Odisha news

ବଡ଼ଚଣା ବନ୍ୟା ସ୍ଥିତି ଗମ୍ବିର: ସ୍ଥିତି ସମୀକ୍ଷା କଲେ କମିଶନର ଓ ସଚିବ

0

ଚଣ୍ଡିଖୋଲ,୩୦ ।୮ : ପ୍ରଥମେ ବ୍ରାହ୍ମଣୀ ଓ ପରେ ମହାନଦୀ ସିଷ୍ଟମରେ ପ୍ରବଳ ବନ୍ୟା ଯୋଗୁ ବଡ଼ଚଣା ବ୍ଲକ୍ର ପରିସ୍ଥିତି ଗମ୍ବିର ହୋଇପଡ଼ିଛି । ଉକ୍ତ ବ୍ଲକ୍ ର ୨୬ ପଂଚାୟତର ୧୧୪ ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ଏବେ ବି ୯୦ ଉର୍ଦ୍ଧ ଗ୍ରାମ ପାଣି ଘେରରେ ରହିଛି । ଘର ଦ୍ୱାର ଛାଡ଼ି ୧୫ ହଜାରରୁ ଉର୍ଦ୍ଧ ଲୋକ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ରବିବାର ଦିନ ଖାଦ୍ୟ ଓ ଯୋଗାଣ ବିଭାଗ କମିଶନର ତଥା ଶାସନ ସଚିବ ବିର ବିକ୍ରମ ଯାଦବ ଏଠାରେ ପହଂଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଚଣ୍ଡିଖୋଲ ଡ଼ାକ ବଙ୍ଗଳାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଯାଦବ ଉପସ୍ଥିତ ହୋଇ ସମୀକ୍ଷା କରିଥିଲେ ।

ଏଥିରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମହାନଦୀ ସିଷ୍ଟମ ଯୋଗୁ ବଡ଼ଚଣାର ବ୍ୟାପକ ଅଂଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇ ସ୍ଥାୟୀ ପ୍ରତିକାର କରିବାକୁ ଦାବୀ କରିଥିଲେ । ଏଥି ସହ ଗୋ ଖାଦ୍ୟ, ଅଧିକ ଡ଼ଙ୍ଗା ଓ ବିପନ୍ନମାନଙ୍କ ଯଥାଶିଘ୍ର ପଲିଥିନ ଯୋଗାଇ ଦେବାକୁ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ବଡ଼ଚଣା ବଡିଓ ଅଜିତ ନାରାୟଣ ଗିରି, ତହସିଲଦାର ବରଣେନ୍ଦୁ ମହାନ୍ତି, ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ନିରଞ୍ଜନ ସେନାପତି ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Govt
Leave A Reply