Odisha news

ସହକାରୀ ଯନ୍ତ୍ରୀଙ୍କ କ୍ୱାଟର ମରାମତି କଲେ ଜିପିଓ,ମାସେ ନପୁରୁଣୁ କାନ୍ଥ ଫାଟିଲା

0

ଚଣ୍ଡିଖୋଲ : କରୋନା କଟକଣା ଆଳରେ ସତେ ଯେମିତି ସରକାରୀ କାମ ହୋଇଯାଉଛି ବାଟବଣା । ଏହି ସମୟ ମଧ୍ୟରେ କରାଯାଉଥିବା ସରକାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଦେଖାଯାଇଛି ଯାଜପୁର ଜିଲା ବଡଚଣା ବ୍ଲକ ପରିସରରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଗୃହ ମରାମତି କାର୍ଯ୍ୟରେ । ଆଶ୍ଚର୍ଯ୍ୟର କଥା ଯେ କୌଣସି ରାସ୍ତା କିମ୍ବା ଗୃହ ନିର୍ମାଣ ଓ ମରାମତି କାର୍ଯ୍ୟ ସାଧାରଣତଃ କନିଷ୍ଠ ଯନ୍ତ୍ରୀ ମାନଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥାଏ । ତେବେ ବଡଚଣା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ ବାସଗୃହ ମରାମତି ପାଇଁ ବ୍ଲକର ଗ୍ରାମ ପଂଚାୟତ ଅଧିକାରୀ (ଜିପିଓ) ଅମୀୟ ରଂଜନ ନାଥଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଛି ।

ଏହି ସରକାରୀ ବାସଗୃହ ମରାମତି ପାଇଁ ପଂଚାୟତ ସମିତି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୨.୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ମରାମତି କାମକୁ ଜିପିଓ ଅମୀୟ ରଂଜନ ନାଥଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା । ଗତ ଜୁନ ମାସରୁ କାର୍ଯ୍ୟ ଆରମ୍ଭ ହୋଇ ଜୁଲାଇ ମାସରେ ଶେଷ ହେବାର ଅବଧି ରହିଥିଲା । କାର୍ଯ୍ୟାଦେଶ ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇନାହିଁ । ତରବରିଆ ଭାବେ ଢୁ ଢୁ ବର୍ଷାରେ ମରାମତି ହୋଇଥିବା କାନ୍ଥରେ ରଙ୍ଗ ମରାଯାଉଛି । ଏପଟେ ମରାମତି ହେବାର ମାସେ ନପୁରୁଣୁ ଏହାର ଚର୍ତ୍ତୁପାଶ୍ୱର୍ରେ ଶିଉଳି ଲାଗିବା ସହ କାନ୍ଥ ଫାଟି ଗଲାଣି । ନିମ୍ନମାନର କାମକୁ ନେଇ କିଛିଦିନ ପୂର୍ବେ ବଡଚଣା ପଂଚାୟତର ବହୁ ଯୁବକ ବ୍ଲକ ସମ୍ମୁଖରେ ହୋ ହାଲ୍ଲା କରିଥିଲେ । ଏ ନେଇ ଜିପିଓ ଅମୀୟ ରଂଜନ ନାଥଙ୍କୁ ପଚାରିବାରୁ ତାଙ୍କ ନାମରେ କାର୍ଯ୍ୟାଦେଶ ଥିବା ସ୍ୱୀକାର କରିବା ସହ ଅନ୍ୟାନ କୌଣସି ବିଷୟରେ ମନ୍ତବ୍ୟ ଦେବାକୁ ମନା କରିଥିଲେ ।

Leave A Reply