ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବଡଚଣା ବିଡିଓଙ୍କ ବେଖାତିର : କଣ୍ଟ ପୁରିଲା ହେଲେ ମାର୍କେଟ କମ୍ପଲେକ୍ସ ଘରର ନିଲାମ ପ୍ରକ୍ରିୟା ଆରମ୍ଭ ହେଲାନି, ପଞ୍ଚାୟତ ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ
ଚଣ୍ଡିଖୋଲ,୨୫/୯ : ଯାଜପୁର ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି ବଡଚଣା ବିଡିଓ ! ଏପରି ସଙ୍ଗିନ ଅଭିଯୋଗର ଅନେକ ବାସ୍ତବତା ଅନୁଭବ ହୋଇଛି ବଡଚଣା ବ୍ଳକରେ କୋଟି କୋଟି ଟଙ୍କା ବ୍ୟୟରେ ୧୮ଟି ପଞ୍ଚାୟତରେ ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇ ପଡିରହିଥିବା ଶତାଧିକ ମାର୍କେଟ କମ୍ପଲେକ୍ସ ଘରର ନିଲାମ ହେବା ପ୍ରସଙ୍ଗକୁ ନେଇ! ଏହି ମାର୍କେଟ କମ୍ପଲେକ୍ସ ଘରଗୁଡିକ ନିଲାମ ହେଉନଥିବାରୁ ପଞ୍ଚାୟତ ଗୁଡିକ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଥିଲା ବେଳେ ଘରଗୁଡିକ ବ୍ୟବହାର ହେଉନଥିବାରୁ ନଷ୍ଟ ହେବାକୁ ବସିଛି! ହେଲେ ନିଲାମକରି ସେହି ଘରଗୁଡିକୁ କାମରେ ଲଗାଇ ପଞ୍ଚାୟତ ଗୁଡିକର ଆୟବୃଦ୍ଧି କରିବା ପାଇଁ ଯାଜପୁର ଜିଲ୍ଲାପାଳ ବାରମ୍ବାର ବିଡିଓଙ୍କୁ କଡା ଭାଷାରେ ଚିଠିଲେଖୁଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ! ଯାହାକୁ ନେଇ ସରକାରଙ୍କ ଜନହିତକର ଓ ଆର୍ଥିକ ଅଭିବୃଦ୍ଧି ଯୋଜନାର ସଫଳ ରୁପାୟନ କ୍ଷେତ୍ରରେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ଏବେ ଓଲଟା ଚିତ୍ର ଦେଖିବାକୁ ମିଳୁଛି! ପଞ୍ଚାୟତ ଗୁଡିକର ପାଣ୍ଠି ବୃଦ୍ଧି ତଥା ଆର୍ଥିକ ବିକାଶ ପାଇଁ ଦୀର୍ଘ ବର୍ଷ ହେବ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପଲେକ୍ସ ଘର ଗୁଡିକୁ କାମରେ ଲଗାଇବାକୁ ବଡଚଣା ବିଡିଓଙ୍କର ଆନ୍ତରିକତା ରହୁନାହିଁ! ଦୀର୍ଘ ବର୍ଷଧରି ନିର୍ମିତ ଶତାଧିକ ମାର୍କେଟ କମ୍ପଲେକ୍ସ ଘରକୁ ଭଡାଦେଇ ପଞ୍ଚାୟତର ଆର୍ଥିକ ସ୍ଥିତି ବୃଦ୍ଧି କରିବାରେ ବିଡିଓ ବିଫଳ ହେଉଥିବାରୁ ପଞ୍ଚାୟତ ଗୁଡିକର ବ୍ୟାପକ ରାଜସ୍ୱ ହାନୀ ହୋଇ ଚାଲିଛି! ଅପରପକ୍ଷେ ଆଶାୟୀ ବେକାରମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ଓ ନିର୍ମିତ ଦୋକାନଘର ଗୁଡିକ ନଷ୍ଟ ହୋଇଯିବାକୁ ବସିଛି! ଯାହାକୁ ନେଇ ଯାଜପୁର ଜିଲ୍ଲାପାଳ ଗତ ଜୁନ ୧୭ ତାରିଖରେ ତାଙ୍କ ପତ୍ର ସଖ୍ୟା ୧୯୪୨ରେ ବିଡିଓଙ୍କୁ ତାଗିଦାକରି ଚିଠି ଲେଖିଥିଲେ!
ଯଥାଶୀଘ୍ର ବଡଚଣା ବ୍ଳକରେ ନିର୍ମାଣ ହୋଇଥିବା ୧୮ଟି ପଞ୍ଚାୟତରେ ୨୭୦ଟି ଦୋକାନ ଘରର ସ୍ଥିତି ଓ ତାହାର ନିଲାମ ପାଇଁ ସେହି ଚିଠିରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ! ହେଲେ ବିଡିଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନାମାକୁ ଅଳିଆ ଗଦାରେ ପକାଇଦେଇ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ! ଇତି ମଧ୍ୟରେ ନିର୍ମିତ ମାର୍କେଟ କମ୍ପଲେକ୍ସ ଘରଗୁଡିକୁ ଭଡା ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସରପଞ୍ଚ ମାନେ ବାରମ୍ବାର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ବିଡିଓ ତାହାକୁ ଗୁରୁତ୍ୱ ନଦେଇ ମନମାନି କରିଚାଲିବା ଦେଖିଯାଇଥିଲା! ଫଳରେ ଏହି ଖବର ଜିଲ୍ଲାପାଳ ଜାଣିବା ସହ ବିଡିଓଙ୍କ କାର୍ଯ୍ୟରେ ସ୍ଥାଣୁତା ଲକ୍ଷକରି ପୁନର୍ବାର ଚଳିତ ଅଗଷ୍ଟ ମାସ ୨୫ ତାରିଖରେ ପତ୍ର ସଖ୍ୟା ୨୨୬୧ରେ କଠୋର ଶଦ୍ଦରେ ଚିଠି ଲେଖି ଏହି ଯୋଜନାର ସଫଳ ରୁପାୟନ ପାଇଁ ନିର୍ଦ୍ଦେଶ ଦେବାସହ ସେଷ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ମାର୍କେଟ କମ୍ପଲେକ୍ସ ଘର ଗୁଡିକର ନିଲାମ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ! ଏଥିରେ ଖିଲାପକଲେ ବିଡିଓ ହିଁ ଦାୟୀ ରହିବେ ବୋଲି ମଧ୍ୟ ଉଲେଖ ରହିଥିଲା!
ହେଲେ ଯାଜପୁର ଜିଲ୍ଲାପାଳଙ୍କ ଶେଷ ଚିଠିର କଣ୍ଟ ଗତ ଦୁଇ ସପ୍ତାହ ହେଲା ପୁରିଯାଇଥିଲେ ମଧ୍ୟ ଅଦ୍ୟାବଧି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇନାହିଁ! ପ୍ରକାଶ ଥାଉକି ଗତ ୨୦୧୧ ମସିହା ଠାରୁ ଇତିମଧ୍ୟରେ ବଡଚଣା ବ୍ଳକର ମୋଟ ୪୩ଟି ପଞ୍ଚାୟତ ମଧ୍ୟରୁ ୧୮ଟି ପଞ୍ଚାୟତରେ ୨୭୦ଟି ଘର ସମ୍ପୂର୍ଣ୍ଣ ଗ୍ରାମିଣ ରୋଜଗାରଯୋଜନା (ଏସଜିଏସଓଉଇ) କେନ୍ଦ୍ରୀୟ(ସିଏଫସି) ଓ ରାଜ୍ୟ ଅର୍ଥ କମିଶନଙ୍କ(ଏସଏଫସି) ଯୋଜନାର ମଞ୍ଜୁର ଅର୍ଥରେ ନିର୍ମାଣ ହୋଇଛି!ଏହି ଦୋକାନଘର ନିର୍ମାଣର ଇତିମଧ୍ୟରେ ୬ରୁ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ମାତ୍ର କେତୋଟିକୁ ଛାଡିଦେଲେ ଅନ୍ୟ ଶତାଧିକ ଘର କାମରେ ଲଗାଯାଇ ପାରିନାହିଁ!ଏହି ଘର ଗୁଡିକୁ ଭଡା ଦିଆଯାଉ ନଥିବାରୁ ପଞ୍ଚାୟତ ଗୁଡିକ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଈ ଚାଲିଛନ୍ତି! ଅନ୍ୟପକ୍ଷରେ କାମରେ ନଲାଗିପାରି ନିର୍ମାଣ ହୋଇଥିବା ଘରସବୁ ଅନେକ ସ୍ଥାନରେ ନଷ୍ଟ ହୋଇ ଯିବାକୁ ବସିଲାଣି! ଏହିସବୁ ଦୋକାନ ଘରକୁ ନିଲାମ ବା ଲଟେରି ମାଧ୍ୟମରେ ଭଡା ଦେବା ପାଇଁ ବହୁ ସରଫଞ୍ଚ ଓ ସ୍ଥାନୀୟ ଲୋକେ ଦାବିକରି ଆସୁଥିଲେ ମଧ୍ୟ ବିଡିଓ ଜାଣିସୁଣି ତାହାକୁ ଏଡାଇ ଦେଉଥିବା ସହ କେତେକ କ୍ଷେତ୍ରରେ ସରଫଞ୍ଚ ମାନଙ୍କ ପ୍ରସ୍ଥାବକୂ ଅଗ୍ରାହ୍ୟ କରି ଚିଠି ଲେଖୁଥିବା ଅଭିଯୋଗ ହୋଇଛି!
ଏହାର ଉଦାହରଣ ସ୍ୱରୁପ ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟୀକ ସ୍ଥାନ ଛତିଆଠାରେ ଗତ ୨୦୧୧ ଠାରୁ ଇତିମଧ୍ୟରେ ନିର୍ମିଣପରେ ବନ୍ଦହୋଇ ପଡିଥିବା ୧୬ଟି ଦୋକାନଘରକୁ ଭଡା ଲଗାଇବା ପାଇଁ ନିକଟ ଅତିତରେ ସେଠିଳ ସରପଞ୍ଚ ରମେଶଚନ୍ଦ୍ର ପୃଷ୍ଟି ବଡଚଣା ବିଡିଓ ଏବଂ ଜିପିଓଙ୍କୁ ଅବଗତକରି ଦିନ ଧାର୍ଯ୍ୟ କରିଥିଲେ! ହେଲେ ବ୍ଳକ ପ୍ରଶାସନ ଏଥିରେ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଓଲଟି ଚିଠିଦେଇ ତାହାକୁ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି! ଛତିଆପରି ସମିଆ,ଚମ୍ପାପୁର,ପାରିଆ ପରି ବ୍ଳକର ଅନେକ ବ୍ୟବସାୟୀକ ସ୍ଥାନରେ ଏହି ଯୋଜନାରେ ଦୋକାନଘର ନିର୍ମିତ ହୋଇ ପଡିଥିଲେ ମଧ୍ୟ ସେଗୁଡିକୁ ଭଡାଦେବା ପାଇଁ ସେଠାକାର ସରଫଞ୍ଚ ମାନେ ବିଡିଓଙ୍କୁ ବାରମ୍ବାର ଅନୁରୋଧକରି କୌଣସି ସୁଫଳ ପାଉନଥିବା ଅଭିଯୋଗ ହୋଇଛି
