ଛତ୍ରପୁଏ :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସଂକ୍ରମଣକୁ ରୋକିବା ପାଇଁ ଏବେ ଆଉ ଏକ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ପୁନର୍ବାର ସ୍ୱାସ୍ଥ୍ୟ ଯାଂଚ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁବାର ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍ଏସି ରେ ମଧ୍ୟ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଛି । ଡାକ୍ତର, ଆଶା, ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ମାନେ ଲୋକଙ୍କ ଘରକୁ ଘର ବୁଲି ସୁସ୍ଥ ବ୍ୟକ୍ତିଙ୍କୁ ବିଭିନ୍ନ ବିଷୟରେ ପଚାରୁଛନ୍ତି ।
ଥର୍ମାଲ୍ ସ୍କେନିଂ ଓ ପଲସ୍ ମପାଯିବା ସହ ଯଦି କିଛି ସମସ୍ୟା ଦେଖାଯାଉଛି ତେବେ ଆବଶ୍ୟକୀୟ ଔଷଧ ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏନ୍ଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡରେ ଶୁକ୍ରବାର ଏପରି କାର୍ଯ୍ୟକ୍ରମ କରାଯାଇଛି । ୱାର୍ଡର ୧୮ଜଣ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ବିଭିନ୍ନ ଟେଷ୍ଟ୍ କରାଯିବା ସହ ସେମାନଙ୍କ ସୁବିଧା ଅସୁବିଧା କଥା ଏହି ଟିମ୍ ବୁଝିଥିଲେ । ସେଥି ମଧ୍ୟରୁ ୪ଜଣ ପ୍ଲାଜମା ଦାନ କରିବାକୁ ଇଛୁକ ଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର କାମଦେବ ପାଢୀ, ୱାର୍ଡ ଅଫିସର କବିତାରାଣୀ ଦାସ, ଅଙ୍ଗନବାଡ଼ି କର୍ମୀ ମଂଜୁବାଳା ପାଣିଗ୍ରାହୀ, କୋଭିଡ୍ ମନିଟର ସୁଜାତା ପଣ୍ଡା ଓ ନମିତା ବେହେରା, ଆଞ୍ଚଳିକ ପରିଦର୍ଶିକା ଭାରତୀ ବେହେରା, ଅଙ୍ଗନବାଡ଼ି ହେଲପର ଅଞ୍ଜନା ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଛନ୍ତି । ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାପାଳ ଓ ଡିଆରଡିଏ ପିଡ଼ିଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁଙ୍କ ନେତୃତ୍ୱରେ ଗୁରୁବାର ଠାରୁ ଏନଏସିର ବିଭିନ୍ନ ୱାର୍ଡରେ କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି ।