ଛତ୍ରପୁର: କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୁଚାରୂ ରୂପେ ଦାୟିତ୍ୱ ସଂପାଦନ କରୁଥିବା ପ୍ରଶାସନ ଅଧିକାରୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ (ସତ୍ୟମ) ସେବା ନୃତ୍ୟକଳା କେନ୍ଦ୍ର (ଭାଗବତଗାଦୀ)ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁର ବ୍ଲକ ଘଡଘଡାପଲ୍ଲୀ ଗ୍ରାମ ସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ (ସତ୍ୟମ)ସେବା ନୃତ୍ୟକଳା କେନ୍ଦ୍ର(ଭାଗବତଗାଦୀ)ର ଦାସୁଡୁ ଆର୍.ସତ୍ୟମ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ଓ ଚମାଖଣ୍ଡି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ମିତାପ୍ରଜ୍ଞା ହୋତା, ସିଆରସିସି ଶୁକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
ଅନୁଷ୍ଠାନ ତରଫରୁ ଉପରୋକ୍ତ ଅତିଥିମାନଙ୍କୁ ପ୍ରଥମ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଅଙ୍ଗନବାଡି କର୍ମୀ, ଓଡିଶା ଜୀବିକା ମିସନ୍ର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେ.ସତ୍ୟନାରାୟଣ ରେଡ୍ଡୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାର ସହ ସଂପାଦକ ଅଶୋକ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଏମ୍.ନରସିଂହ ରେଡ୍ଡୀ ଧନ୍ୟବାଦଣ ଅର୍ପଣ କରିଥିଲେ । ବହୁବର୍ଷ ଧରି ଏହି ଅନୁଷ୍ଠାନ ଏବଂ ଅନୁଷ୍ଠାନର କଳାକାରମାନେ ନୃସିଂହ ଠାକୁରଙ୍କ କୋହଲା ବାଦ୍ୟ ଏବଂ ନୃତ୍ୟ ପାଇଁ କଟକ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖପାଟଣା ପର୍ଯ୍ୟନ୍ତ ଖ୍ୟାତି ଅର୍ଜନ କରିଛନ୍ତି । ଅନୁଷ୍ଠାନର ଏହି କୋହଲା ବାଦ୍ୟ ଓ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଲାଗି ଉଦ୍ୟମ ଜାରି ରଖିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁଷ୍ଠାନର ଦାସୁଡୁ ଏବଂ ସଭ୍ୟମାନେ ଅନୁରୋଧ କରିଛନ୍ତି ।