ଛତ୍ରପୁର : କୋଭିଡ୍‌-୧୯ ପଞ୍ଚସୂତ୍ରୀ ନିୟମକୁ କଡାକଡି ପାଳନ କରାଯାଉ ନଥିବା କାରଣ ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ବ୍ୟବସାୟ କରି ଭିଡ ଜମୁଥିବା ନେଇ କ୍ଷୁଦ୍ର ପନିପରିବା ବ୍ୟବସାୟୀଙ୍କୁ ବିକ୍ରି କରିବା ପାଇଁ ବାରଣ କରାଯାଇଛି । ଏନେଇ ଆଜି ବହୁ ସଂଖ୍ୟକ ବ୍ୟବସାୟୀଙ୍କ ପକ୍ଷରୁ ଛତ୍ରପୁର ଏନ୍‌ଏସି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ ବ୍ୟବସାୟୀଙ୍କୁ ବୁଝାସୁଝା କରିଥିଲେ ।

ସାମାଜିକ ଦୂରତା ଅବଲମ୍ବନ କରିବା ବଧ୍ୟତାମୂଳକ ରହିଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ବାରମ୍ବାର ନିର୍ଦ୍ଦେଶନାମା ରହିଛି । ଯେଉଁଠି ଏଭଳି ସ୍ଥିତି ଦେଖାଦିଏ ସେହି ଅଞ୍ଚଳର ଦୋକାନୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି । ବାଳିକା ଉଚ୍ଚ ବିଦ୍ୟାଳୟ ତଥା ମାର୍କେଟ ରୋଡ ରେ ଏଭଳି ରାସ୍ତା କଡରେ ବ୍ୟବସାୟ କରିବା ଦ୍ୱାରା ଭିଡ ଜମୁଛି । ଯାହାଫଳରେ ଛତ୍ରପୁର ସହରରେ କୋଭିଡ୍ ନିୟନ୍ତ୍ରଣ ସ୍ଥିତି ଆହୁରୀ ବିଗିଡିବାର ସମ୍ଭାବନା ରହିଛି । ଏଣୁ କିଛି ଦିନ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଏଠାରୁ ପନିପରିବା ବିକ୍ରି ବନ୍ଦ କରି ବ୍ୟବସାୟୀମାନେ ଭାଗ ଭାଗ ହୋଇ ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟ କଲେ ସ୍ଥିତି ସୁଧାର ଆସିପାରିବ ବୋଲି କହିଥିଲେ ।

କିନ୍ତୁ ବ୍ୟବସାୟୀମାନେ ଜିଦ୍‌ରେ ଅଟଳ ରହି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଘଟଣା ସ୍ଥଳେ ପହଞ୍ଚି ବ୍ୟବସାୟୀମାନଙ୍କୁ ବୁଝାସୁଝା କରିଥିଲେ । ଜିଲ୍ଲା ତଥା ଛତ୍ରପୁର ସହରରେ କରୋନା ସ୍ଥିତି ନିୟନ୍ତ୍ରଣ ହେବାରେ ଲାଗିଛି ।

ଆଉ ୨ ମାସ ଧରି ଆମକୁ ମୁକାବିଲା କରିବାର ରହିଛି । ଦୁଇମାସ ପର୍ଯ୍ୟନ୍ତ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ପନିପରିବା ବିକ୍ରି ନ କରି ଅନ୍ୟ ସ୍ଥାନ ଗୁଡିକରେ ଭାଗ ଭାଗ ହୋଇ ବିକ୍ରି କରାଗଲେ ଲୋକଙ୍କ ଭିଡ ହ୍ରାସ ପାଇବ । ଏଥିପାଇଁ ବ୍ୟବସାୟୀମାନେ ପ୍ରଶାସନକୁ ସହଯୋଗ କରିବାକୁ କହିଥିଲେ । ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ହେବାପରେ ପୁଣି ଯେଉଁ ସ୍ଥାନରେ ବିକ୍ରି କରୁଥିଲେ ସେଠାକୁ ଫେରିବେ ବୋଲି ତହସିଲଦାର କହିଥିଲେ । ଏହାପରେ ବ୍ୟବସାୟୀମାନେ ଆନ୍ଦୋଳନ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here