Odisha news

ବଡଚଣା : ତିନି ଦଳର ପ୍ରାର୍ଥୀଙ୍କ ପ୍ରଚାର ଜମୁଛି , ହେଲେ ଭୋଟରଙ୍କ ମତିଗତି ସ୍ଥିର

0
ଚଣ୍ଡିଖୋଲ :  ରାଜନୈତିକ ଦୃଷ୍ଟି କୋଣରୁ ଯାଜପୁର ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ବଡଚଣା ଜଣାସୁଣା ! କାରଣ ଏହି ମାଟିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ,ଧନଞ୍ଜୟ ଲେଙ୍କା,ଦୁସାଷନ ଜେନା,ମାନଗୋବିନ୍ଦ ସାମଲ,ସୀତାକାନ୍ତ ମହାପାତ୍ରଙ୍କ ଠାରୁ ଆରମ୍ଭକରି ବର୍ତ୍ତମାନର ବିଧାୟକ ଅମରପ୍ରସାଦ ଶତପଥୀଙ୍କ ପର୍ଯ୍ୟନ୍ତ ବହୁ ସ୍ତିତପ୍ରଜ୍ଞ ଓ ଜନନେତା ମାନେ ନିର୍ବାଚିତ ହୋଇ ରାଜ୍ୟ ରାଜନିତିରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଛନ୍ତି! ଯାହାକୁନେଇ ଏହି ନିର୍ବାଚନ ମଣ୍ଡଳୀ ଅନ୍ୟଠାରୁ ଭିନ୍ନ ଓ ସ୍ୱତନ୍ତ୍ର ଭାବେ ମାନ୍ୟତା ହାସଲ କରିଛି! ତେବେ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଏଠାରେ ଏକ ଭିନ୍ନ ଧରଣର ଲଢେଇ ହେବାକୁ ଯାଉଛି!
ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓ ପରେ ଏଠାରୁ ଅନେକ ତୁଙ୍ଗ ନେତାଙ୍କ ଦଳବଦଳ ଏଠା ରାଜନିତି ଗଣିତକୁ ଏପଟ ସେପଟ କରିଛି! ତେବେ ନିର୍ବାଚନ ପାଇଁ ତାରିଖ ଘୋଷଣା ଓ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଠାରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି! ଏଠାରେ ଟିକେଟ ଆସାୟୀ ଥିବା ପ୍ରମୁଖ ଅନ୍ୟ ଦୁଇ ଦାବିଦାରଙ୍କ ସହ  ଗତ ୬ଥର ଧରି ଏଠାରେ ବିଧାୟକ ରହି ଆସିଥିବା ଅମାୟୀକ ତଥା ଲୋକପ୍ରିୟ ନେତା ଅମରପ୍ରସାଦ ଶତପଥୀଙ୍କୁ ବିଜେଡି ଟିକେଟ ନଦେଇ ଅପ୍ରତ୍ୟାଶିତ ଭାବେ ନବାଗତା ସେଲିବ୍ରିଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି!ସେହିପରି ଗତ ୨୦୧୯ ନିର୍ବାଚନରେ ଖୁବକମ ବ୍ୟବଧାନରେ ବିଜେଡିଠାରୁ ପରାଜିତ ହୋଇଥିବା ଅମର ନାୟକଙ୍କୁ ବିଜେପି ପୁନର୍ବାର ଦଳୀୟ ପ୍ରାର୍ଥୀ କରିଥିଲା ବେଳେ କଂଗ୍ରେସ ମଧ୍ୟ ଗତଥର ନିର୍ବାଚନ ଲଢିଥିବା ଅଜୟ ସାମଲଙ୍କୁ ଏଠାରେ ପୁଣି ରିପିଟ କରିଛି! ସ୍ୱାମୀ ପଛେ ମରୁ ସଉତୃଣୀ ରାଣ୍ଡ ହେଉ ନିତିରେ ବିଧାୟକ ଅମର ଶତପଥୀଙ୍କ ନିକେଟ କଟିବାର ପ୍ରକ୍ରିୟା ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଏଠାରୁ ପ୍ରାର୍ଥୀ ଘୋଷଣା କରି ତିନି ଗୋଷ୍ଠୀର ଦଳୀୟ କନ୍ଦଳକୁ ପ୍ରଶମିତ କରିଛି ସତ ହେଲେ ନିର୍ବାଚନ ମଣ୍ଡଳୀ ବାହାରର ହୋଇଥିବାରୁ ତଥା ରାଜନିତିରେ ସମ୍ପୂର୍ଣ୍ଣ ନବାଗତା ହୋଇଥିବାରୁ ଏଠାରେ ନିର୍ବାଚନ ପରିଚାଳନା କରିବା ବର୍ଷାଙ୍କ ପାଇଁ ସହଜ ହେବା ମନେ ହେଉନାହିଁ! ସବୁପରେ ବି ଏଠା ବିଜେଡିର ତିନିଗୋଷ୍ଠୀ ନେତୃବୃନ୍ଦଙ୍କୁ ନେଇ ବର୍ଷା ଇତିମଧ୍ୟରେ ତାଙ୍କ ପ୍ରଚାରକୁ ଯୋରଦାର କରିଛନ୍ତି!
ଇତିମଧ୍ୟରେ ସେ ବଡଚଣାର ୪୩ ପଞ୍ଚାୟତ ମଧ୍ୟରୁ ୧୫ଟି ପଞ୍ଚାୟତରେ ମାରାଥନ ପ୍ରଚାର କରି ଘରଘରବୁଲି ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରିବାକୁ ଲୋକମାନଙ୍କୁ ବୁଝାଉଛନ୍ତି! ବର୍ଷା ଜଣେ ସେଲିବ୍ରିଟି ହୋଇଥିବାରୁ ତାଙ୍କ ପାଖରେ ଲୋକମାନଙ୍କ ଭିଡ ପରିଲକ୍ଷିତ ହେଉଛି! ବଡଚଣା ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ,ବ୍ଳକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ନନ୍ଦ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ଜିଲ୍ଲା ପରିଷଦ ସଭ୍ୟ ଯତିନ୍ଦ୍ର ନାୟକଙ୍କ ସହ ବିଜେଡିର ଦଳୀୟ ନେତୃବୃନ୍ଦ ବର୍ଷାଙ୍କ ସହ ଘରଘର ବୁଲି ପ୍ରଚାରରେ ସାମିଲଥିବା ଦେଖାଯାଉଛି! ତେବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଉଭୟେ ବଡଚଣା ମାଟିର ପୁଅ ହିସାବରେ ସେହି ପ୍ରସଙ୍ଗକୁ ଆଧାରକରି ଗାଁ ଗାଁ ବୁଲି ପ୍ରଚାରକୁ ଯୋରଦାର କରିଛନ୍ତି! ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ସହ ଜିଲ୍ଲା ସମ୍ପାଦକ ପ୍ରମୋଦ ଜେନା ପ୍ରିତମ ନାୟକ,ଜିଲ୍ଲା ସାଧାରଣ ସମ୍ପାଦୀକା ଦେବଯାନୀ ପ୍ରଧାନଙ୍କ ସହ ସ୍ଥାନୀୟ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ଓ ବଡଚଣା ବିଜେପିର ୫ଟି ମଣ୍ଡଳର ନେତୃବୃନ୍ଦ ପ୍ରଚାରରେ ସାମିଲ ହୋଇଛନ୍ତି!ସ୍ଥାନୀୟ ପ୍ରସଙ୍ଗ ଓ ମୋଦିଙ୍କ ଅନ୍ତ ସ୍ରୋତକୁ ଆଧାରକରି ବିଜେପି ଏଠାରେ ବିଜୟୀ ହେବାକୁ ଚେଷ୍ଟା ଚଳାଇଛି!
ସ୍ଥାନୀୟ ପ୍ରସଙ୍ଗ ନେଇ ବିଜେପିର ପ୍ରଚାର ଏବେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଦେଖାଯାଉଛି! ସେହିପରି କଂଗ୍ରେସ ଟିକେଟ ଘୋଷଣାରେ ବିଳମ୍ବ କରିବା ସତ୍ୱେ ପ୍ରାର୍ଥୀ ଅଜୟ ସାମଲ ଏବେ ବିଭିନ୍ନ ପଞ୍ଚାୟତରେ ପ୍ରଚାରକୁ ଆଗେଇ ନେଇଛନ୍ତି! ତାଙ୍କ ସହ ପିସିସି ଉପସଭାପତି ସୁଭେନ୍ଦୁ ମହାନ୍ତି, ବ୍ଳକ କଂଗ୍ରେସ ସଭାପତି ସୁରେଶ ସାହାଣୀଙ୍କ ସହ ଦଳୀୟ ନେତାମାନେ ପ୍ରଚାରରେ ସାମିଲ ହୋଇଛନ୍ତି! ଗତ ୨୦୧୯ ନିର୍ବାଚନରେ ଏଠାରେ ଅମରପ୍ରସାଦ ଶତପଥୀ ୬୪ହଜାର ୮୪ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପିର ଅମର ନାୟକ ୬୨ ହଜାର ୫୯୯ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଅଜୟ ସାମଲ ୯ହଜାର ୩୨୨ଖଣ୍ଡ ଭୋଟ ପାଇଥିଲେ!ତେବେ ଶ୍ରୀ ଶତପଥୀ ମାତ୍ର ୧୪୮୫ ଖଣ୍ଡ ଭୋଟରେ ବୀଜୟୀ ହେବା ସହ ଏଠାରେ ବିଜେଡି ୪୬.୬୪% ,ବିଜେପି ୪୫.୫୫% ଓ କଂଗ୍ରେସ ମାତ୍ର ୬.୭୮% ଭୋଟ ପାଇଥିଲା! ଗତ ନିର୍ବାଚନ ସମୟରେ ଏଠାରେ ମୋଟ ୧ ଲକ୍ଷ ୮୧ ହଜାର ୫୦୭ ଭୋଟର ରହିଥିଲା ବେଳେ ଚଳିତ ୨୦୨୪ରେ ତାହା ୧୧ ହଜାର ୭୨୮ ବୃଦ୍ଧି ପାଇ ୧ ଲକ୍ଷ ୯୩ ହଜାର ୨୩୫ରେ ପହଞ୍ଚିଛି! ଗତ ନିର୍ବାଚନରେ ବିଜେଡି ଓ ବିଜେପିର ବିଜୟ ବ୍ୟବଧାନ ଓ ଭୋଟ ହାର ଅତି ପାଖାପାଖି ରହିଥିବାରୁ ଚଳିତ ନିର୍ବାଚନରେ ଶୃଙ୍ଖଳିତ ଗୋଟିଚାଳନା ଓ ଏକତାବଦ୍ଧ ଲଢେଇ ହିଁ ପ୍ରାର୍ଥୀଙ୍କ ଜୟର ଚାବିକାଠି ହେବବୋଲି ରାଜନୈତିକ ସମିକ୍ଷକମାନେ ମତଦେଇଛନ୍ତି!
Ad2
Leave A Reply