ଛତ୍ରପୁର ୨୧/୧୨: ଦିନକୁ ଦିନ ନାରୀ ନିର୍ଯ୍ୟାତନା, ନାବାଳିକା ଅପହରଣ, ଦୁଷ୍କର୍ମ, ହତ୍ୟା, ଚୋରି ଓ ଡ଼କାୟତି ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏସବୁକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଛନ୍ତି । ଏଥିସକାଶେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ନିମନ୍ତେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦାବି କରିଛନ୍ତି । ପରୀ, ସ୍ୱାତୀ, ପିହୁ, ଆୟୁଷ ଭଳି କୁନି କୁନି ପିଲା ମାନଙ୍କ ସହ ହେଉଥିବା ଅମାନବୀୟ ଅପହରଣ ଓ ଦୁଷ୍କର୍ମ ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରୀ ହତ୍ୟା ମାମଲା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ କଂଗ୍ରେସ ନେତା ଓ କର୍ମୀମାନେ ।
ଏହି ପରିପ୍ରେକ୍ଷୀରେ ଓଡିଶାର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସ୍ଥାନୀୟ ଅପର ବସଷ୍ଟାଣ୍ଡ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ଶମ୍ବୁ ପାଣିଗ୍ରାହୀ, ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥି ବେହେରା, ଗଣପତି ବାରିକ, ଜି. ଏରେୟା, ପୂର୍ବତନ ସରପଂଚ ଟି. କ୍ରିଷ୍ଣା ରେଡ୍ଡି, ମହେଶ ଗୌଡ଼, ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ସ୍ୱରୂପା ପାଣିଗ୍ରାହୀ, ଯୁବ କଂଗ୍ରେସର ସଭାପତି ଚିନ୍ମୟ କୁମାର ହୋତା, ବିଜୟ କୁମାର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର, ପ୍ରଶାନ୍ତ ବିଷୋୟୀ, ଅରବିନ୍ଦ ନାୟକ, ପ୍ରଭାତ ଚନ୍ଦ୍ର ସାମ,ନ୍ତରାୟ , ବୁଲା ଜେନାଙ୍କ ସମେତ ବହୁ ମହିଳା, ପୁରୁଷ ଓ ଯୁବକମାନେ ଉପସ୍ଥିତ ଥିଲେ ।