Odisha news

ଦୁଇଟି ଲୁଟ ଘଟଣାରେ ଛତ୍ରପୁର ପୋଲିସ କୁ ମିଳିଲା ସଫଳତା

ଛତ୍ରପୁର,୧୯/୨: ଛତ୍ରପୁର ଥାନା ଅନ୍ତର୍ଗତ ସହରରେ ଗତ ଅଗଷ୍ଟ ଓ ଡିସେମ୍ବରରେ ହୋଇଥିବା ଦୁଇ ସୁନା ଅଳଙ୍କାର ଲୁଟ୍ ଘଟଣାର ଗରିଫ ଅଭିଯୁକ୍ତ ବ୍ରହ୍ମପୁର ର ଶିବ ମହାନ୍ତିଙ୍କୁ ୨ ଦିନ ରିମାଣ୍ଡରେ ସ୍ଥାନୀୟ ପୋଲିସ ଆଣିଥିଲେ । ଶୁକ୍ରବାର ତାଙ୍କ ରିମାଣ୍ଡ ଅବଧି ସରିଛି । ତେବେ ଅଭିଯୁକ୍ତ ଶିବଙ୍କୁ ରିମାଣ୍ଡରେ ଆଣିବା ଫଳରେ ଛତ୍ରପୁର ଥାନା ପୋଲିସକୁ ବେଶ୍ ସଫଳତା ମିଳିଛି । ରିମାଣ୍ଡରେ ଆଣି ଶିବକୁ ଗୁରୁବାର ଛତ୍ରପୁର ପୋଲିସ ଚୋରି ସୁନା ଅଳଙ୍କାର ଆଦି ଜବତ ପାଇଁ ବିଭିନ୍ନ ସ୍ଥାନକୁ ନେଇଥିଲା । ଭାଟକୁମରଡା ସ୍ଥିତ ଦୁଇତାଲା ଘରୁ ମହିଳାଙ୍କ ବେକରୁ ଚୋରି ଯାଇଥିବା ସୁନା ଅଳଙ୍କାର କୁ ଶିବ ଜବତ କରିବାରେ ପୋଲିସକୁ ସହାୟତା କରିଥିଲା ।

ଏଥିସହ ଶିବ ର ଅନ୍ୟତମ ସହଯୋଗୀ ତଥା ଫେରାର ସୁରଜ ପାଢୀ ର ଏକ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହା ଏକ ଚୋରି ବାଇକ୍ ବୋଲି ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି । ଜବତ ସୁନା ଚେନ୍ କୁ ଚୋରୀ ର ଶୀକାର ମହିଳାଙ୍କୁ ହସ୍ତାନ୍ତର କରାଯିବ ବୋଲି ଶୁକ୍ରବାର ଅପରାହ୍ନରେ ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଂଜନ ଛୋଟରାୟ ସୂଚନା ଦେଇଛନ୍ତି । ସିସି କ୍ୟାମେରା ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା ମିଳିଥିôବା ଥାନା ଅଧିାକରୀ ଶ୍ରୀ ଛୋଟରାୟ କହିଛନ୍ତି । ଖୁବଶୀଘ୍ର ଅନ୍ୟତମ ସହଯୋଗୀ ସୁରଜଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସୁରଜ ଓ ଶିବ ଜ୍ୱାଇଁ ଶଳା । ଶିବ ମହାନ୍ତି ର ଘର ବ୍ରହ୍ମପୁର ବଡବଜାର ଥାନା ଅଧିନ କ୍ରିଷ୍ଣା ପେଟା ସାହି ରେ ଏବଂ ସୁରଜ ପାଢୀ ର ଘର ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନ ଲାଂଜିପଲୀ ଅଂଚଳରେ ଏବଂ ଉଭୟ ମିଶି ଚୋରି କରିଥାନ୍ତି । ଚୋରି ବେଳ ଏମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିନଥାନ୍ତି । ଏଥିସହ ଚୋରା ଗାଡି ବ୍ୟବହାର କରି ସୁନା ଅଳଙ୍କାର, ଟଙ୍କା ଲୁଟ୍ ଆଦି କରିଥାନ୍ତି । ସୂରଜ ଚୋରି କରୁଥିବା ବେଳେ ବାଇକ୍ ଶିବ ଚଳାଇ ଉଭୟ ଚମ୍ପଟ ମାରିଥାନ୍ତି । ଉଭୟଙ୍କ ନାଁରେ ବ୍ରହ୍ମପୁର ର ବିଭିନ୍ନ ଥାନାରେ ୩୦ ରୁ ଉଦ୍ଧ୍ୱର୍ ଅପରାଧ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ର କହିବାନୁଯାୟୀ ବ୍ରହ୍ମପୁରରେ ବିଭିନ୍ନ ଅପରାଧିକ ମାମଲା ରେ ଜଡିତ ହେବା ପରେ ଶିବ ଓ ସୁରଜ ଛତ୍ରପୁର ଥାନା ଅଂଚଳରେ ୬ ମାସ ମଧ୍ୟରେ ୨ ଟି ଚୋରି କରିଥିବା ଅଭିଯୋଗ ହୋଇଥିଲା । ତେବେ ୨୦୨୦ ଡିସେମ୍ବର ୧୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ପାତ୍ର ସାହି ନିକଟରୁ ଜାମସେଦପୁରର ଆଶାଦେବୀଙ୍କ ସୁନାଚେନ୍ ଓ ମାଳି ଝାମ୍ପି ସୁରଜ ଓ ମୁଁ ଚୋରି କରିଥିବା ନେଇ ଶିବ ଗଣମାଧ୍ୟମ ଆଗରେ ମାନିଛନ୍ତି ।

ତେବେ ଅଗଷ୍ଟ ୨୬ ତାରିଖ ରାତିରେ ଶିବ ଛତ୍ରପୁର କୋର୍ଟ ଷ୍ଟେସନ ଗଳାଶଙ୍ଖ ନିକଟରେ ମା ଶରଳା ସୁନା ଦୋକାନୀ ଶରତ ସାହୁ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଙ୍କୁ ଆକ୍ରମଣ କରି ସୁନା , ରୁପା ଓ ଟଙ୍କା ନେଇଥିବା ମିଥ୍ୟା ବୋଲି ଶିବ କହିଛି । ତେବେ ପୂର୍ବ ରାଗ ଶୁଝାଇବାକୁ ଯାଇ ସୁନାଦୋକାନୀ ଶରତଙ୍କୁ ଆକ୍ରମଣ କରିଥିବା ଶିବ ସ୍ୱୀକାର କରିଛି । ଛତ୍ରପୁର ପରେ ସୂରଜ ଓ ଶିବ ହିଂଜିଳି ରେ ମଧ୍ୟ ଏକ ସୁନା ଅଳଙ୍କାର ଲୁଟ୍ କରିଥିଲେ ଏବଂ ପୋଲିସ ଚୋରି ସୁନା ଅଳଙ୍କାର ଜବତ କରିସାରିଛି ।

ଏହାପରେ ଉଭୟ ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅଧିନ ଚିଲିକା ଢାବାକୁ କାର୍ ରୁ ଓହ୍ଲାଇ ଖାଇବାକୁ ଯାଉଥିବାବେଳେ ଜଣଙ୍କ ଠାରୁ ଲୁଟ୍ କରିଥିଲେ । ତେବେ ତଳେ ପଡିଯିବାରୁ ଶିବ ପୋଲିସ ହାତରେ ଧରାପଡିଥିବା ବେଳେ ସୂରଜ ସେଠାରୁ ଚମ୍ପଟ ମାରିବାରୁ ସେ ଏଯାବତ ଧରାପଡିନି । ଅଧିକ ତଦନ୍ତ ପାଇଁ ଚିଲିକା ଜେଏମଏଫସି କୋର୍ଟରେ ଛତ୍ରପୁର ପୋଲିସ ଗତ ୧୧ତାରିଖ ଦିନ ରିମାଣ୍ଡ ରେ ନେବା ନିମନ୍ତେ ଆବେଦନ କରିଥିଲୋ ୧୭ତାରିଖରେ କୋର୍ଟର ଅନୁମତି ପାଇ ଶିବକୁ ବାଣପୁର ଜେଲ ୍ ରୁ ଛତ୍ରପୁର ଥାନା ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା ।

Comments are closed.