ଛତ୍ରପୁର ୨୬/୪ : ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଉପଖଣ୍ଡ ସ୍ତରରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମକଣ୍ଟକ ପଟ୍ଟା ପ୍ରଦାନ ପାଇଁ ସମୟସୀମା ବୃଦ୍ଧି ପାଇଥିବାରୁ ସଠିକ୍ ହିତାଧିକାରୀ ମାନଙ୍କୁ ଚୟନ କରି ଗ୍ରାମ କଣ୍ଟକ ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ କରିବା ପାଇଁ କୁହାଯାଇଥିଲା । ବନ୍ୟା, ବାତ୍ୟା, ସାପ କାମୁଡା ଓ ବିଜୁଳି ଆଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଅନୁକମ୍ପା ରାଶିକୁ ତୁରନ୍ତ ପ୍ରଦାନ କରିବା ସହ ବିଭିନ୍ନ ଜାତିଗତ ପ୍ରମାଣପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରଙ୍କୁ ଲୋକଙ୍କୁ ସଠିକ୍ ସମୟରେ ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବେଆଇନ ଇଟାଭାଟି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କ୍ରିମିନାଲ କେଶ୍ ନିମନ୍ତେ ପ୍ରସ୍ତାବ ଦେବାକୁ ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ପାତ୍ର ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।