜିଲ୍ଲାରେ ସଂପୂର୍ଣ୍ଣ କରୋନା ନିପାତ ହେବା ପର୍ଯ୍ୟନ୍ତ ଏହି ପ୍ରଚେଷ୍ଟା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କୁ ଆହ୍ୱାନ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ସଂପୂର୍ଣ୍ଣ କରୋନା ମୁକ୍ତ ହେବା ପରେ ଜିଲ୍ଲାର ଆରାଧ୍ୟ ଦେବୀ ତଥା ପ୍ରସିଦ୍ଧ ମା’ତାରାତାରିଣୀଙ୍କ ଠାରେ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ଉପସ୍ଥିତିରେ ମା’ଙ୍କ ଠାରେ ଭୋଗ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । । ପର୍ଯ୍ୟାୟ କ୍ରମେ ଗଞ୍ଜାମ ଜିଲ୍ଲା ଗ୍ରୀନ୍‌ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାର ପ୍ରଶାସନ ସହ ଲକ୍‌ଡାଉନ୍‌, ସଟ୍‌ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ୍‌, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁକ୍ଷେତ୍ରରେ ସହଯୋଗର ହାତବଢାଇ ସରପଞ୍ଚମାନେ ଜିଲ୍ଲାକୁ ଗୋଷ୍ଠୀ ସଂକ୍ରମଣରୁ ବଞ୍ଚିତ ରଖି ପାରିଛନ୍ତି । ପଞ୍ଚାୟତସ୍ତରରେ ଯେଉଁମାନଙ୍କ ଠାରେ କିଛି ଲକ୍ଷଣ ଦେଖାଦେଇଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯିବା ସହ ଉପଯୁକ୍ତ ଚିକିତ୍ସା କରାଯାଇଛି । ଗାଁ ଗାଁରେ ସ୍ୱାବ୍ ଓ ଆଣ୍ଟିଜେନ୍ ଟେଷ୍ଟକୁ ତ୍ୱରାନ୍ୱିତ କରିବାକୁ ହେବ । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଲକ୍ଷଣ ନ ଲୁଚାଇ ଟେଷ୍ଟିଂ କରିବା ପାଇଁ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନତା କରିବାକୁ ହେବ । ମାସ୍କ୍ ପିନ୍ଧିବା, ବାରମ୍ବାର ହାତକୁ ଧୋଇବା, ସାମାଜିକ ଦୂରତା ଏବଂ ବିନା କାରଣରେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ଗାଁ ଗଣ୍ଡାରେ ଲୋକଙ୍କୁ ସଚେତନତା କରିବା ଦିଗରେ ପଞ୍ଚାୟତ ସରପଞ୍ଚମାନେ ସେମାନଙ୍କ ସଂଘର୍ଷ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ସେହିପରି ଫାଇଭ୍ ଟି ସଚିବ ଶ୍ରୀ ପାଣ୍ଡିଆନ୍ ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତ ସରପଞ୍ଚ ସୁସ୍ମିତା ପ୍ରଧାନଙ୍କ ସହ ପଞ୍ଚାୟତରେ କରୋନା ସ୍ଥିତି ତଥା କୋଭିଡ୍ ପରିଚାଳନା କାର୍ଯ୍ୟ ସଂପର୍କରେ ପଚାରି ବୁଝିଥିଲେ । କୋଭିଡ୍ ପରିଚାଳନା କାର୍ଯ୍ୟ ଧାରାକୁ ବଜାୟ ରଖିବା ସହ ଆମକୁ ଶେଷ ପର୍ଯ୍ୟନ୍ତ ଲଢେଇ କରି ନିଜ ନିଜ ପଞ୍ଚାୟତରୁ କରୋନା ମୁକ୍ତ କରିବା ପାଇଁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ହେବ । ପଞ୍ଚାୟତର ଥିବା ଗାଁ ଗାଁରେ ଲୋକମାନଙ୍କୁ ସଚେତନତା କରିବା ଆମ ପାଇଁ ଏବେ ଗୁରୁ ଦାୟିତ୍ୱ ରହିଛି ।
ଆହୁ କେତେକ ଦିନ ଆମକୁ ଲଢେଇ କରିବାକୁ ହେବ ତେବେ ଗଞ୍ଜାମ ଜିଲ୍ଲାରେ କରୋନାକୁ ସଂପୂର୍ଣ୍ଣ ଭାବେ ପ୍ରତିହତ କରିପାରିବା ବୋଲି ଶ୍ରୀ ପାଣ୍ଡିଆନ୍ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଭିଡିଓ କନଫରେନ୍ସିଂରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ୍ ପାଟୱାରି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ ଏବଂ ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଜିପିଇଓ ସହଦେବ ମହାରଣାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ।
Nalco
Leave A Reply