Odisha news

କୋଭିଡ୍ ପରିଚାଳନା କାର୍ଯ୍ୟକୁ ବ୍ୟାପକ କରିବା ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

0
ଛତ୍ରପୁର.୨୯/୭:   ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନରେ ଜୁମ୍  ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଜ୍ଞାପିତ ଅଞ୍ଚଳ ପରିଷଦର  କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ କୋଭିଡ୍ – ୧୯ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ  ।
ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ଅର୍ଥର ଅଭାବ ନାହିଁ, ସମସ୍ତେ ଯେପରି ଠିକ୍ ସମୟରେ ସଠିକ୍ ଔଷଧ ପାଇବେ ଏବଂ ସମସ୍ତ କୋଭିଡ୍ ପରିଚାଳନା କେନ୍ଦ୍ର ଗୁଡିକ ଠିକରୂପେ ପରିଚାଳନା ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ  ଅବଗତ କରାଇଥିଲେ  । ଲୋକଙ୍କ ଜୀବନ ଅତି ମୂଲ୍ୟବାନ, ତେଣୁ ସେମାନଙ୍କ ଜୀବନ ସୁରକ୍ଷା ଦିଗରେ ସମସ୍ତେ କୋଭିଡ୍ ପରିଚାଳନାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରନ୍ତୁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଆଜି ଜିଲ୍ଲା ସ୍ତରରୁ ପର୍ଯ୍ୟବେକ୍ଷକଗଣ କ୍ଷେତ୍ରକୁ ଯାଇ କୋଭିଡ୍ ପରିଚାଳନାଗତ କାର୍ଯ୍ୟ ଯାଂଚ୍ କରିବେ  । ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ମାନଙ୍କରେ ସଚେତନତା ଅଟୋରିକ୍ସା ପରିଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଚାର କରିବ  । ଜିଲ୍ଲାର ସମସ୍ତ ଆମ୍ବୁଲାନ୍ସର ଅକ୍ସିଜେନ ସ୍ଥିତି ଯାଂଚ୍ କରି ପୂର୍ବ ପ୍ରସ୍ତୁତ କରି ରଖନ୍ତୁ   । ସମସ୍ତ କୋଭିଡ୍ କେୟାର ସେଣ୍ଟର ମାନଙ୍କର ଶତକଡା ୫୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ୍ ବ୍ୟବସ୍ଥା କରନ୍ତୁ  । ସମସ୍ତ କୋଭିଡ୍ ଯୋଦ୍ଧା ମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ରଖନ୍ତୁ, ସେମାନଙ୍କୁ ମେଡିକାଲ କିଟ୍ ଦିଅନ୍ତୁ  । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିଲେ ତାଙ୍କର ଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ  ।
ମୃତ୍ୟୁବରଣ କରିଥିବା କୋଭିଡ୍ ଯୋଦ୍ଧା ପରିବାରଙ୍କ କଥା, ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅଧିକାରୀ ନିଜେ ବୁଝନ୍ତୁ  । କୋଭିଡ୍ ଯୋଦ୍ଧାଙ୍କ ଆତ୍ମୀୟ ସ୍ବଜନ ପାଇବାକୁ ଥିବା ସହାୟତା ରାଶି ଓ ମାସିକିଆ ଭତ୍ତା ରାଶି କିପରି ପାଇବେ ତାର ଆବେଦନ ପତ୍ର ସେମାନଙ୍କ ଦ୍ବାରା ପୂରଣ କରିବାର ପ୍ରକ୍ରିୟା ଦେଖନ୍ତୁ   ।
କୋଭିଡ୍ ସେଣ୍ଟର ଗୁଡିକରେ ତିନି ପ୍ରକାର ନଥିପତ୍ର ପ୍ରଚଳନ କରାଯିବ  । ସେଥିରେ ସଠିକ୍ ତଥ୍ୟ ଯେପରି ରହିବ ସେଥିପ୍ରତି ଦୃଷ୍ଚି ଦିଅନ୍ତୁ  । ପାରଳା ମହାରାଜା କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଅକ୍ସିଜେନ୍ ରହିତ ଅଧିକ ଶଯ୍ୟା ବୃଦ୍ଧି କରାଯିବ  । ଜିଲ୍ଲା ରେ ହେଉଥିବା ମୃତ୍ୟୁକୁ କିପରି ରୋକିହେବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଜଣାଇଥିଲେ  । ଲକ୍ଷଣ ଦେଖାଦେବା ପୂର୍ବରୁ ଯଦି ଚିହ୍ନଟ କରିବା ଓ ତଦନୁଯାୟୀ ତାର ପରୀକ୍ଷା କରି ଚିକିତ୍ସା କରିବା ତେବେ ମୃତ୍ୟୁକୁ ରୋକିପାରିବା  । ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୁଅନ୍ତୁ ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଗୁରୁତର ଅବସ୍ଥାକୁ ଆସିବା ପୂର୍ବରୁ ସେମାନେ ଚିହ୍ନଟ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିବେ  ।
 କୋଭିଡ୍ କେୟାର ସେଣ୍ଟର ଗୁଡିକରେ ପୁରୁଷ ଓ ମହିଳା ମାନଙ୍କ ପାଇଁ କରାଯାଇଥିବା ସ୍ବତନ୍ତ୍ର ସ୍ଥାନ ଗୁଡିକର ପରିଚାଳନା ଦାୟୀତ୍ବ ସଠିକ କରନ୍ତୁ  ।
 ଓ୍ବାଲ୍ ପେଣ୍ଟଂ, ଓ୍ବାଲ ରାଇଟିଂ କରି ସଚେତନତା ବାର୍ତ୍ତା କୁ ବ୍ୟାପକ କରନ୍ତୁ  । ତହସିଲଦାର ଓ ଥାନା ଅଧିକାରୀ ଗଣ ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଚଢାଉ କରନ୍ତୁ  । ସୁପର ସ୍ପ୍ରେଡର୍ ମାନଙ୍କୁ ଚିହ୍ନଟ କରି ତାଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖନ୍ତୁ  । ମନ୍ଦିର, କୋଠଘର କିମ୍ବା ଗଛତଳେ ଥିବା ପିଣ୍ଡିରେ ବସି ଗପସପ କରୁଥିବା କିମ୍ବା ତାସ୍ ଖେଳୁଥିବା ବ୍ୟକ୍ତିଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ଏତେଲା ଦାୟର କରନ୍ତୁ  ।
୧୦ ରୁ ୧୨ ଜଣ ବ୍ୟକ୍ତିଙ୍କୁ ନେଇ ଅଟୋରିକ୍ସା ଗୁଡିକ ଚାଲୁଥିବା ନଜରକୁ ଆସୁଛି  । ସେଗୁଡିକୁ ଚଢାଉ କରାଯାଉ ଏବଂ ଆଞ୍ଚଲିକ ପରିବହନ ଅଧିକାରୀ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାପାଳ ଜଣାଇଥିଲେ  ।
ନରେଗାରେ ଗ୍ରାମାଞ୍ଚଳ ଲୋକେ ତାଙ୍କ ଗ୍ରାମରେ ଯେପରି କାମ ପାଇବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ  । ଗ୍ରାମାଞ୍ଚଳ ଲୋକେ କାମ ପାଇଁ ଯେମିତି ସହରକୁ ଆସିବେ ନାହିଁ ତାହା ସୁନିଶ୍ଚିତ କରନ୍ତୁ  । ସ୍ବାବ୍ ଟେଷ୍ଟ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ  ।
 ଆଗାମୀ ଦିନେ ଦୁଇଦିନ ମଧ୍ୟରେ ସ୍ବତନ୍ତ୍ର ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଅଶ୍ବିନ  ଦ୍ବାରା କରାଯାଉଛି  । ଏହି ଦୁଇଟି ହେବା ପରେ କ୍ରିଟିକାଲ୍ କେସ୍ ଜନୀତ ରୋଗର ଚିକିତ୍ସା ସମ୍ଭବ ହୋଇପାରିବ ଓ ଜିଲ୍ଲାବାସୀ ଉପକୃତ ହୋଇପାରିବେ  ।
ଖୋଲାଯାଉଥିବା ଦୋକାନ ଗୁଡିକ ୫ ସୂତ୍ର ପାଳନ କରୁଛନ୍ତି ନା ନାହିଁ ତାହା ତଦାରଖ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  ।  ଜୁମ୍ ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସମସ୍ତ ସଂପୃକ୍ତ ଅଧିକାରୀ ଗଣ ଅଂଶ ଗ୍ରହଣ କରିଥିଲେ  ।
Leave A Reply