ଚଣ୍ଡିଖୋଲ : ଯାଜପୁର ଜିଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ପୁରୁଣାବଉଳମାଳ ପଞ୍ଚାୟତର ସୁକୁଟିଝର ମୌଜାରେ ଥିôବା ଏକ ଶ୍ମଶାନ ଜମିରେ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣମଣ୍ଡପ ନିର୍ମାଣକୁ ପଞ୍ଚାୟତବାସୀ ବୁଧବାର ଦିନ ତୀବ୍ର ବିରୋଧ କରିଛନ୍ତି । ସୁକୁଟିଝର ମୌଜାର ଖାତା ନଂ-୩୦୮, ପ୍ଲଟ୍ ନଂ-୯୭୯କୁ ସ୍ଥାନୀୟ ପାଞ୍ଚ ଛଅ ଖଣ୍ଡ ଗ୍ରାମବାସୀ ଦୀର୍ଘ ବର୍ଷ ବର୍ଷ ଧରି ଶ୍ମଶାନ ଭାବେ ବ୍ୟବହାର କରିଆସୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନାରେ ଆସିଥିବା କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଲୋକଙ୍କ ବିରୋଧ ସତ୍ୱେ ପଞ୍ଚାୟତ ପକ୍ଷରୁ ସେଠାରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଭୁମୀପୁଜା କରାଯିବା ସହ କାର୍ଯ୍ୟ ଆରମ୍ବ ପାଇଁ ଯୋଜନା ହେଉଥିଲା ବେଳେ ଶତାଧିକ ଲୋକ ବିରୋଧ କରିଥିଲେ ।
ଘଟଣା ସ୍ଥଳରେ ଉପସ୍ଥିତ ଥିବା ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ବିରୋଧ ଦେଖି ଘଟଣା ସ୍ଥଳରୁ ପଳାଇଥିଲେ । ଏଥିନେଇ ଲୋକେ ଯାଜପୁର ଜିଲାପାଳ, ଧର୍ମଶାଳା ବିଧାୟକ ଓ ବି.ଡ଼ି.ଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ଏଠାରେ କଲ୍ୟାଣମଣ୍ଡପ ନିର୍ମାଣ ନକରିବା ପାଇଁ ଦାବୀ କରିଛନ୍ତି । ଆଖ ପାଖରେ ଶ୍ମଶାନ ନଥିବାରୁ ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ସ୍ଥାନୀୟ ସୁକୁଟିଝର, ଇଛାପୁର, ଖଜୁରୀବାଟି, ଉତ୍ତରପଶି, ଦକ୍ଷିଣପଶି ପ୍ରଭୃତି ଗ୍ରାମବାସୀଙ୍କ ପାଇଁ ଏହା ଘୋର ସମସ୍ୟା ସୃଷ୍ଟି କରିବ ବୋଲି ଦାବୀ ପତ୍ରରେ ଦର୍ଶାଯାଇଛି ।
