ଚଣ୍ଡିଖୋଲ/ଛତିଆ,୫/୨: ଯାଜପୁର ଜିଲ୍ଲାର ବୈରୀ ଥାନା ଅନ୍ତର୍ଗତ ଛତିଆ ୧୬ ନମ୍ବର ଜାତୀୟ ରାଜପଥର ଏକ ପେଟ୍ରୋଲ ପମ୍ପରୁ ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ପଣ୍ଡ ହୋଇଛି! ତେବେ ବୈରୀ ଥାନା ପୋଲିସ ଅତର୍କିତ ଚଢାଉକରି ଡକାୟତ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା ବେଳେ ସେମାନଙ୍କ ପାଖରୁ ୨ଟି ଦେଶୀ ବନ୍ଧୁକ,ଦୁଇଟି ଜୀବନ୍ତ ଗୁଳି, ୫ଟି ମୋବାଇଲ ଫୋନ ଓ ଦୁଇଟି ମୋଟର ସାଇକେଲ ସହ ମାରଣାସ୍ତ୍ର ଜବତ କରିବାକୁ ପୋଲିସ ସକ୍ଷମ ହୋଇଛି! ଏ ସମ୍ପର୍କରେ ଯାଜପୁରରୋଡ ଏସଡିପିଓ ଓ ବୈରୀ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି! ଡକାୟତି ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁର ଏସ୍ ପି ଭିନ୍ନିତ ଅଗ୍ରୱାଲ ତୁରନ୍ତ କାର୍ଯାନୁୁଷ୍ଠାନ ପାଇଁ ବୈରୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ! ଏସ ପିଙ୍କ ନିର୍ଦେଶ ପରେ ଡିପିଓ ସଂଜୟ କୁମାର ପଟ୍ଟନାୟକ ଓ ବୈରୀ ଥାନା ଅଧିକାରୀ ପ୍ରଦୀପକୁମାର କାନୁନଗୋ ଛତିଆ ଅମରାବତୀ ପଡିଆରେ ସଦଳବଳ ଚଢ଼ାଉ କରିଥିଲେ! ଚଢୋଉ ବେଳେ ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ନିତ୍ୟାନନ୍ଦ ପୁର ଗାଁର ବିଜୟ ମଲ୍ଲିକ ଓରଫ ମଣ୍ଟୁ, କଟକ ଜିଲ୍ଲା ମାହାଙ୍ଗା ଘିସୁଆ ଗାଁର କୁନା ସାହୁ, କେନ୍ଦ୍ରାପଡ଼ା ଥାନା ଡେରାବିଶ ଚତ୍ରଚକଡା ଗାଁର ଚିତ୍ତରଞ୍ଜନ ମଲ୍ଲିକ ଓରଫ ବଳିଆ, ଯାଜପୁର ଜିଲ୍ଲା ଧର୍ମଶାଳା କ୍ଷେତ୍ରପାଳ ଗାଁର ଶଶାଙ୍କ ସେନାପତି ଓରଫ ମିଟୁ ଏବଂ ବଡ଼ଚଣା ଥାନା ସୁକାଦେଇପୁର ଗାଁର ପର୍ଶୁରାମ ବାରିକଙ୍କୁ କାବୁ କରିଥିଲେ! ପୋଲିସ ସେମାନଙ୍କୁ ପଚରାଉଚରା କରିବାପରେ ଜାତୀୟ ରାଜପଥର ନେଳିଆ ପେଟ୍ରୋଲପମ୍ପରୁ ଡକାୟତି ପାଇଁ ସେମାନେ ଯୋଜନା କରୁଥିବା ଜଣାପଡିଥିଲା!ପରେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ବିଜୟ ଠାରୁ ଗୁଳି ଭର୍ତ୍ତି ଗୋଟିଏ ଦେଶୀ ପିସ୍ତଲ ଓ ମୋବାଇଲ, କୁନା ପାଖରୁ ଗୋଟିଏ ଭୁଜାଲି ଓ ମୋବାଇଲ, ଚିତ୍ତରଞ୍ଜନ ପାଖରୁ ଗୁଳି ଭର୍ତ୍ତି ଗୋଟିଏ ଦେଶୀ ପିସ୍ତଲ ଓ ମୋବାଇଲ, ଶଶାଙ୍କ ଠାରୁ ଗୋଟିଏ ବଡ଼ ଛୁରୀ ଓ ମୋବାଇଲ, ପର୍ଶୁରାମ ଠାରୁ ଲୁହା ରଡ଼ ଓ ମୋବାଇଲ ଜବତ କରିଥିଲେ! ଏଥିସହ ସେମାନଙ୍କ ଠାରୁ ହୋଣ୍ଡା ସାଇନ୍ ଓ ଆପେଚ ବାଇକ ସମେତ ଅନେକ ମାଦକ ଦ୍ରବ୍ୟ ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି! ଏହି ଚଢାଉ ଫଳରେ ଏକ ବଡ଼ ଧରଣର ଡ଼କାୟତ ଯୋଜନା ପଣ୍ଡ ହୋଇଛି! ଏହି ଚଢ଼ାଉରେ ଏସ୍ଆଇ ଜହର ଆବି, ଏଏସଆଇ ଅକ୍ଷୟ କୁମାର ବେହେରା, କନେଷ୍ଟବଳ ଅସରଫ ଅଲ୍ଲୀ ରାଜ୍, ଜିତେନ୍ଦ୍ର ଖୁଣ୍ଟିଆ, ଦିଲ୍ଲିପ କୁମାର ସ୍ଵାଇଁ, ମହିଳା ଓଏପିଏଫ୍ ନନ୍ଦୀ ହେମ୍ବ୍ରମ୍ ଓ ମାଳତୀ ସଏ ପ୍ରମୁଖ ସାମିଲ ହୋଇଥିବା ବୈରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି!
