ଚଣ୍ଡିଖୋଳ : ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ବକୁ ପ୍ରଥମରୁ ତୀବ୍ର ବିରୋଧ, ଗୋଚର, ଗ୍ରାମରାସ୍ତା ଅଧିଗ୍ରହଣ ଅଭିଯୋଗ
ଚଣ୍ଡିଖୋଳ : ୧୭୦ କୋଟି ଟଙ୍କା ବ୍ୟୟ ବରାଦରେ ଯାଜପୁର ଜିଲାର ବଡ଼ଚଣା ବ୍ଲକ୍ ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ବିଲିକଣା ଠାରେ ପ୍ରସ୍ଥାବିତ ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ବରୁ ତୀବ୍ର ବିରୋଧ ହୋଇଛି । ସ୍ଥାନୀୟ ଗୋଚର, ଗ୍ରାମରାସ୍ତା ଏହି ପ୍ରକଳ୍ପ ଜମି ଅଧିଗ୍ରହଣରେ ଚାଲିଯାଇଥିଲା ବେଳେ ସ୍ଥାନୀୟ ଲୋକଙ୍କ ସ୍ୱର୍ଥପ୍ରତି ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ କରି କେତେକ ଲୋକ ଏହାକୁ ବିରୋଧ କରିଛନ୍ତି । ଶୁକ୍ରବାର ଦିନ ପ୍ରକଳ୍ପ କାର୍ଯ୍ୟ ଆରମ୍ବ ପାଇଁ ଘଟଣା ସ୍ଥଳରେ ଠିକାଦାର ଓ ଯନ୍ତ୍ରୀ ପହଞ୍ଚିବା ପରେ ଲୋକେ ତାଙ୍କୁ ବିରୋଧ କରିଥିଲେ । ଖବର ପାଇ ବଡ଼ଚଣା ଥାନା ପୋଲିସ ସଦରବଳେ ଘଟଣା ସ୍ଥଳେ ପହଞ୍ଚି ନିୟନ୍ତ୍ରଣକୁ ଆଣିଥିବା ଜେଣାପଡ଼ିଛି । ଭୁବନେଶ୍ୱରର ଏମ.ଇ.ଆଇ.ଏଲ କନଷ୍ଟ୍ରକସନ କମ୍ପାନୀ ଏହି ମେଗା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦାୟୀତ୍ୱ ନେଇଛି ।
ଏହି ପଞ୍ଚାୟତର ବିଲିକଣା ଗ୍ରାମରେ ଥିବା ୫ଏକର ପରିମିତ ଅନାବାଦୀ ଜମିକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗକୁ ହସ୍ତାନ୍ତର କରାଯିବା ପରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ବ କରାଯାଇଛି । ତେବେ ଗତ ୪ମାସ ପୂର୍ବରୁ ଏହି ମେଗା ପ୍ରକଳ୍ପ କାର୍ଯ୍ୟର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟବଧି ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇନଥିଲା । ରାଧାଦେଇପୁର ପଞ୍ଚାୟତର ଦାମୋଦର ଦେଇ ଯାଇଥିବା ସାନଗେଙ୍ଗୁଟି ନଦୀ ଗର୍ଭରୁ ଏହି ପ୍ରକଳ୍ପକୁ ପାଣି ଯୋଗାଇ ଦିଆଯିବ । ସେହିପରି ସାନଗେଙ୍ଗୁଟି ନଦୀରୁ ଉଠାଯାଇ ବିଲିକଣା ଠାରେ ଏହି ପାଣିକୁ ବିଶୋଧନ କରାଯାଇ ବଡ଼ଚଣାର ୩୭ ଗୋଟି ପଞ୍ଚାୟତକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।
ଏଥି ପାଇଁ ବିଭିନ୍ନ ସ୍ଥାନରେ ୧୦୦ଟି ବଡ଼ ବଡ଼ ପାଣି ଟାଙ୍କି ନିର୍ମାଣ କରାଯିବ ଏବଂ ଏହି ପ୍ରକଳ୍ପ ଆସନ୍ତା ୨ବର୍ଷ ମଧ୍ୟରେ ପୁର୍ଣ୍ଣାଙ୍ଗ କରାଯିବ ବୋଲି ବିଭାଗ ସୁତ୍ରରୁ ଜଣାଯାଇଛି । ଅପରପକ୍ଷରରେ ବିଲିକଣା ଠାରେ ଏହି ପ୍ରୋଜେକ୍ସ ନିର୍ମାଣ ହେବାର ଘୋଷଣା ପରେ କଅଁରପୁର ଗ୍ରାମର ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଖାଇ ବିରୋଧ କରିଆସୁଥିଲେ । ବିଶୋଧନ ନିର୍ମାଣ ସ୍ଥଳଟି କଅଁରପୁର ଗ୍ରାମର ଶ୍ମଶାନ ଓ ଖେଳ ପଡ଼ିଆ ଏବଂ ଏହି ବାଟ ଦେଇ କଅଁରପୁର ଗ୍ରାମର ଚାଷୀମାନେ ସେମାନଙ୍କ ଜମିକୁ ଯାତାୟାତ କରୁଥିବାରୁ ଏହା ସେମାନଙ୍କ ପାଇଁ ସମସ୍ୟା ହେବା ଆଶଙ୍କାରେ ଗ୍ରାମର କେତେକ ଲୋକ ଏହାର ବିରୋଧ କରିଥିଲେ । ତେବେ ଆଜି ଜଳ ବିଶୋଧନ ହେବା ସ୍ଥାନରେ କାର୍ଯ୍ୟ ଆରମ୍ବ ସମୟରେ ବିରୋଧଭାସ ହେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିଥିବା ଜଣାପଡ଼ିଛି । ତେବେ ଲୋକଙ୍କ ସ୍ୱାର୍ଥ ହାନୀ ହେଲେ ପ୍ରକଳ୍ପକୁ ବିରୋଧ କରାଯିବ ବୋଲି କ୍ଷତିଗ୍ରସ୍ତ ଲୋକେ ପ୍ରକାଶ କରିଛ୍ନ୍ତି ।ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ବକୁ ପ୍ରଥମରୁ ତୀବ୍ର ବିରୋଧ, ଗୋଚର, ଗ୍ରାମରାସ୍ତା ଅଧିଗ୍ରହଣ ଅଭିଯୋଗ