ଛତ୍ରପୁର,୭/୮: କୋଭିଡ ସମୟରେ ଗଂଜାମ ଜିଲ୍ଲାରେ କାର୍ଯ୍ୟ କରିଥିବା ମୃତ ସରକାରୀ ପରିବହନ ଠିକାଦାରଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ସହ ମୃତଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ଗଂଜାମ ଜିଲ୍ଲା ସରକାରୀ ଠିକାଦାର ସଂଘ ପକ୍ଷରୁ ଦାବି ହୋଇଛି । ଏହି ସଂକ୍ରାନ୍ତରେ ଶୁକ୍ରବାର ସଂଘ ପକ୍ଷରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ବିନିତା ସ୍ୱାଇଁ, ସତ୍ୟନାରାୟଣ ସ୍ୱାଇଁ, ପ୍ରମୋଦ କୁମାର ସାହୁ, ବିମ୍ବାଧର ତ୍ରିପାଠୀ, ଏସ୍.ସୁବାସ ଚନ୍ଦ୍ର ପାତ୍ର, ଟୁଟୁ ସ୍ୱାଇଁ,କବୀନ୍ଦ୍ରନାଥ ପଣ୍ଡା ଓ ଶିଶିର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଗତ ୨ତାରିଖରେ ସରକାରୀ ଠିକାଦାର ସଂଘର ଜଣେ ସଦସ୍ୟ ତଥା ଲକ୍ଷ୍ମୀନାରାୟଣ ପାତ୍ର(୩୭)ଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ ଏଲ୍-୨, ଏମ୍ଡିଏମ୍ ଏବଂ ଏସ୍ଏନ୍ପି ଠିକାଦାର ରୂପେ କାର୍ଯ୍ୟ କରିଆସୁଥିଲେ ।
କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ଓ ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଗହମ ଓ ଚାଉଳ ବଣ୍ଟନ କାର୍ଯ୍ୟ ମଧ୍ୟ କରୁଥିଲେ । କରୋନା ମହାମାରୀ ସମୟରେ ଯୋଦ୍ଧା ଭଳି କାର୍ଯ୍ୟ କରି ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସ୍ୱର୍ଗତ ଲକ୍ଷ୍ମୀନାରାୟଣଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ତାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ସରକାରୀ ଠିକାଦାର ସଂଘ ପକ୍ଷରୁ ଦାବି ହୋଇଛି ।
