Odisha news

ରାହାଡପୁର ଖଣିରୁ ପଥର ଲୁଟ କେଳେଙ୍କାରୀ : ଲୋକଙ୍କ ସନ୍ଦେହ ଶେଷରେ ସତ ହେଲା , ମାପଚୁପ ପରେ ଅତି ନଗଣ୍ୟ ଆକଳନକୁ ନେଇ ପ୍ରଶ୍ନବାଚୀ,୫୦ କୋଟି ଟଙ୍କାର ମୂଲଚାଲ ଅଭିଯୋଗ

0

ଚଣ୍ଡିଖୋଲ, ୨୦/୧୨ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ରାଜସ୍ୱ ସର୍କଲ ଅଧୀନ ବହୁ ଚର୍ଚ୍ଚିତ ରାହାଡ଼ପୁର ପାହାଡର ବିଏସକ୍ୟୁ ପଥର ଖଣିରେ ବ୍ୟାପକ ଲୁଟପାଟ,ଧାର୍ଯ୍ୟ ପରିମାଣଠାରୁ ବହୁଅଧିକ ପରିମାଣର ପଥର ଉତ୍ତୋଳନ ଓ ଶତାଧିକ କୋଟି ଟଙ୍କାର ରାଜସ୍ୱ ଫାଙ୍କି ଜଳଜଳ ହୋଇ ଲୋକେ ଦେଖୁଥିଲେ ମଧ୍ୟ ତାହା ପ୍ରଶାସନ ଆଖିରେ ଠିକଭାବେ ଦୃଷ୍ଟି ଗୋଚର ହୋଇନଥିବା ଓ ଏହି ମହା ଦୁର୍ନୀତିକୁ ଘୋଡାଇବା ପାଇଁ ଏକ ବିରାଟ ଡିଲ ହୋଇଥିବା ଏବେ ଜନମାନସରେ ପ୍ରମାଣିତ ହୋଇଛି! ଚଳିତ ଦୁଇ ଦଶନ୍ଧିର ଏହା ଯାଜପୁର ଜିଲ୍ଲାରେ ସବୁଠାରୁ ବଡ ଦୁର୍ନୀତି ବୋଲି ସାଧାରଣରେ ବିବେଚନା ହେଉଥିଲା ମଧ୍ୟ ତାହାକୁ ବେପ୍ରମାଣ କରିଦେବା ପାଇଁ ସୁଚିନ୍ତିତ ସଡଯନ୍ତ୍ର ହୋଇଥିବା ଆଲୋଚନା ହେଉଛି! ଉକ୍ତ ଖଣିର ବେଆଇନ ଖନନର ମାପଚୁପ ପରେ ପ୍ରଶାସନ ପକ୍ଷରୁ ହୋଇଥିବା ଧାର୍ଯ୍ୟ ଆକଳନ ହିଁ ତାହାକୁ ପ୍ରମାଣିତ କରିଛି!ଏହି ଖଣିରୁ ହୋଇଥିବା ଲକ୍ଷା ଲକ୍ଷ ସିଏମ ଅଧିକ ବେଆଇନ ପଥର ଖନନକୁ ମାପଚୁପବେଳେ ଲୁଚାଇଦେଇ ଲିଜଧାରୀଙ୍କୁ ଶତାଧିକ କୋଟି ଟଙ୍କାର ଯୋରୀମାନାରୁ ଛାଡଦେବା ପାଇଁ  ସବୁସ୍ଥରରେ ଏକ ବଡଧରଣର ଡିଲ ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପୂର୍ବରୁ ହିଁ ସନ୍ଦେହ କରୁଥିଲେ! ଉକ୍ତ ଖଣୀର ଲିଜ ଅବଧି ସରିବା ପରେ ଗତ ନଭେମ୍ବର ମାସ ୧୦ ତାରିଖରେ ଖଣିରେ ମାପଚୁପ ବେଳେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ ମାପଚୁପରେ ନିୟୋଜିତ ବେସରକାରୀ ସସ୍ଥାର ଗତିବିଧିକୁ ଲକ୍ଷକରି ଲୋକମାନଙ୍କ ମଧ୍ୟରେ ସ୍ୱାଭାବିକ ଭାବେ ଏହି ସନ୍ଦେହ ସୃଷ୍ଟି ହୋଇଥିଲା! ଯାହା ଏବେ ପ୍ରଶାସନ ପକ୍ଷରୁ ଘୋଷିତ ଆକଳନକୁ ଦେଖିବାପରେ ସତ ବୋଲି ପ୍ରମାଣିତ ହୋଇଛି!

ଜିଲ୍ଲାର ବହୁ ଅଧିକାରୀ ,ବିଭିନ୍ନ ବୈଶୟିକ ପାରଙ୍ଗମ ସସ୍ଥା ଓ ପରିବେଶ ବିତମାନେ ଏହି ଖଣିରେ ହୋଇଥିବା ବେଆଇନ ଖନନକୁ ଅନୁଧ୍ୟାନ କରି ମାପଚୁପ ହେଲେ ଲିଜଧାରୀଙ୍କ ଉପରେ ଶତାଧିକ କୋଟି ଟଙ୍କାର ଯୋରୀମାନା ହେବବୋଲି ଆକଳନ କରିଥିଲେ ମଧ୍ୟ ତାହା ସରକାରୀ ହିସାବରେ ଅତି ନଗଣ୍ୟ ଦର୍ଶାଯାଇଛି! ଲିଜଧାରୀଙ୍କ ଉପରେ ଶତାଧିକ କୋଟି ପରିବର୍ତ୍ତେ ମାତ୍ର ୧୫ ୪୦ କୋଟି ଟଙ୍କା ରୟାଲିଟି ଓ ପେନାଲଟି ବାବଦରେ ଧାର୍ଯ୍ୟ କରାଯାଇ ଥିବାରୁ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି!ଏହି ଖଣିରେ ହୋଇଥିବା ବ୍ୟାପକ ବେଆଇନ ଖନନ ଓ ପଥର ଲୁଟପାଟ ଜଳଜଳ ହୋଇ ସମସ୍ତଙ୍କୁ ଦେଖା ଯାଉଥିଲେ ମଧ୍ୟ ସରକାରୀ ଆକଳନ ଏପରି କିପରି ମେଜିକ ଦେଖାଇଲା ତାହା ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!  ଏହି ଖଣିର ଲିଜ ଅବଧି ଶେଷ ହେବାପରେ ଖଣିରୁ କେତେ ପଥର ଉତ୍ତୋଳନ ହୋଇଛି ତାହାର ଆକଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ମାସ ୧୦ ତାରିଖରେ ସେହି ମାପଚୁପ କରାଯାଇଥିଲା!

ମାପଚୁପ ପରେ ଆକଳନ ରିପୋର୍ଟ ଖୁବଶୀଘ୍ର ସାର୍ବଜନୀନ ହେବବୋଲି କୁହାଯାଇଥିଲେ ମଧ୍ୟ ଆକଳନ ରିପୋର୍ଟ ସାର୍ବଜନୀନ କରିବା ପାଇଁ ଆଶ୍ଚର୍ଯ୍ୟ ଜନକଭାବେ ଦୀର୍ଘ ଦିନ ବିଳମ୍ବ କରାଯାଇଥିଲା! ଯାହାକୁନେଇ ମାପଚୁପରେ ନିୟୋଜିତ ସର୍ଭେ ସସ୍ଥା ଓ ପ୍ରଶାସନର ଭୁମିକାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା! ଏହି ଖଣିର ଲିଜଧାରୀ ସରକାରୀ ଚୁକ୍ତି ଖିଲାପକରି ନିଜର ଲିଜସ୍ଥାନ ସହ ଲିଜସ୍ଥାନ ବାହାରୁ ନିର୍ଧାରିତ ପରିମାଣ ଠାରୁ ବହୁ ଅଧିକ ପରିମାଣର କଳା ପଥର ଖନନ କରି ନେଇଥିବା ମାପଚୁପ ସମୟରେ ସମସ୍ତଙ୍କ ନଜରକୁ ଆସିଥିଲା! ଯାହାକୁନେଇ ଲିଜଧାରୀଙ୍କ ଉପରେ ଶତାଧିକ କୋଟି ଟଙ୍କାର ଯୋରୀମାନା ହେବବୋଲି ସେତେବେଳେ ଆଲୋଚନା ହୋଇଥିଲା! ମାପଚୁପରେ ନିୟୋଜିତ ସରକାରୀ ଅଧିକାରୀ ମାନେ ମଧ୍ୟ ଖଣିରେ ହୋଇଥିବା ମାତ୍ରାଧିକ ବେଆଇନ ଖନନକୁ ନେଇ ତାଜୁବ ହୋଇଯାଇଥିଲେ! ମାତ୍ରାଧିକ ଖନନ ଯୋଗୁଁ ଲିଜଧାରୀଙ୍କୁ ବହୁକୋଟି ଟଙ୍କାର ଯୋରୀମାନା ପୈଠ କରିବାକୁ ପଡିବ ବୋଲି ସେ ଆଗରୁ ଜାଣିଥିବାରୁ ସେଥିରୁ ବଞ୍ଚିବା ପାଇଁ ମାପଚୁପରେ ନିୟୋଜିତ ସର୍ଭେ ସସ୍ଥାସହ ଭିତିରି ବୁଝାମଣା କରିଥିବା ନେଇ ସେତେବେଳେ ଗୁରୁତର ଅଭିଯୋଗ ହୋଇଥିଲା!

ଏବେ ଆକଳନ ରିପୋର୍ଟ ପ୍ରକାଶ ହେବାପରେ ସେହି ସନ୍ଦେହର ସତ୍ୟତା ଥିବା ଆଲୋଚନା ହେଉଛି! ସରକାରୀ ସୂଚନା ଅନୁସାରେ ରାହାଡ଼ପୁର ପାହାଡର ୨୫ ଏକର ପରିମିତ ବିଏସକ୍ଯୁକୁ ପ୍ରହଲ୍ଲାଦ ଲେଙ୍କା ଦୀର୍ଘମିଆଦି ସୂତ୍ରରେ ପାଞ୍ଚ ବର୍ଷିଆ ଲିଜ ନେଇଥିଲେ! ସେ ଏହି ଲିଜ ସ୍ଥଳରୁ ବାର୍ଷିକ ୪୭ ହଜାର ଘନ ମିଟର କଳାପଥର ଖନନ ଲାଗି ଚୁକ୍ତି କରିଥିଲେ! ଏହି ହିସାବରେ ପାଞ୍ଚ ବର୍ଷରେ ମୋଟ ୨ଲକ୍ଷ ୩୫ ହଜାର ଘନ ମିଟର ପଥର ଉତ୍ତୋଳନ କରିବା କଥା ! ମାତ୍ର ଲିଜଧାରୀ ନିଜ ଲିଜ ସ୍ଥାନ ଓ ଲିଜସ୍ଥାନର ପରିସୀମା ବାହାରେ ବେଆଇନ ଖନନକରି ଚୁକ୍ତିଠାରୁ ଅଧିକ ଲକ୍ଷାଧିକ ଘନ ମିଟର ପଥର ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା! ଏପରିକି ରାହଡ଼ପୁର ପାହାଡ଼ର ଅନ୍ୟ ଲିଜଧାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୀମା ଓ ତାଙ୍କ ସୀମା ବାହାରୁକୁ ଯାଇ ପ୍ରହଲ୍ଲାଦ ଲେଙ୍କା ବେଆଇନ ଭାବେ ପଥର ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା! ଯାହାକୁନେଇ ନଭେମ୍ବର ୧୦ ତାରିଖରେ ଏହି ମାପଚୁପ ହୋଇଥିଲା!

୧୬ନଂ ଜାତୀୟ ରାଜପଥ ନିର୍ମାଣ କରୁଥିବା ଡିବିଏଲ ସଂସ୍ଥାକୁ ଲିଜଧାରୀ ଏହି ଖଣିରୁ କଳାପଥର ଯୋଗାଣ ଲାଗି ଲିଜଧାରୀ ଚୁକ୍ତିକରି ସେହି ସସ୍ଥାର ଡଙ୍କାରୀ ମୌଜରେ ଥିବା ଦୁଇଟି ମେଗା କ୍ରସରକୁ ପଥର ଯୋଗାଣ କରିବା ସହ ଲିଜଧାରୀ ଶ୍ରୀ ଲେଙ୍କା ବାହାରକୁ ମଧ୍ୟ ଲକ୍ଷ ଲକ୍ଷ ଘନ ମିଟର କଳାପଥର ବିକ୍ରି କରିଥିବା ଜଣାପଡ଼ିଛି! ତେଣୁ ଏହି ଖଣିରୁ ଚୁକ୍ତି ଯାହାରେ ବହୁ ଲକ୍ଷ ସିଏମ ପଥର ଉତ୍ତୋଳନ ହୋଇଥିବା ମାପଚୁପ ବେଳେ ଜଣାପଡିବା ସହ ଏହି ପଥରର ସରକାରୀ ମୂଲ୍ୟ ତିନିରୁ ଚାରି ଶହ କୋଟିରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଥିଲ ଓ ମାପଚୁପ ପରେ ଲିଜଧାରୀଙ୍କ ଠାରୁ ଶତାଧିକ କୋଟି ଟଙ୍କାର ଅଧିକ ରାଜସ୍ୱ ଓ ଯୋରୀମାନା ଆଦାୟ ହେବବୋଲି ଆଶା ରଖାଯାଇଥିଲା! ଏଥି ପୂର୍ବରୁ ଲୁଣିବର,ଆରୁହା ଓ ଡଙ୍କାରୀ ମୌଜାର ଚାରି ପାଞ୍ଚଟି ଖଣିର ଲିଜ ଅବଧି ଶେଷ ହେବାପରେ ମାପଚୁପ ପରେ ସେଠାର ଲିଜ ଅଞ୍ଚଳର ପରିସୀମା ଓ ଲିଜଧାରୀଙ୍କ ଦ୍ୱାରା ହୋଇଥିବା ଖନନକୁ ଆକଳନକରି ପ୍ରଶାସନ ଯେଉଁ ପରିମାଣର ଯୋରୀମାନା ଧାର୍ଯ୍ୟ କରିଥିଲା ତାକୁ ଅନୁଧ୍ୟାନ କଲେ ରାହାଡପୁର ଖଣିରେ ହୋଇଥିବା ଖନନର ବ୍ୟାପକତା ଅନୁଯାଇ ରୟାଲିଟି ଓ ଯୋରୀମାନା ପରିମାଣ ଅତି ନଗଣ୍ୟ ହୋଇଛି! ଏବେ ରାହାଡପୁର ଖଣିର ଏପରି ଆଶ୍ଚର୍ଯ୍ୟ ଜନକ ଆକଳନ ରିପୋର୍ଟ ପ୍ରକାଶ ପାଇଥିବାରୁ ତାହା ବିରୁଦ୍ଧରେ ସ୍ଥାନୀୟ କେତେକ ସମାଜସେବୀ କୋର୍ଟକୁ ଯିବାପାଇଁ ସଜବାଜ ହେବା ସହ ଆଉଏକ ସ୍ୱାଧୀନ ସସ୍ଥା ଦ୍ୱାରା ଏହି ଖଣିରେ ମାପଚୁପ କରାଯାଇ ପୁନଃ ଆକଳନ କରାଯାଉ ବୋଲି ଦାବି କରିଛନ୍ତି! ଏବେ ଏହି ଘଟଣାକୁ ନେଇ ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀ ରୋଚକମୋଡ ନେଇଛି!

Nalco
Leave A Reply