ଚଣ୍ଡିଖୋଲ,୨୬ ।୬ : ଚଣ୍ଡିଖୋଲ ଠାରେ ଅନେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାମାନେ ଗାଁ ଗହଳୀରେ ଦେଇଥିବା ଋଣ ଆଦାୟ ପାଇଁ ଏବେ ଜୋରଦାର ଜୁଲମ ଆରମ୍ବ କରିଛନ୍ତି । ସେମାନଙ୍କ ପ୍ରତି ପ୍ରତିବନ୍ଧକ ଲଗାଇବାକୁ ସାଧାରଣରେ ଦାବୀ ହେଉଛି । କରୋନା ମହାମାରୀ ପାଇଁ ଆଗାମୀ ଅଗଷ୍ଟ ମାସ ପର୍ଯ୍ୟନ୍ତ ଋଣ କିସ୍ତି ଆଦାୟ ପାଇଁ ଜୁଲମ ନକରିବାକୁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ନିଦେ୍ର୍ଦଶନାମା ଜାରି କରିଥିଲା ବେଳେ ଏହି ସଂସ୍ଥା ଗୁଡ଼ିକ ସେହି ଆଦେଶକୁ ଖୋଲା ଖୋଲି ଉଲଂଘନ କରୁଥିବା ଅଭିଯୋଗ ହେଉଛି ।
ପ୍ରକାଶ ଯେ, ଚଣ୍ଡିଖୋଲ ଠାରେ ଏଲ.ଆଣ୍ଡ.ଟି ଫାଇନାସ୍, ମାଇକ୍ରୋ ଫାଇନାସ, ବନ୍ଧନ, ଅରୋହଣ, ଅଧିକାର ସଂସ୍ଥା, ମାନପୁରମ ଓ ମୁଥୁଟ୍ ସୁନା ବନ୍ଦକ ଋଣ ପ୍ରଦାନ କାରୀ ଘରୋଇ ସଂସ୍ଥା ମାନେ ଏଠାରେ ଅଫିସ୍ ଓ ବ୍ୟାଙ୍କ ଖୋଲି ଗାଁ ଗହଳୀରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ସହାୟତାରେ ମହିଳାମାନଙ୍କୁ ବିପୁଳ ଭାବରେ ଋଣ ଲଗାଇଛନ୍ତି । ସେମାନେ ସାପ୍ତାହିକ, ୧୫ ଦିନିଆ ଓ ମାସିକିଆ କିସ୍ତି କରି ଋଣ ଆଦାୟ ବ୍ୟବସ୍ଥା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ନିଜ ଭିତରେ ପ୍ରତ୍ୟେକ ପରସ୍ପର ବନ୍ଧକ ଭାବେ ରହି ଏହି ଋଣ ନେଇଛନ୍ତି ଓ ପରିଶୋଦ ବେଳେ ସେହି ପଦ୍ଧତିରେ ପରିଶୋଦ କରିଥାନ୍ତି । ସୁଧହାର ଶତକଥା ୧୬ ଭାଗରୁ ଅଧିକ ଅଟେ ।
ଅଣସଂଗଠିତ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କୁଟୀର ଶିଳ୍ପ କରୁଥିବା ଗ୍ରାମାଞ୍ଚଳ ଲୋକମାନଙ୍କୁ ଏହି ଋଣ ସେମାନେ ଦେଇଥାନ୍ତି ବୋଲି ସାଧାରଣରେ ପ୍ରକାଶ କରନ୍ତି । ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଲକ୍ଡ଼ାଉନ୍ ଘୋଷଣା ହୋଇଯିବା ପରେ ସରକାର ତିନି ମାସ ପାଇଁ ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥାକୁ ଋଣ ଆଦାୟ ପାଇଁ ବ୍ୟାନ କରିଥିଲେ ।
ଏପ୍ରିଲ୍, ମେ ଓ ଜୁନ୍ ତିନି ମାସ ପାଇଁ ଋଣ ଆଦାୟ ବନ୍ଦ କରାଯାଇଥିଲା ଓ ପରବର୍ତ୍ତି କାଳରେ ଏବେ ମଧ୍ୟ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କର ଋଣିଙ୍କ ପ୍ରତି କୋହଳ ମନଭାବ ରହିଛି । ମାତ୍ର ତିନି ମାସ ବା ୧୨ ସପ୍ତାହ ଜୁନ୍ ମାସ ଶେଷ ଭାଗ ସୁଧା ସରିଯିବା ପରେ ପରେ ଏବେ ବିଭିନ୍ନ ବେସରକାରୀ ସଂସ୍ଥାମାନେ ଗାଁ ଗହଳୀରେ ଋଣ ଆଦାୟ ପାଇଁ ଜୋର ଦାର ପ୍ରାୟାସ ଆରମ୍ବ କରିଛନ୍ତି । ପ୍ରକୃତ ପକ୍ଷେ ଗାଁ ଗହଳୀରେ ଋଣ ନେଇଥିବା ମହିଳାମାନେ ଏପର୍ଯ୍ୟନ୍ତ କରୋନା ଓ ଲକ୍ଡ଼ାଉନରୁ ମୁକୁଳି ପାରିନାହଁନ୍ତି । ଅର୍ଥ ନୈତିକ ଅବସ୍ଥା ସୁଧୁରିବା ପାଇଁ କୌଣସି ବାଟ ହୋଇ ନାହିଁ ।
କିନ୍ତୁ ଏହି ସଂସ୍ଥାମାନେ ଗାଁ ଗହଳୀରେ ଗୋଷ୍ଠୀମାନଙ୍କ ଉପରେ କିସ୍ତି ଖିଲାପକାରୀ ଋଣୀ ମହିଳାଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । କିସ୍ତି ଖିଲାପ କଲେ ଭବିଷ୍ୟତରେ ଋଣ ମିଳିବ ନାହିଁ, ଅଧିକ ସୁଧ ଲାଗିବ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ଲାକ୍ ଲିଷ୍ଟ କରାଯିବ ଆଦି ଋଣ ଲଗାଣ କାରୀ ସଂସ୍ଥାର କର୍ମଚାରୀମାନେ ଗାଁ ଗହଳୀରେ ଧମକ ଦେଉଥିôବା ଅଭିଯୋଗ ହେଉଛି । କରୋନା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ କିସ୍ତି ଆଦାୟ ନକରିବା ପାଇଁ ଆଉ ତିନି ମାସ ସମୟସୀମା ବଢାଇଥିବା ବେଳେ ଏହି ସଂସ୍ଥାମାନେ ବାସ୍ତବରେ ରିଜରଭ ବ୍ୟାଙ୍କ ବା ଅନ୍ୟ କୌଣସି ସରକାରୀ ନୀତି ନିୟମ ପାଳନ କରୁଛନ୍ତି କି ନାହିଁ ତାହା ତଦରାଖ ହେବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।