Odisha news

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା

0
ଛତ୍ରପୁର : ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସିଆରସିସି ଓ ବିଇଓମାନେ ଦାୟିତ୍‌ବବାନ୍ ହେବାକୁ ହେବ । ଆସନ୍ତାକାଲି ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ବାହାରିବ । ପିଲାଙ୍କ ପରୀକ୍ଷା ଫଳାଫଳର ପ୍ରତିଶତକୁ ଆଧାର କରି ବିଦ୍ୟାଳୟ ଗୁଡିକୁ ବର୍ଗୀକରଣ କରାଯିବ । କେଉଁ ବିଦ୍ୟାଳୟର କେଉଁ ବିଷୟରେ ପିଲାମାନେ ଉତ୍ତମ ଓ ନିମ୍ନ ପ୍ରତିଶତ ରଖିଛନ୍ତି । ଏହାର ମଧ୍ୟ ବର୍ଗୀକରଣ କରାଯାଇ ଉକ୍ତ ବିଦ୍ୟାଳୟ ଗୁଡିକୁ ଫୋକସ୍ ରଖାଯାଇପାରିବ । ତେବେ ୨୦୨୩-୨୪ ଶିକ୍ଷାବର୍ଷରେ ବିଦ୍ୟାଳୟ ଗୁଡିକ ସମେତ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ତଥା ପ୍ରମୁଖ ଶାସନ ସଚିବ ଅସ୍ୱତି ଏସ୍ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ସେ କହିଛନ୍ତି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଗୁଣବତ୍ତା ବିକାଶ ଲାଗି ସିଆରସିସିମାନଙ୍କ ଭୂମିକା ଅଧିକ ରହିଛି । ସେମାନଙ୍କ ଅଧିନରେ ଥିବା ବିଦ୍ୟାଳୟ ଗୁଡିକୁ ନିୟମିତ ପରିଦର୍ଶନ କରି ଉକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିବାକୁ ହେବ । କେଉଁ ଶିକ୍ଷକଙ୍କୁ ଯେଉଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ତାହାର କିପରି କାର୍ଯ୍ୟକାରୀ ହେଉଛି ନିୟମିତ ତଦାରଖ କରିବାକୁ ପଡିବ । ସିଆରସିସିମାନେ କମ୍ପ୍ୟୁଟର ବ୍ୟବହାର କରି ପ୍ରତି ସ୍କୁଲର ପ୍ରତ୍ୟେକଙ୍କ ଶିକ୍ଷକଙ୍କ ଦାୟିତ୍ୱ ସୂଚୀ ଡାଟାକୁ ନିଜ କମ୍ପ୍ୟୁଟରେ ରଖି କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ । ସିଆରସିସିମାନଙ୍କ କାର୍ଯ୍ୟକୁ ବିଇଓମାନେ ମନିଟରିଂ କରିବେ । ତେବେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଗୁଣବତ୍ତାରେ ବିକାଶ ହୋଇପାରିବ । ସମସ୍ତଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରୁସ୍କାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।
ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାରରେ ଶ୍ରେଷ୍ଠ ବିଦ୍ୟାଳୟ, ଶ୍ରେଷ୍ଠ ବିଇଓ,ର୍ଶ୍ରଷ୍ଠ ସିଆରସିସି, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଡାଇଟ୍‌, ଶ୍ରେଷ୍ଠ ଛାତ୍ର ଓ ଛାତ୍ରୀ ଏଭଳି ବର୍ଗୀକରଣ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗର ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକର ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ବାବଦରେ ଅର୍ଥାତ୍ ବିଦ୍ୟୁତ୍ ବିଲ୍ ଏବଂ ଅନ୍ୟାନ୍ୟ ବାବଦରେ ଯୋଗାଇ ଦିଆଯାଉଥିବା ଅନୁଦାନକୁ ନେଇ ଆଲୋଚନା କରାଯାଇଥିଲା । ଆବଶ୍ୟକ ସ୍ଥଳେ ଅନୁଦାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ବିଭାଗକୁ ଜଣାଇବା ପାଇଁ କୁହାଯାଇଥିଲା । ନିଜସ୍ୱ ନାମରେ ଜମିପଟ୍ଟା ପ୍ରଦାନ କରିବା ବାକି ରହିଥିବା ବିଦ୍ୟାଳୟ ଗୁଡିକର ଜମିପଟ୍ଟା କାର୍ଯ୍ୟ ସାରିବାକୁ କୁହାଯାଇଛି । ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଥିଲା । ସେହିପରି େଉଁ ଛାତ୍ରଛାତ୍ରୀଙ୍କ ଗୋଟିଏ ବିଦ୍ୟାଳୟ ପରିବର୍ତ୍ତେ ଏକାଧିକ ବିଦ୍ୟାଳୟରେ ନାମ ଥିବ ସେହି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଦକ୍ଷେପ ନେବାକୁ କୁହାଯାଇଛି । ଏହାସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ଶିକ୍ଷା ବିଭାଗର ଅନ୍ୟାନ୍ୟ ବିଷୟକୁ ନେଇ ସମୀକ୍ଷା କରିଥିଲେ ।
 ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭୀ.କୀର୍ତ୍ତିଭାସନ୍‌, ପ୍ରବେସନାରୀ ଆଇଏଏସ୍ ଅଫିସର ସୁଶ୍ରୀ ଧିନା, ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ, ଡାଇଟ୍ ପ୍ରିନ୍ସପାଲ୍ ଡ.ଆହୁତି ବରାଳ, ସମଗ୍ର ଶିକ୍ଷା ଅଭିଯାନର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ବରିଷ୍ଠ ବୈଷୟିକ ପରାମର୍ଶଦାତା ଇଂ ମନୋଜ କୁମାର ବେହେରା ଓ ଇଂ ନୀଳକଣ୍ଠ ସୁନ୍ଦରାୟଙ୍କ ସମେତ ସମସ୍ତ ବିଇଓ, ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply